ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ବିବାଦୀୟ ପୂର୍ବତନ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ସମୟରେ ହୋଇଥିବା ଦୁର୍ନୀତି ଅଭିଯୋଗର ଖୋଲତାଡ଼ ଆରମ୍ଭ ହୋଇଛି। ଲୋକାଲ୍‌ ଫଣ୍ଡ ଅଡିଟ୍‌ର ଏକ ଟିମ୍ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଡେରା ପକାଇ ପ୍ର‌ଫେସର ମିତ୍ତଲଙ୍କ ସମୟର ଆର୍ଥିକ କାରବାର ଟିକିନିଖି ଯାଞ୍ଚ କରୁଥିବା ଜଣାପଡ଼ିଛି।

Advertisment

ଚାରି ବର୍ଷ ପାଇଁ ସମ୍ମାନଜନକ କୁଳପତି ପଦରେ ଅବସ୍ଥାପିତ ହୋଇଥିବା ପ୍ରଫେସର ସଂଜୀବ ମିତ୍ତଲ ଅର୍ଦ୍ଧେକ ସମୟ ଅର୍ଥାତ୍‌ ୨ ବର୍ଷ ବି ପୂରଣ କରିପାରିନଥିଲେ। ଗତ ୨୮ ଅଗଷ୍ଟରେ ପ୍ରଫେସର ମିତ୍ତଲ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ଇସ୍ତଫାପତ୍ର କୁଳାଧିପତିଙ୍କ ପାଖକୁ ପଠାଇଥିଲେ। ଇସ୍ତଫାକୁ କୁଳାଧିପତି ଗ୍ରହଣ କରିନେବା ପରେ ବିଶ୍ବବିଦ୍ୟାଳୟ ପିଜି କାଉନ୍‌ସିଲ୍‌ର ଅଧ୍ୟକ୍ଷ ପ୍ରଫେସର ସଂଯୁକ୍ତା ଦାସ ଗତ ସେପ୍‌ଟେମ୍ବର ମାସରୁ ଭାରପ୍ରାପ୍ତ କୁଳପତି ଦାୟିତ୍ବ ନେଇଥିଲେ। ଗତ ଜାନୁଆରି ମାସରେ ପ୍ରଫେସର ବିଧୁଭୂଷଣ ମିଶ୍ର ନୂଆ କୁଳପତି ଭାବେ ଦାୟିତ୍ବ ନେଇଛନ୍ତି। ପ୍ରଫେସର ମିତ୍ତଲଙ୍କ ସମୟରେ ବିଶ୍ବବିଦ୍ୟାଳୟ ପୁସ୍ତକ କିଣାରେ ହେର୍‌ଫେର୍‌, ସମାବର୍ତ୍ତନ ଉତ୍ସବରେ ଶିଳ୍ପୋଦ୍ୟୋଗୀଙ୍କୁ ଡକ୍ଟରେଟ୍ ପ୍ରଦାନ, ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦତ୍ତ ସ୍ବର୍ଣ୍ଣପଦକରେ ସୁନାର ପରିମାଣ ଓ ଶୁଦ୍ଧତା କମ୍ ରହିବା, ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପାଣ୍ଠିର ପ୍ରାୟ ୨୯ ଲକ୍ଷ ଟଙ୍କା ନିଜ ପତ୍ନୀ ଓ ପୁତ୍ରଙ୍କ ବ୍ୟାଙ୍କ୍‌ ଖାତାକୁ ସ୍ଥାନାନ୍ତର କରିବା ଏବଂ ତଦନ୍ତ ବେଳେ ଏହା ଧରାପଡ଼ିବା ପରେ ତାହା ଫେରସ୍ତ କରିବା, ବହି ଓ କଂପ୍ୟୁଟର କିଣା ଆଦି ଅନିୟମିତତାରେ ସେ ଛନ୍ଦି ହୋଇଥିଲେ। ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପରେ ସେ ୨୯ ଲକ୍ଷ ଟଙ୍କା ଦୁଇଟି ପର୍ଯ୍ୟାୟରେ ଫେରସ୍ତ କରିଛନ୍ତି।

ତେବେ, ଏହି ପ୍ରକଳ୍ପର ବକେୟା ୩ ଲକ୍ଷ ଟଙ୍କା ଫେରାଇବାକୁ ଚିଠି ଲେଖିଥିବା ବେଳେ ସେ ଅନୁଦାନ ଦେଇଥିବା ସଂସ୍ଥାକୁ ବିନିଯୋଗ ପ୍ରମାଣପତ୍ର ଦେଇଥିବା କହିଥିଲେ। ସିଣ୍ଡିକେଟ ବୈଠକରେ ତାଙ୍କ ସମୟରେ ହୋଇଥିବା ସବୁ କାର୍ଯ୍ୟର ସ୍ବତନ୍ତ୍ର ଅଡିଟ୍‌ କରାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ସିଣ୍ଡିକେଟ୍‌ ବୈଠକର ଏହି ନିଷ୍ପତ୍ତି ଆଧାରରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଜିଲ୍ଲା ଅଡିଟ୍ ଅଧିକାରୀ, ସମ୍ବଲପୁରଙ୍କୁ ସ୍ବତନ୍ତ୍ର ଅଡିଟ୍ କରାଇବା ନିମନ୍ତେ ଅନୁରୋଧ କରାଯାଇଥିଲା। ବିଳମ୍ବରେ ହେଲେ ମଧ୍ୟ ଇତିମଧ୍ୟରେ ଅଡିଟ୍ ଆରମ୍ଭ ହୋଇଛି। ୨ ଜଣ ଅଧିକାରୀ ବିଶ୍ବବିଦ୍ୟାଳୟରେ ପରିସରରେ ଅବସ୍ଥାନ କରି ସବୁ ଆର୍ଥିକ କାରବାର ଅଡିଟ୍ କରୁଛନ୍ତି। ଆର୍ଥିକ କାରବାର ସମୟରେ ସରକାରୀ ନୀତି ନିୟମର ପାଳନ କରାଯାଇଛି କି ନାହିଁ, ଜିନିଷର ବଜାର ମୂଲ୍ୟ ସହିତ ସମାନ ରହିଛି ନା’ ଅଧିକ ଦରରେ କିଣାଯାଇଛି ? ସେସବୁ ଯାଂଚ କରାଯାଉଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ।