ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପଦ ପାଇଁ ବିଜ୍ଞପ୍ତି: ଅକ୍ଟୋବର ୨୫ ଯାଏ ଆବେଦନ

ଭୁବନେଶ୍ବର : ସମ୍ବଲପୁର ବିଶ୍ବବିଦ୍ୟାଳୟର ନୂତନ କୁଳପତି ଚୟନ ନେଇ ଗୁରୁବାର ଦିନ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି ସମ୍ମାନଜନକ ପଦବି ପାଇଁ ଆଗ୍ରହୀ ଥିବା ପ୍ରଫେସର୍‌ମାନେ ଅକ୍ଟୋବର ୨୫ ମଧ୍ୟରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନ ଲାଗି ଜଣେ ପ୍ରଫେସର୍‌ ଦେଶର କୌଣସି ବିଶ୍ବବିଦ୍ୟାଳୟ ତଥା ସମାନ ଯୋଗ୍ୟତା ଥିବା ଗବେଷଣା ଅନୁଷ୍ଠାନ, ଏକାଡେମିକ ସଂସ୍ଥାରେ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ଅଧ୍ୟାପନା ସହ ପ୍ରଶାସନିକ ଦକ୍ଷତା ରହିଥିବା ଦରକାର। ଆବେଦନକାରୀଙ୍କ ବୟସ ଡିସେମ୍ବର ପହିଲା ସୁଦ୍ଧା ସର୍ବାଧିକ ୬୩ ବର୍ଷ ହୋଇଥିବା ଆବଶ୍ୟକ।

କୁଳପତିଙ୍କୁ ମାସିକ ୨ଲକ୍ଷ ୧୦ ହଜାର ଟଙ୍କାର ଦରମା ସହ ୧୧ହଜାର ୨୫୦ ଟଙ୍କା ସ୍ବତନ୍ତ୍ର ଭତ୍ତା ଦିଆଯିବ। ଏହାବ୍ୟତୀତ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଭତ୍ତା ମିଳିବ। କୁଳପତିଙ୍କ କାର୍ଯ୍ୟକାଳ ୪ବର୍ଷ ହେବ। କାର୍ଯ୍ୟରେ ଯୋଗଦେବା ଦିନଠାରୁ ଏହାକୁ ଗଣନା କରାଯିବ, ନହେଲେ ସର୍ବାଧିକ ୬୭ ବର୍ଷ ବୟସ ପର୍ଯ୍ୟନ୍ତ କୁଳପତି ପଦରେ ରହିପାରିବେ। ଆଶାୟୀ ପ୍ରଫେସର ବିଭାଗ ୱେବ୍‌ସାଇଟ୍‌ ଲଗ୍‌-ଇନ୍‌ କରି ସବିଶେଷ ତଥ୍ୟ ପାଇପାରିବେ। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ସେଗୁଡ଼ିକୁ ଯାଞ୍ଚ କରାଯାଇ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ ହେବ। କୁଳପତି ଚୟନ ଲାଗି ଏକ ଚୟନ କମିଟି ଗଠନ କରାଯିବ। ଏହି କମିଟିର ସଦସ୍ୟମାନେ ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସର୍‌ଙ୍କ ସାକ୍ଷାତକାର ନେବା ପରେ ୩ ଜଣଙ୍କ ନାଁ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ପଠାଇବେ। ଉକ୍ତ ୩ଜଣଙ୍କ ସାକ୍ଷାତକାର ନେବା ପରେ ରାଜ୍ୟପାଳ ଜଣଙ୍କୁ କୁଳପତି ଭାବେ ଚୟନ କରିବେ।

ସମ୍ବନ୍ଧିତ ଖବର