ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଏକ୍ସଜ୍ୟୁକ୍ୟୁଟିଭ୍ ଆସିଷ୍ଟାଣ୍ଟ ପଦରେ କାର୍ଯ୍ୟରତ ୩୨ ଜଣ କର୍ମଚାରୀଙ୍କ ନିଯୁକ୍ତିକୁ ସ୍ଥାୟୀ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ମଙ୍ଗଳବାର ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଖାରଜ କରାଯାଇଛି। ଏହି ୩୨ଟି ପଦବିରୁ ୮ ଟି ପଦବିକୁ ପୂର୍ବରୁ ଓଡିଶା ହାଇକୋର୍ଟ ବେଆଇନ୍ ଘୋଷିତ କରି ସ୍ଥାୟୀ ପ୍ରସ୍ତାବକୁ ଖାରଜ କରିଥିଲେ। ବଳକା ୨୪ ଜଣଙ୍କ ମାମଲା ହାଇକୋର୍ଟରେ ଏବେ ବି ବିଚାରାଧୀନ ଥିବା ସମୟରେ ରାଜ୍ୟ ସରକାର ଏହାକୁ ମଧ୍ୟ ବେଆଇନ୍ ଘୋଷିତ କରି ସ୍ଥାୟୀ ନିଯୁକ୍ତି ପ୍ରସ୍ତାବକୁ ଖାରଜ କରିଛନ୍ତି। ଏହାସହିତ ସମସ୍ତ ୪୧ଟି ପଦବିରେ ଜୁନିଅର ଆସିଷ୍ଟାଣ୍ଟ ନାମରେ ନିଯୁକ୍ତି ଦେବାକୁ ମଧ୍ୟ ଚିଠିରେ ଉଲ୍ଳେଖ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଉପ ସଚିବ ଲକ୍ଷ୍ମୀଧର ମହାନ୍ତି ଏନେଇ ବିଶ୍ବବିଦ୍ୟାଳୟକୁ ଚିଠି ସଂଖ୍ୟା ୮୪୫୯/ଏଚ୍ଇ, ତା ୧୦/୦୯/୧୯ ଯୋଗେ ସୂଚନା ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ବିଶ୍ବବିଦ୍ୟାଳୟ ପକ୍ଷରୁ ୨୦୧୩ ମସିହା ଡିସେମ୍ବର ୧୮ ତାରିଖରେ ଚିଠି ସଂଖ୍ୟା ୧୨୨୨୪ ଯୋଗେ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବକୁ ୨୦୧୪ ମସିହା ଜାନୁଆରି ୧୦ ତାରିଖରେ ସରକାର ଖାରଜ କରିଥିଲେ। ତେଣୁ ସରକାରୀ ଦସ୍ତାବିଜ୍ ଅନୁଯାୟୀ ଖାଲି ପଡ଼ିଥିବା ସମସ୍ତ ୪୧ ଜୁନିଅର ଆସିଷ୍ଟାଣ୍ଟ ପଦବିକୁ ଓଡିଶା ବିଶ୍ବବିଦ୍ୟାଳୟ ନିଯୁକ୍ତି ଓ ଅଣ ଶିକ୍ଷକ କର୍ମଚାରୀଙ୍କ ପଦୋନ୍ନତି ଆଇନ୍ ୧୯୯୧ ଅନୁସାରେ ପୂରଣ କରିବାକୁ ମଧ୍ୟ ଚିଠିରେ ନିର୍ଦେଶ ଦିଆଯାଇଛି। ସରକାରଙ୍କ ବିନା ଅନୁମତିରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିୟମର ଉଲ୍ଲଂଘନ କରି ୪୧ଟି ଏକ୍ସଜ୍ୟୁକ୍ୟୁଟିଭ୍ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ଦେଇଥିଲେ। ବର୍ତ୍ତମାନ ନିଯୁକ୍ତି ପାଇ ଦୀର୍ଘ ୧୨ ବର୍ଷ ହେବ ଅସ୍ଥାୟୀ ଭାବେ ୭ ହଜାର ଶହେ ଟଙ୍କା ଦରମାରେ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଏହି କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ହାଇକୋର୍ଟ ଓ ରାଜ୍ୟ ସରକାର ଏହି ପଦର ସ୍ଥାୟୀ ପ୍ରସ୍ତାବକୁ ଖାରଜ କରିବା ପରେ କାର୍ଯ୍ୟରତ କର୍ମଚାରୀମାନେ ଚିନ୍ତାରେ ପଡ଼ିଛନ୍ତି। ପରବର୍ତ୍ତୀ ପଦକ୍ଷେପ ନେଇ ବିଶ୍ବବିଦ୍ୟାଳୟ ଉପ କୁଳସଚିବ ଶ୍ୟାମାପ୍ରସାଦ ରାଉତଙ୍କୁ ଯୋଗାଯୋଗ କରାଯିବାରେ ଆଗାମୀ ସିଣ୍ଡିକେଟ ବୈଠକରେ ଏସଂକ୍ରାନ୍ତୀୟ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ। ବିଶ୍ବବିଦ୍ୟାଳୟରେ ଥିବା ୪୫ଟି ଜୁନିଅର ଆସିଷ୍ଟାଣ୍ଟ ପଦ ପୂରଣ କରିବା ପାଇଁ ୨୦୦୮ ମସିହା ଜୁନ୍ ୨୪ ତାରିଖରେ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ବସି ଏକଜ୍ୟୁକ୍ୟୁଟିଭ୍ ଆସିଷ୍ଟାଣ୍ଟ ନାମରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ନେଇ ନିଷ୍ପତ୍ତି ହୋଇଥିଲା। କିନ୍ତୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ଉଲ୍ଲଂଘନ କରି ଚୁକ୍ତିଭିତ୍ତିକ ଭାବେ ଏକୁଜ୍ୟୁକ୍ୟୁଟିଭ୍ ଆସିଷ୍ଟାଣ୍ଟ ପଦ ପୂରଣ କରିଥିଲେ। ପ୍ରଥମେ ବିଶ୍ବବିଦ୍ୟାଳୟ ଏକ ବର୍ଷ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ନେଇ ବିଜ୍ଞାପନ ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ଚୁକ୍ତିକୁ ବୃଦ୍ଧି କରାଯାଇଛି। କିନ୍ତୁ ଏଭଳି ଅସ୍ଥାୟୀ ନିଯୁକ୍ତି ଏକ ବର୍ଷ ପାଇଁ ହୋଇପାରେ କିନ୍ତୁ ସ୍ଥାୟୀ ପାଇଁ ନୁହେଁ ବୋଲି ରାଜ୍ୟ ସରକାରଙ୍କ ଚିଠିରେ ଉଲ୍ଳେଖ ରହିଛି। କେବଳ ଏହା ନୁହେଁ ବରଂ ୧ ବର୍ଷ ଚୁକ୍ତି ଭିତ୍ତିକ ନିମେନ୍ତ ସେତେବେଳେ ବିଜ୍ଞାପନ ପ୍ରକାଶ ପାଇଥିବାରୁ ଅନେକ ଯୋଗ୍ୟ ବ୍ୟକ୍ତି ଏଥିରେ ଆବେଦନ ମଧ୍ୟ କରିନଥିବେ ବୋଲି ମଧ୍ୟ ଏଥିରେ ଉଲ୍ଲେଖ ରହିଛି। ଏହାସହିତ ବିଶ୍ବବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ଏହି ନିଯୁକ୍ତି ଅର୍ଥ ବିଭାଗର ଜ୍ଞାତସାରରେ ହୋଇନଥିବା ମଧ୍ୟ ସ୍ପଷ୍ଟ ଭାବେ ଲେଖାଯାଇଛି।