ସମ୍ବଲପୁର ବିଶ୍ବବିଦ୍ୟାଳୟ କାର୍ଯ୍ୟରେ ଅବହେଳା: ସହକାରୀ ଯନ୍ତ୍ରୀ ପୁଣି ନିଲମ୍ବିତ, ଚତୁର୍ଥ ଶ୍ରେଣୀ କର୍ମଚାରୀ ବହିଷ୍କୃତ    

ବୁର୍ଲା: ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଶାସନ ଏବେ କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀ/କର୍ମଚାରୀଙ୍କ ବି‌ରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଶ୍ବବିଦ୍ୟାଳୟର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ମହାନ୍ତିଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ବ‌େଳେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମକାରୁ ପାଇକଙ୍କୁ ବହିଷ୍କାର କରାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ମହାନ୍ତିଙ୍କୁ କ୍ରମାଗତ ଭାବେ ନିଜ କର୍ତ୍ତବ୍ୟ ସଂପାଦନରେ ଅବହେଳା କରି ଆସୁଥିଲେ। ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର କିଛି ଦିନ ପୂର୍ବରୁ କାର୍ଯ୍ୟରେ ଅବହେଳା କରିଥିବାରୁ ତତ୍କାଳୀନ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ। ଏହା ସତ୍ତ୍ବେ ତାଙ୍କ କାର୍ଯ୍ୟରେ ସୁଧାର ଆସିନଥିଲା। ବାରଂବାର ଏଭଳି ଅବହେଳା କରୁଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା।

ଏଥି ସହିତ ଗତ ବୁଧବାର ଦିନ ତାଙ୍କୁ ଚାକିରିରୁ ପୁଣି ଥରେ ନିଲମ୍ବନ କରାଯାଇଛି। ସେହିପରି ନିୟମିତ ଚତୁର୍ଥ ଶ୍ରେଣୀ କର୍ମଚାରୀ ମକାରୁ ପାଇକଙ୍କୁ ତାଗିଦ୍ ସତ୍ବେ ବାରମ୍ବାର ନିଶାଗ୍ରସ୍ତ ଅବସ୍ଥାରେ ଡ୍ୟୁଟିକୁ ଆସୁଥିବାରୁ ଚାକିରିରୁ ବହିଷ୍କାର କରାଯାଇଛି। ଏ ସଂପର୍କରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳସଚିବ ଡ. ନୃପରାଜ ସାହୁଙ୍କୁ ପଚାରିବାରୁ ସେ କହିଲେ, ବାରମ୍ବାର କାର୍ଯ୍ୟରେ ଅବହେଳାର ଅଭିଯୋଗ ଆସିବାରୁ ଶ୍ରୀ ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ୍ ସହିତ ନିଲମ୍ବନ କରାଯାଇଛି। ଶ୍ରୀ ପାଇକ ଡ୍ୟୁଟି ସମୟରେ ସର୍ବଦା ନିଶାଗ୍ରସ୍ତ ଅବସ୍ଥାରେ ଆସୁଥିଲେ। ତାଙ୍କୁ ଅନେକ ଥର ତାଗିଦ କରାଯାଇଥିଲା। ଏପରିକି ଚେତାବନୀ ବି ଦିଆଯାଇଥିଲା। ସେ ଅନେକ ଥର ଏଥିପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିଲା। ତେଣୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ବୋଲି କୁଳସଚିବ ଡ. ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର