ବୁର୍ଲା: ଗତକାଲି ପ୍ରଶ୍ନପତ୍ର ପ୍ରଘଟ ହେବା ନେଇ ଅସ୍ବୀକାର କରିଥିଲେ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ହେଲେ, ଆଜି ଘଟଣାର ପୁନରାବୃତ୍ତି ହେବା ପରେ ସତ ମାନିଛନ୍ତି। ପରୀକ୍ଷା ପୂର୍ବରୁ ଯୁକ୍ତ ୩ ଶିକ୍ଷା(ଏଜୁକେସନ୍) ବିଷୟ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଆଜି ପରୀକ୍ଷା ବାତିଲ କରିଛନ୍ତି। ଏଥି ସହିତ ଘଟଣାର ତଦନ୍ତ ପାଇଁ ୩ ଜଣିଆ ଏକ କମିଟି ବି ଗଠନ କରାଯାଇଛି। ତେବେ, ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହ ଖେଳୁଥିବା ନେଇ ଅଭିଯୋଗ ହୋଇଛି। ବିଶ୍ବବିଦ୍ୟାଳୟର ଏଭଳି ଖାମଖାଅଲି ନୀତିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ବୁଧବାର ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଷଷ୍ଠ ସେମିଷ୍ଟର ପଦାର୍ଥ ବିଜ୍ଞାନ ସମ୍ମାନର ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍ ପରୀକ୍ଷା ଥିଲା। ପରୀକ୍ଷା ପୂର୍ବରୁ ଏହାର ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଅଭିଯୋଗ ଆସିଥିଲା। ସମ୍ବଲପୁର ବିଶ୍ବବିଦ୍ୟାୟ କର୍ତ୍ତୃପକ୍ଷ ଏହାକୁ ଗୁଜବ ବୋଲି କହି ଏଡ଼େଇ ଯାଇଥିଲେ। ତେବେ, ଆଜି ସମ୍ବଲପୁର ବିଶ୍ଵବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ପାଖକୁ ଖବର ସକାଳ ୯ଟା ୪୩ ସମୟରେ ଏଜୁକେସନ୍ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୂଚନା ମିଳିଥିଲା। ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ତାଙ୍କ ପାଖରେ କୌଣସି ସୂତ୍ରରୁ ପହଂଚିବା ପରେ ସେ ତୁରନ୍ତ ବିଶ୍ଵବିଦ୍ୟାଳୟର ଗୋପନୀୟ ବିଭାଗ(କନ୍ଫିଡେନ୍ସିଆଲ)କୁ ସୂଚିତ କରିଥିଲେ। ଏହି ବିଭାଗ ଭାଇରାଲ ପ୍ରଶ୍ନପତ୍ର ଓ ଆଜି ହେବାକୁ ଥିବା ପରୀକ୍ଷାର ପ୍ରଶ୍ନପତ୍ର ମିଳାଇ ଦେଖିଥିଲେ। ଉଭୟ ପ୍ରଶ୍ନପତ୍ର ସମାନ ଥିବା ଜାଣିବା ପରେ ତୁରନ୍ତ ପରୀକ୍ଷା ନିୟନ୍ତ୍ରକଙ୍କୁ ଏନେଇ ଅବଗତ କରିଥିଲେ। ଫଳରେ ୧୦ଟା ୦୧ ସମୟରେ ପରୀକ୍ଷା ନିୟନ୍ତ୍ରକ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ୨୦୫ଟି କଲେଜକୁ ସୂଚନାଦେଇ ପରୀକ୍ଷା ବାତିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଛାତ୍ରଛତ୍ରୀମାନେ ଆଜି ହେବାକୁ ଥିବା ପରୀକ୍ଷାରୁ ବଂଚିତ ହେଇଥିଲେ। କିନ୍ତୁ, ପ୍ରଶ୍ନପତ୍ର ଲିକ୍ ହେବା ଦ୍ବାରା ଅନେକ ମେଧାବୀ ଛାତ୍ର ନିରାଶ ହୋଇପଡ଼ିଛନ୍ତି।
ପ୍ରଶ୍ନପତ୍ର ଲିକ୍ ସଂପର୍କରେ ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ. ରବୀନ୍ଦ୍ର ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଲେ, ପ୍ରଶ୍ନପତ୍ର ମେନ୍ୟୁଷ୍କ୍ରିପ୍ଟ ଲେବେଲ୍ରେ ଲିକ୍ ହୋଇଥିବା ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣାପଡୁଛି। ପ୍ରଶ୍ନପତ୍ର ତିଆରି ଦାୟିତ୍ବ ବିଶ୍ବବିଦ୍ୟାଳୟ ପକ୍ଷରୁ ଜଣେ ବରିଷ୍ଠ ଅଧ୍ୟାପକଙ୍କୁ ଦିଆଯାଇଥାଏ। ଆଜିର ଏହି ବିଷୟର ପ୍ରଶ୍ନପତ୍ର ମଧ୍ୟ ଜଣେ ବରିଷ୍ଠ ଅଧ୍ୟାପକ କରିଥିଲେ। ସେ ଆଗରୁ ମଧ୍ୟ ଅନେକ ଥର ବିଶ୍ଵବିଦ୍ୟାଳୟ ପାଇଁ ପ୍ରଶ୍ନପତ୍ର ତିଆରି କରିଛନ୍ତି। ଦୁର୍ଭାଗ୍ୟର ବିଷୟ ଯେ ପ୍ରଶ୍ନପତ୍ର ସେହିଠାରୁ ଲିକ୍ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି। ଖବର ପାଇବା ପରେ ସେ ସଙ୍ଗେ ସଙ୍ଗେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲଙ୍କୁ ଜଣାଇଥିଲେ। କୁଳପତି ପ୍ରଫେସର୍ ମିତ୍ତଲ ତିନିଜଣିଆ ତଦନ୍ତ କମିଟି ଗଠନ କରି ଯାଞ୍ଚ ରିପୋର୍ଟ୍ ଯଥାଶୀଘ୍ର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଶ୍ନପତ୍ର ତିଆରି କରିଥିବା ଅଧ୍ୟାପକ ଯଦି ଏଥିରେ ଜଡ଼ିତ ଥାଆନ୍ତି, ତେବେ ତାଙ୍କୁ ଭବିଷ୍ୟତରେ ଆଉ କୌଣସି ପ୍ରଶ୍ନପତ୍ର ତିଆରି କରିବାକୁ ଦିଆନଯିବା ସହିତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସ୍ଥିର ହୋଇଛି ବୋଲି ସେ କହିଛନ୍ତି। ଆଜି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇ ପାରିନଥିବାରୁ ଆମେ ଦୁଃଖିତ। ଯଦି, ପରୀକ୍ଷା ହେବାର ତିନି ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଖବର ମିଳିଥିଲେ ବ୍ୟାକ୍ ଅପ୍ ପ୍ଲାନ୍ରେ ପ୍ରସ୍ତୁତ ହୋଇ ରହିଥିବା ପ୍ରଶ୍ନପତ୍ର ଯୋଗାଇ ପରୀକ୍ଷା କରାଯାଇପାରିଥାନ୍ତା। କିନ୍ତୁ, ପରୀକ୍ଷା ସମୟର ମାତ୍ର ୧୫ ମିନିଟ ପୂର୍ବରୁ ସୂଚନା ମିଳିଥିଲା। କିନ୍ତୁ, ଛାତ୍ରଛତ୍ରୀମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆସନ୍ତା ୩/୪ ଦିନ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏହା ସଙ୍ଗେ ଆଉ କେଉଁ କେଉଁ ପ୍ରଶ୍ନପତ୍ର ଲିକ୍ ହୋଇଛି, ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ। କିନ୍ତୁ, ଏଥିରେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/11-10.jpg)
