ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ ଅବସରରେ ବିଶିଷ୍ଟ ହିନ୍ଦୀ କବି ଡ. ବିଶ୍ବନାଥ ପ୍ରସାଦ ତିୱାରୀଙ୍କୁ କବିତା ପାଇଁ ଗଂଗାଧର ଜାତୀୟ ସମ୍ମାନ ପ୍ରଦାନ କରା ଯାଇଥିଲା। ପୁରସ୍କାର ବାବଦକୁ ଡ. ତିୱାରୀଙ୍କୁ ମାନପତ୍ର, ଉପଢୌକନ, ଉତ୍ତରୀୟ ଓ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ସମ୍ମାନର ଉତ୍ତରରେ କେନ୍ଦ୍ର ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ଡ.ତିୱାରୀ କହିଲେ, ମୋ ଜାଣିବାରେ ଦେଶର କ୍ବଚିତ୍‌ ବିଶ୍ବବିଦ୍ୟାଳୟରେ କବିତା ପାଇଁ ଏତେ ବଡ଼ ଜାତୀୟ ସମ୍ମାନ ଦିଆ ଯାଉଥିବ। ସମ୍ବଲପୁର ବିଶ୍ବବିଦ୍ୟାଳୟ ଏ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିଛି। ଓଡ଼ିଆ କବି ଗଂଗାଧର ମେହେର ହିନ୍ଦୀ କବି ଭାରତେନ୍ଦୁ ହରିଶ୍ଚନ୍ଦ୍ରଙ୍କ ସମକାଳୀନ। ଓଡ଼ିଆ ଭା‌ଷାର ସମୃଦ୍ଧିରେ ଗଂଗାଧରଙ୍କ ଅବଦାନ ଅତୁଳନୀୟ ବୋଲି ଡ. ତିୱାରୀ କହିଥିଲେ। ସାଂପ୍ରତିକ ଘଟଣାବଳୀ ଉପରେ ନିଜ ମତ ରଖି ସେ କହିଲେ, ସାରା ବିଶ୍ବ ଏବେ ହିଂସାରେ ପୀଡ଼ିତ। ଆଉ କବିତା ସବୁବେଳେ ହିଂସା ବିରୋଧରେ ଛିଡ଼ା ହୁଏ। ବିଶ୍ବର ସବୁଠୁ ପ୍ରାଚୀନ କବିତା ବି ହିଂସା ବିରୋଧରେ ଥିଲା। ଏକ ପକ୍ଷୀର ହତ୍ୟା ବିରୋଧରେ ବେଦନା ପ୍ରକଟ କରିଥିଲା ବୋଲି ସେ ମତ ଦେଇଥିଲେ। ତେବେ ପ୍ରତି ବର୍ଷ ଜାତୀୟ ସମ୍ମାନ ପାଉଥିବା ଅତିଥି କବିଙ୍କୁ ଉତ୍ସବରେ ମଞ୍ଚାସୀନ କରାଯାଉଥିବାବେଳେ ଏଥର ସେଥିରେ ବ୍ୟତିକ୍ରମ ହୋଇ ଥିବାରୁ କିଛି ବୁଦ୍ଧିଜୀବୀ ପ୍ରତିକ୍ରିୟା ପ୍ରକାଶ କରିଥିଲେ।

Advertisment

ଏହି ଅବସରରେ ବାନ୍ଧକଳା କ୍ଷେତ୍ରରେ ଉତ୍କର୍ଷ ପାଇଁ ସୋନପୁରର ବାନ୍ଧକଳ ଓ ବୟନ ଶିଳ୍ପୀ ପ୍ରହଲ୍ଲାଦ ମେହେରଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରା ଯାଇଥିଲା। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ବିଶ୍ବବିଦ୍ୟାଳୟର ଛାତ୍ର ‌ଏହେସାସ୍‌ ହୋତାଙ୍କୁ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବଲପୁର ବିଶ୍ବବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ
ସମ୍ବଲପୁର : ଆମ ରାଜ୍ୟର ବିଶ୍ବବିଦ୍ୟାଳୟଗୁଡ଼ିକର ଭିତ୍ତି ଅତି ସୁଦୃଢ଼। ଆମ ନିକଟରେ ନିଜକୁ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ ଭାବରେ ଗଢ଼ିବାର ପର୍ଯ୍ୟାପ୍ତ ସୁଯୋଗ ଓ ସମ୍ଭାବନା ରହିଛି। ଗୁରୁବାର ସମ୍ବଲପୁର ବିଶ୍ବବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଏହା କହିଛନ୍ତି।

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥିଭାବେ ଗଂଗାଧର ମେହେର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅତନୁ କୁମାର ପତି, ଅନ୍ୟତମ ସମ୍ମାନିତ ଅତିଥି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ (ଓଏସ୍‌ଓୟୁ)ର କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ର ଯୋଗ ଦେଇଥିଲେ। ପିଜି କାଉନ୍‌ସିଲ ଅଧ୍ୟକ୍ଷ ପ୍ରଫେସର ଅର୍କକୁମାର ଦାସମହାପାତ୍ର ଅତିଥି ପରି‌ଚୟ ପ୍ରଦାନ କରିଥିବା ବେଳେ କୁଳସଚିବ ପ୍ରଫେସର ସଂଜତ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିବା ସହ ଧନ୍ୟବାଦ ଦେଇଥିଲେ।