ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ବିବାଦୀୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ଯୁଗ ଶେଷ ହୋଇଛି। ବହୁ ବାଦବିବାଦରେ ଛନ୍ଦିହୋଇ ପ୍ରଫେସର ମିତ୍ତଲ ଶେଷରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। କୁଳାଧିପତି ତଥା ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କର ଇସ୍ତଫାପତ୍ରକୁ ମଧ୍ୟ ଗ୍ରହଣ ‌କରି ନେଇଛନ୍ତି। ବିବାଦୀୟ ଅବସ୍ଥାରେ କାର୍ଯ୍ୟକାଳ ଅଧାରୁ ବିଶ୍ବବିଦ୍ୟାଳୟ ଛାଡ଼ି ପଳାଇବା ଘଟଣା ସମ୍ବଲପୁର ବିଶ୍ବବିଦ୍ୟାଳୟ ଇତିହାସରେ ପ୍ରଥମ ବୋଲି କହାଯାଉଛି। ଏବେ, ପ୍ରଫେସର ମିତ୍ତଲ କାର୍ଯ୍ୟକାଳ ସମୟରେ ହୋଇଥିବା ବିଭିନ୍ନ ଗୁରୁତର ଆର୍ଥିକ ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ସହିତ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ଜୋର୍‌ ଧରିଛି।

Advertisment

ସୂଚନା ଅନୁସାରେ, ଗତ ୨୮ ତାରିଖରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ଇସ୍ତଫାପତ୍ର କୁଳାଧିପତିଙ୍କ ପାଖକୁ ପଠାଇଥିଲେ। କୁଳାଧିପତି ପ୍ରଫେସର ମିତ୍ତଲଙ୍କ ଇସ୍ତଫାକୁ ଗ୍ରହଣ କରିନେବା ସହିତ ବିଶ୍ବବିଦ୍ୟାଳୟ ପିଜି କାଉନ୍‌ସିଲ୍‌ର ଅଧ୍ୟକ୍ଷଙ୍କୁ ଭାରପ୍ରାପ୍ତ କୁଳପତି ଦାୟିତ୍ବ ପ୍ରଦାନ କରିଛନ୍ତି। ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ସଂଯୁକ୍ତା ଦାସ ନୂଆ କୁଳପତି ଚୟନ ହେବା ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଭାରପ୍ରାପ୍ତ କୁଳପତି ଦାୟିତ୍ବ ତୁଲାଇବେ। ଉଲ୍ଲେ‌ଖଯୋଗ୍ୟ ଯେ ପ୍ରଫେସର ମିତ୍ତଲ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ଗତବର୍ଷ ଜାନୁଆରି ୨୫ ତାରିଖରେ ଦାୟିତ୍ବ ଗ୍ରହଣ କରିଥିଲେ। ଚାରି ବର୍ଷ ପାଇଁ ସେ ଏହି ସମ୍ମାନଜନକ ପଦରେ ଅବସ୍ଥାପିତ ହୋଇଥିଲେ। ତେବେ ଦାୟିତ୍ବ ଗ୍ରହଣ ଦିନଠାରୁ ହିଁ ସେ ବିବାଦ ମଧ୍ୟରେ ଛନ୍ଦି ହୋଇପଡ଼ିଥିଲେ। ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ବହୁ ମୂଲ୍ୟବାନ ଗଛକଟାରୁ ଏହି ବିବାଦର ଅୟମାରମ୍ଭ ହୋଇଥିଲା। ପ୍ରଫେସର ମିତ୍ତଲଙ୍କଠାରୁ ଅପମାନିତ ହୋଇ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମାହୂତି ଦେଇଥିଲେ। ଏହି ଘଟଣାରେ ପୁଲିସ ପକ୍ଷରୁ ରୁଜୁ ମାମଲାରେ ପ୍ରଫେସର ମିତ୍ତଲ ମୁଖ୍ୟ ଅଭିଯୁକ୍ତ ଥିଲେ। ଗିରଫଦାରିରୁ ବର୍ତ୍ତିବା ପାଇଁ ସେ ଏହି ମାମଲାରେ ହାଇକୋର୍ଟରୁ ଆଗୁଆ ଜାମିନ ଆଣିଥିଲେ।

ସେହିଭଳି ବିଶ୍ବବିଦ୍ୟାଳୟ ପୁସ୍ତକକିଣାରେ ହେରଫେର, ସମାବର୍ତ୍ତନ ଉତ୍ସବରେ ଶିଳ୍ପୋଦ୍ୟୋଗୀଙ୍କୁ ଡକ୍ଟରେଟ୍ ପ୍ରଦାନ, ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦତ୍ତ ସ୍ବର୍ଣ୍ଣପଦକରେ ସୁନାର ପରିମାଣ ଓ ଶୁଦ୍ଧତା କମ୍ ରହିବା, ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପାଣ୍ଠିର ପ୍ରାୟ ୨୯ ଲକ୍ଷ ଟଙ୍କା ନିଜ ପତ୍ନୀ ଓ ପୁତ୍ରଙ୍କ ବ୍ୟାଙ୍କ୍‌ ଖାତାକୁ ସ୍ଥାନାନ୍ତର କରିବା ଏବଂ ତଦନ୍ତ ବେଳେ ଏହା ଧରାପଡ଼ିବା ପରେ ତାହା ଫେରସ୍ତ କରିବା ଆଦି  ଅନିୟମିତତା କରି ସେ ବିବାଦରେ ରହିଥିଲେ। ଆନ୍ଦୋଳନରତ କର୍ମଚାରୀମାନଙ୍କ ବିରୋଧରେ ପ୍ରତିଶୋଧ ପରାୟଣ ହୋଇ କଥା କଥାରେ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇବାର ବି ଅଭିଯୋଗ ରହିଥିଲା। ବହୁ ବର୍ଷ ଧରି ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରି ଆସୁଥିବା ଅନେକ ସ୍ବଳ୍ପବେତନ‌‌ଭୋଗୀ ଚୁକ୍ତିଭିତ୍ତିକ କର୍ମଚାରୀ ସେମାନଙ୍କ ଚାକିରି ବି ହରାଇଥିଲେ। ପ୍ରଫେସର ମିତ୍ତଲଙ୍କ ଏଭଳି ଆଭିମୁଖ୍ୟ ତଥା ସ୍ବେଚ୍ଛାଚାରିତା ଯୋଗୁ ବିଶ୍ବବିଦ୍ୟାଳୟ କର୍ମଚାରୀଙ୍କ ମଧ୍ୟରେ ଏକପ୍ରକାର ଆତଙ୍କର ବାତାବରଣ ଲାଗି ରହିଥିଲା। ବିଶ୍ବବିଦ୍ୟାଳୟର ଶୈକ୍ଷିକ ବାତାବରଣ ବି ଗୁରୁତର ପ୍ରଭାବିତ ହୋଇଥିଲା। ଶେଷରେ ଆର୍ଥିକ ଅନିୟମିତତା ପ୍ରଫେସର ମିତ୍ତଲଙ୍କ ପାଇଁ ବଡ଼ ବିପଦ ପାଲଟିଥିଲା।

ବିଳମ୍ବରେ ହେଲେ ମଧ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ସରକାରୀ ଚାପ ଯୋଗୁଁ ପ୍ରଫେସର ମିତ୍ତଲ ଗତ ଜୁଲାଇ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ନେଇଥିଲେ। ପୁଣି, ଅଗଷ୍ଟ ୧ରୁ ୨୨ ତାରିଖ ପର୍ଯ୍ୟନ୍ତ ଛୁଟି ବଢ଼ାଇଥିଲେ। ଆଉ ଏହି ଛୁଟି ସରିବା ପରେ ପୁଣି ତୃତୀୟ ଥର ଛୁଟି ଆବେଦନ କରିଥିଲେ। ତେବେ, ଛୁଟିରେ ଥିବା ସମୟରେ ପ୍ରଫେସର ମିତ୍ତଲ ଉଚ୍ଚଶିକ୍ଷା ସଚିବଙ୍କ କହିବା ଯୋଗୁଁ ସେ ଛୁଟି ନେଇଥିବା, ଫେରିବେ କି ନାହିଁ ଜାଣିନଥିବା, ଯଦି ସରକାର ସମ୍ମାନର ସହିତ ଡାକିବେ ପୁଣି କାର୍ଯ୍ୟରେ ଯୋଗଦେବେ ବୋଲି ଏକ ଗଣମାଧ୍ୟମ (‘ସମ୍ବାଦ’ ନୁହେଁ)ରେ ସାକ୍ଷାତକାର ଦେଇଥିଲେ। ତେବେ ଗତ ୨୮ ତାରିଖରେ କିନ୍ତୁ, ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫାପତ୍ର ପଠାଇବା ଘଟଣା ଇସ୍ତଫା ଦେବାର ଅସଲ ରହସ୍ୟକୁ ପଦାକୁ ଆଣିଛି।

ଏଭଳି ପରିସ୍ଥିତିରେ ଦୁର୍ନୀତିରେ ବୁଡ଼ି ରହିଥିବା ପ୍ରଫେସର ମିତ୍ତଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଏବେ ବିଭିନ୍ନ ମହଲରେ ଦାବି ହୋଇଛି।