ସମ୍ବଲପୁର : ଗୋଟିଏ କି ଦୁଇଟି ନୁହେଁ, ୮୦ ନମ୍ବରର ପ୍ରଶ୍ନପତ୍ରରେ ପ୍ରାୟ ୫୦ଟି ତ୍ରୁଟି। ଉତ୍ତର ଖାତାରେ ‌ନୁହେଁ ପ୍ରଶ୍ନ ପତ୍ରରେ ବୁଲା ହୋଇଛି ଅସଂଖ୍ୟ ନାଲି ଗାର। ଏଭଳି ବିକୃତ ପ୍ରଶ୍ନପତ୍ର ଏବେ ଘୂରି ବୁଲୁଛି ମୋବାଇଲ୍‌ରୁ ମୋବାଇଲ୍‌କୁ। ଚର୍ଚ୍ଚାରେ ଥିବା ଏହି ପ୍ରଶ୍ନ ପତ୍ରଟି କୌଣସି ‌‌ଅନାମଧେୟ ଶିକ୍ଷାନୁଷ୍ଠାନର ନୁହେଁ। ଏହା ହେଉଛି ରାଜ୍ୟରେ ଉଚ୍ଚ ଶିକ୍ଷାର ଆଲୋକ ବର୍ତ୍ତିକା କୁ‌ହାଯାଉଥିବା ତିନି ପୁରାତନ ବିଶ୍ବବିଦ୍ୟାଳୟ ମଧ୍ୟରୁ ଗୋଟିଏର।

Advertisment

ଗୁରୁବାର ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନସ୍ଥ ମହାବିଦ୍ୟାଳୟଗୁଡ଼ିକରେ +୩ ଓଡ଼ିଆ ପଞ୍ଚମ ସେମିଷ୍ଟର୍‌ ଦ୍ବାଦଶ ପତ୍ର ପରୀକ୍ଷା ଥିଲା। ବିଭିନ୍ନ ମହାବିଦ୍ୟାଳୟରେ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲା ହୋଇ ପରୀକ୍ଷାର୍ଥୀଙ୍କୁ ବଣ୍ଟା ହେବା ପରେ ପରୀକ୍ଷାର୍ଥୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏତେ ଭୁଲ ଯେ ପିଲାମାନେ ଉତ୍ତର କଣ ଲେଖିବେ ଜାଣି ପାରି ନଥିଲେ। ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ଦାୟିତ୍ବରେ ଥିବା ଅଧ୍ୟାପକମାନଙ୍କୁ ଜଣାଇଥିଲେ। ଏହାପରେ ଏହା ସମସ୍ତଙ୍କ ନଜରକୁ ଆସିଥିଲା। ଯେନତେନ ପ୍ରକାରେ ପରୀକ୍ଷା ଶେଷ ହେଲା। କିନ୍ତୁ ପ୍ରଶ୍ନପତ୍ରକୁ ନେଇ ଚର୍ଚ୍ଚା ଚାରିଆଡ଼େ ଆରମ୍ଭ ହୋଇଗଲା। ସମ୍ବଲପୁର ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ବିଭିନ୍ନ ଜିଲ୍ଲାର ଶତାଧିକ କଲେଜ୍, ହଜାର ହଜାର ପିଲା, ଶହ ଶହ ଅଧ୍ୟାପକ ସମସ୍ତେ ସେହି ପ୍ରଶ୍ନପତ୍ର ବିଷୟରେ ହିଁ ଆଲୋଚନା କଲେ। କ୍ରମେ ତାହା ସାଧାରଣ ଲୋକ ଓ ଗଣମାଧ୍ୟମ ନିକଟରେ ବି ପହଞ୍ଚିଗଲା।

ଏ ସଂପର୍କରେ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ରବୀନ୍ଦ୍ର ପାଣିଗ୍ରାହୀ କହିଛନ୍ତି ଯେ, ଏହି ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିବା ଓ ଏହାର ଯାଞ୍ଚ କରିଥିବା ଦୁଇ ଜଣ ଅଧ୍ୟାପକ ପେପର୍‌ ସେଟର୍‌ (ପ୍ରଶ୍ନପତ୍ର ପ୍ରସ୍ତୁତକାରୀ) ଓ ମୋଡରେଟର୍‌ (ଯାଞ୍ଚକର୍ତ୍ତା)ଙ୍କୁ ଏହି କାର୍ଯ୍ୟରୁ ଆଜୀବନ ବାସନ୍ଦ କରାଯାଇଛି। ଏକ କମିଟି ଗଠନ କରି ଏହି ପ୍ରଶ୍ନପତ୍ର ତ୍ରୁଟି ଉପରେ ଯାଞ୍ଚ କରିବାକୁ ଦାୟିତ୍ବ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ତାହା କୁଳପତିଙ୍କୁ ପ୍ରଦାନ କରାଯିବ। କୁଳପତି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ତେବେ, କେଉଁ ଦୁଇ ଜଣ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ସେ ସଂପର୍କରେ କିଛି କହିବାକୁ ପରୀକ୍ଷା ନିୟନ୍ତ୍ରକ ମନା କରି ଦେଇଛନ୍ତି।

ସୂଚନାଯୋଗ୍ୟ, ବିଶ୍ବବିଦ୍ୟାଳୟ ବୋର୍ଡ ଅଫ୍ ଷ୍ଟଡିଜ୍‌ରେ କିଏ ପ୍ରଶ୍ନପତ୍ର ତିଆରି କରିବ, କିଏ ତାକୁ ଯାଞ୍ଚ କରିବ ଏହା ନିଷ୍ପତ୍ତି ହୋଇଥାଏ। ଏହି ଦାୟିତ୍ବ ସାଧାରଣତଃ ବିଶ୍ବବିଦ୍ୟାଳୟ ଅଧୀନସ୍ଥ ମହାବିଦ୍ୟାଳୟ ଗୁଡ଼ିକର ସଂପୃକ୍ତ ବିଭାଗୀୟ ଅଧ୍ୟାପକଙ୍କ ମଧ୍ୟରୁ ଜଣକୁ ଦିଆ ଯାଇଥାଏ। ତାକୁ ଯାଞ୍ଚ କରିବାକୁ ଆଉ ଜଣେ ବରିଷ୍ଠ ଅଧ୍ୟାପକଙ୍କୁ ମୋଡରେଟର୍ ଭାବେ ନିଯୁକ୍ତି ଦିଆ ଯାଇଥାଏ। ତେଣୁ ଏହି ଦାୟିତ୍ବରେ ଥିବା ଉଭୟ ଅଧ୍ୟାପକ ପ୍ରଶ୍ନପତ୍ର ପ୍ରସ୍ତୁତି ଓ ଯାଞ୍ଚରେ ଚରମ ଅଜ୍ଞତା, ଅବହେଳା ଓ ବେପରୁଆ ମନୋଭାବ ପୋଷଣ କରିଛନ୍ତି ବୋଲି ଆଲୋଚନା ହେଉଛି। ଏଭଳି ଲୋକଙ୍କ ଯୋଗୁଁ ବିଶ୍ବବିଦ୍ୟାଳୟର ସମ୍ମାନହାନି ହୋଇଥିବା ଓ ଓଡ଼ିଆ ଭାଷା ବିଭାଗର ଅଧ୍ୟାପନା ସମୂହ ଲଜ୍ଜିତ ଅନୁଭବ କରିଥିବା ଅନେକ ଅଧ୍ୟାପକ ନିଜ ନାମ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି।