ସମ୍ବଲପୁର ବିଶ୍ବବିଦ୍ୟାଳୟ ଦୁର୍ନୀତି: ଉଚ୍ଚଶିକ୍ଷା ବିଭାଗର ଜବାବ ତଲବ

ମିତ୍ତଲଙ୍କ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଜଣାଅ

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ସଂପର୍କରେ ଜବାବ ତଲବ କରିଛି ଉଚ୍ଚଶିକ୍ଷା ବିଭାଗ। ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଆଜି ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ପତ୍ର ଲେଖିଛନ୍ତି।

ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ବୀରେନ୍ଦ୍ର କୋର୍‌କୋରା ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ଚିଠି(୩୯୫୧୫/୧୭.୯.୨୨)ଲେଖି ପଚାରିଛନ୍ତି ଯେ ପ୍ର‌ଫେସର ମିତ୍ତଲଙ୍କ ବିରୋଧରେ ଆର୍ଥିକ ଅନିୟମିତତା ପ୍ରସଂଗରେ ଆପରାଧିକ ମାମଲା ରୁଜୁ ହୋଇଛି କି ? ପ୍ରଫେସର ମିତ୍ତଲଙ୍କଠାରୁ ଅର୍ଥ ଭରଣା ପାଇଁ କୌଣସି ପଦକ୍ଷେପ ନିଆଯାଇଛି କି ? ଏହି ଚିଠିକୁ ଅତ୍ୟନ୍ତ ଜରୁରୀ ମନେକରି ରିପୋର୍ଟ ଦେବାକୁ କୁଳସଚିବଙ୍କୁ କୁହାଯାଇଛି।
ବିବାଦୀୟ ହୋଇ ପଡ଼ିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ସଂପର୍କରେ ପୂର୍ବରୁ ସରକାର ନିରବତା ଅବଲମ୍ବନ କରିଆସୁଥିଲେ। ଏହାକୁ ନେଇ ପୂର୍ବତନ ସିଣ୍ଡିକେଟ ସଦସ୍ୟ, ସିନେଟ ସଦସ୍ୟ ଓ ଆଇନଜୀବୀମାନେ ପ୍ରଶ୍ନ ଉଠାଇଥିଲେ। ପ୍ରଫେସର ମିତ୍ତଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବାରଂବାର ଚିଠି ଲେଖି ଦାବି କରିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଆସନ୍ତା ୨୬ ତାରିଖରୁ ବିଶ୍ବବିଦ୍ୟାଳୟ ପରିସରରେ ଦିବାରାତ୍ରି ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଥିଲା। ଏହା ପରେ ସରକାର ଚାପରେ ଆସିବା ସହିତ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ତନାଘନା ଆରମ୍ଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସ୍ବଚ୍ଛ ବିଦ୍ୟାଳୟ ପ୍ରକଳ୍ପ ଅଭିଯାନ ପାଣ୍ଠିର ପ୍ରାୟ ୨୯ ଲକ୍ଷ ଟଙ୍କା ପ୍ରଫେସର ମିତ୍ତଲ ନିଜ ପତ୍ନୀ ଓ ପୁତ୍ରଙ୍କ ବ୍ୟାଙ୍କ୍‌ ଖାତାକୁ ସ୍ଥାନାନ୍ତର କରିଥିବା ନେଇ ଅଭିଯୋଗ ହେବା ପରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ କୋର୍‌କୋରାଙ୍କ ନେତୃତ୍ବରେ ଏକ ଟିମ୍ ତଦନ୍ତ ପାଇଁ ସମ୍ବଲପୁର ବିଶ୍ବବିଦ୍ୟଳୟକୁ ଆସିଥିଲେ। ଏହି ଟିମ୍‌ ନିଜ ତଦନ୍ତ ରିପୋର୍ଟ ରାଜ୍ୟପାଳ ତଥା କୁଳାଧିପତିଙ୍କ ଦପ୍ତରକୁ ଦେବା ପରେ ସରକାରୀ ଚାପ ଯୋଗୁଁ ପ୍ରଫେସର ମିତ୍ତଲ ଗତ ଜୁଲାଇ ୨୫ରୁ ୩ଟି ପର୍ଯ୍ୟାୟରେ ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଛୁଟି ନେଇଥିଲେ। ତେବେ, ଗତ ୨୮ ତାରିଖରେ କିନ୍ତୁ, ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କୁଳାଧିପତିଙ୍କୁ ଇସ୍ତଫା ପତ୍ର ପଠାଇଥିଲେ। ଗତ ୨୫ ଜାନୁଆରି ୨୦୨୧ରେ କୁଳପତି ଦାୟିତ୍ବ ନେଇଥିବା ପ୍ରଫେସର ମିତ୍ତଲ ଆରମ୍ଭରୁ ବିବାଦ ମଧ୍ୟରେ ଛନ୍ଦି ହୋଇପଡ଼ିଥିଲେ। ବହୁ ବର୍ଷ ଧରି ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରି ଆସୁଥିବା ଅନେକ ସ୍ବଳ୍ପବେତନ‌‌ଭୋଗୀ ଚୁକ୍ତିଭିତ୍ତିକ କର୍ମଚାରୀ ସେମାନଙ୍କ ଚାକିରି ହରାଇଥିଲେ। ବିଶ୍ବବିଦ୍ୟାଳୟର ଶୈକ୍ଷିକ ବାତାବରଣ ବି ଗୁରୁତର ପ୍ରଭାବିତ ହୋଇଥିଲା। ବିଶ୍ବବିଦ୍ୟାଳୟ ପୁସ୍ତକ କିଣାରେ ହେରଫେର, ସମାବର୍ତ୍ତନ ଉତ୍ସବରେ ଶିଳ୍ପୋଦ୍ୟୋଗୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ, ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦତ୍ତ ସ୍ବର୍ଣ୍ଣପଦକରେ ସୁନାର ପରିମାଣ ଓ ଶୁଦ୍ଧତା କମ୍ ରହିବା ସମତେ ଅନେକ ଅନିୟମିତତା ଅଭିଯୋଗ ଆସିଥିଲା। ପ୍ରଫେସର ମିତ୍ତଲଙ୍କ ସମୟ ହୋଇଥିବା ସବୁ କାର୍ଯ୍ୟର ବିଧିବଦ୍ଧ ତଦନ୍ତ କରିବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର