ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ଆବେଦନ ପତ୍ରରେ ମିଥ୍ୟା ତଥ୍ୟର ତଦନ୍ତ ଦାବିରେ ଆଇନଜୀବୀମାନେ ପୁଣି କୁଳାଧିପତିଙ୍କୁ ପତ୍ର ଲେଖିଛନ୍ତି। ସେମାନଙ୍କ ପାଖରେ ପ୍ରଫେସର ମିତ୍ତଲଙ୍କ ମିଥ୍ୟା ତଥ୍ୟ ଦେଇଥିବା ନେଇ ଯଥେଷ୍ଟ ପ୍ରମାଣ ରହିଛି। ଯେ କୌଣସି ତଦନ୍ତ କମିଟି ସମ୍ମୁଖରେ ସେମାନେ ତଥ୍ୟ ରଖିବାକୁ ପ୍ରସ୍ତୁତ ରହିଥିବା ଏହି ପତ୍ରରେ ଉଲ୍ଲେଖ କରିଛନ୍ତି।

Advertisment

ଗତ ୧୭ ତାରିଖ ଦିନ ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ ସିଣ୍ଡିକେଟ୍ ‌ସଦସ୍ୟ, ଆଇନଜୀବୀ ତଥା ସାମାଜିକ କର୍ମୀ ଦୁର୍ଗା ପାଢ଼ୀ, ସୁମନ୍ତ କୁମାର ସ୍ବାଇଁ ଏବଂ ପୂର୍ବତନ ସିନେଟ୍ ସଦସ୍ୟ ତଥା ଆଇନଜୀବୀ ଅରୁଣ କୁମାର ମିଳିତ ଭାବେ କୁଳପତି ପ୍ରଫେସର ମିତ୍ତଲଙ୍କ ବିରୋଧରେ କୁଳାଧିପତିଙ୍କଠୁ ଲେଖିଥିଲେ। ଏଥିରେ ‌ସେମାନେ ଅଭିଯୋଗ କରିଥିଲେ ଯେ ପ୍ରଫେସର ମିତ୍ତଲ କୁଳପତି ପଦ ନିମନ୍ତେ ତାଙ୍କ ଆବେଦନପତ୍ରରେ ଅନେକ ମିଥ୍ୟା ତଥ୍ୟ/ତ୍ରୁଟିପୂର୍ଣ୍ଣ ତଥ୍ୟ ମଧ୍ୟ ଦେଇଛନ୍ତି। ଅନେକ ତଥ୍ୟ ମଧ୍ୟ ଲୁଚାଇଛନ୍ତି। ତାଙ୍କର ୮ଟି ପୁସ୍ତକ ଏବଂ ୧୧୧ଟି ପବ୍ଲିକେସନ୍‌ସ ରହିଥିବା ଏବଂ ‌‌ସେଥିରୁ ୨୫ଟି ସ୍କୋପସ୍‌ (ୱେବ୍ ସାଇନ୍‌ସ), ଏସ୍‌ସିଆଇ/ଇଏସ୍‌ସିଆଇରେ ସ୍ଥାନିତ ହୋଇଥିବା କଥା ପ୍ରଫେସର ମିତ୍ତଲ ଉଲ୍ଲେଖ କରିଛନ୍ତି। ମାତ୍ର ତାଙ୍କ ପବ୍ଲିକେସନସ୍‌ ସଂପର୍କରେ ଯାଂଚ କରାଯିବା ବେଳେ ମାତ୍ର ୧୦ଟି ଆର୍ଟିକିଲ୍‌ ସ୍କୋପସ୍‌(ୱେବ୍ ସାଇନ୍‌ସ), ଏସ୍‌ସିଆଇ ଓ ଇଏସ୍‌ସିଆଇରେ ସ୍ଥାନିତ ହୋଇଛି। ଏହା ବ୍ୟତୀତ ୪ଟି ଆର୍ଟିକିଲ୍‌ କେବଳ ସ୍କୋପସ୍‌ରେ ରହିଥିବା ଜଣାପଡ଼ିଛି। ପ୍ରକାଶିତ ପୁସ୍ତକ ସଂପର୍କରେ ବି ତଥ୍ୟ ଲୁଚାଇଛନ୍ତି ବୋଲି ଅଭିଯୋଗ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ କପି କରିବାରୁ ରୋକିବା ଏବଂ ଶିକ୍ଷକଙ୍କ ଭୁଲତ୍ରୁଟିକୁ ଧରି ସୁଧାର ଆଣିବା ବିଶ୍ବବିଦ୍ୟାଳୟ କୁଳପତିଙ୍କର କାମ। ହେଲେ ଏଠାରେ ପ୍ରଫେସର ମିତ୍ତଲ ନିଜେ ଏଭଳି କାମରେ ଲିପ୍ତ ରହିଛନ୍ତି ବୋଲି ସେମାନେ ସଂଗିନ ଅଭିଯୋଗ କରିଛନ୍ତି।

ତେବେ, ପ୍ରଫେସର ମିତ୍ତଲ ଏସବୁ ଅଭିଯୋଗକୁ ଭିତ୍ତିହୀନ ବୋଲି କହୁଥିବାରୁ ତୁରନ୍ତ ଏକ ତଦନ୍ତ କମିଟି ଗଠନ କରାଯାଇ ମାମଲାର ତଦନ୍ତ କରାଯାଉ। ନିରପେକ୍ଷ ତଦନ୍ତ ପାଇଁ ତାଙ୍କୁ ଛୁଟିରେ ପଠାଇ ଦିଆଯାଉ ବୋଲି ଆଇନଜୀବୀମାନେ କୁଳାଧିପତିଙ୍କୁ ଅନୁରୋଧ କରିଛନ୍ତି।