ସମ୍ବଲପୁର: ‘ମୁଁ ଜଣେ ଛୋଟ ଚାଷୀ। ମାତ୍ର ୨ ଏକର ଜମିରେ ଧାନଚାଷ କରିଥିଲି। ଗତବର୍ଷ ସ୍ବଳ୍ପ ବର୍ଷା ଯୋଗୁଁ ଫସଲ ବରବାଦ ହୋଇଗଲା। ଏଭଳି ସ୍ଥିତି ଉତ୍ପନ୍ନ ହେଲା ଯେ ଚାଷ ଖର୍ଚ୍ଚ ପରିଶୋଧ ଓ ପରିବାର ଚଳାଇବା ପାଇଁ ତେଲେଙ୍ଗାନାସ୍ଥିତ ଇଟାଭାଟି ଯିବାକୁ ବାଧ୍ୟ ହୋଇଛି’। ଏହା କହିଛନ୍ତି ବରଗଡ଼ ଜିଲ୍ଲାର ଜଣେ ଦାଦନ ଶ୍ରମିକ। କେବଳ ଏହି ଜଣେ ଚାଷୀ ନୁହନ୍ତି, କୃଷି କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଶ୍ଚିମ ଓଡ଼ିଶାର ଅନେକ ଚାଷୀଙ୍କୁ ଦାଦନ ଶ୍ରମିକରେ ପରିଣତ କରିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ବାହାର ରାଜ୍ୟକୁ ପଳାୟନ ସେମାନଙ୍କ ପାଇଁ ସୁଯୋଗ ନୁହେଁ, ବରଂ ଦାରିଦ୍ର୍ୟର ମୁକାବିଲା ନିତାନ୍ତ ଆବଶ୍ୟକ ଅଟେ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଠାରେ କୃଷି ଉତ୍ପାଦନ ଏତେ ହ୍ରାସ ପାଉଛି ଯେ ଚାଷୀଙ୍କ ବାର୍ଷିକ ଆୟ ପ୍ରାୟ ୩୯% ହ୍ରାସ ପାଇ ୩୦ ହଜାରରୁ କମରେ ପହଞ୍ଚିସାରିଛି। ସମ୍ବଲପୁର ବିଶ୍ବବିଦ୍ୟାଳୟର (ଉତ୍କର୍ଷ କେନ୍ଦ୍ର) ଆଞ୍ଚଳିକ ବିକାଶ ଓ ଜନଜାତି ଅଧ୍ୟୟନ କେନ୍ଦ୍ର ପକ୍ଷରୁ ଏହି ଅଧ୍ୟୟନ ରିପୋର୍ଟ ଦାଖଲ କରାଯାଇଛି। ବରଗଡ଼ ଏବଂ ବଲାଙ୍ଗୀରର ଦାଦନ ପ୍ରଭାବିତ ୯ ବ୍ଲକ୍ ପଦମପୁର, ପାଇକମାଲ, ଝାରବନ୍ଧ, ଗାଇସିଲେଟ, ବିଜେପୁର, ଖପ୍ରାଖୋଲ, ପାଟଣାଗଡ଼, ବେଲପଡ଼ା, ମୁରିବାହାଲ ଓ ତୁରେକେଲାର ସ୍ଥିତିକୁ ନେଇ ଏହି ଅଧ୍ୟୟନ କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରର ନୋଡାଲ୍ ଅଧିକାରୀ ପ୍ରଫେସର ଅରୁଣ ଆଚାର୍ଯ୍ୟ। ଦାଦନ ପ୍ରଭାବିତ ଏହି ସବୁ ବ୍ଲକ୍ର ଜଳବାୟୁ ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ବଢ଼ୁଛି ଖରା, କମୁଛି ବର୍ଷା
୧୦ ବର୍ଷରେ ଲଗାତାର ମରୁଡ଼ି
ରାଜ୍ୟ ସରକାରଙ୍କ ଅନୁସାରେ, ୯ ବର୍ଷ ଅର୍ଥାତ ୨୦୧୪ରୁ ୨୦୨୩ ମସିହା ମଧ୍ୟରେ ଶୁଷ୍କ ଦିବସ ୨୭୦ରୁ ୨୮୦କୁ ବୃଦ୍ଧି ପାଇଛି ଏବଂ ବାର୍ଷିକ ବୃଷ୍ଟିପାତ ହାର କମିଛି। ୨୦୧୪ ମସିହାରେ ବାର୍ଷିକ ୧୪୧୨ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ୨୦୨୩ରେ ଏହା ୧୧୯୩ ମିଲିମିଟରରେ ପହଞ୍ଚିଛି। ସରକାରଙ୍କ ପକ୍ଷରୁ ୧୦ ବର୍ଷ ମଧ୍ୟରେ ଏହି ଅଞ୍ଚଳକୁ ଲଗାତାର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ମରୁଡ଼ି ପ୍ରଭାବିତ ଘୋଷଣା କରାଯାଇଛି। ରିପୋର୍ଟରେ ଉଲ୍ଲେଖ ଥିବା ଜଣେ ୭୫ ବର୍ଷୀୟ ବ୍ୟକ୍ତିଙ୍କ ମତ ଅନୁସାରେ, ତାଙ୍କ ସମୟରେ ୫ରୁ ୭ ଦିନ ଝଁକେର୍ (ଲଗାଣ ବର୍ଷା) ଏବଂ ପ୍ରବଳ ବର୍ଷା ହେଉଥିଲା। ବର୍ତ୍ତମାନ ଏହା ଆଉ ଦେଖିବାକୁ ମିଳୁନାହିଁ। ଏବେ ଖରା ଅଧିକ ଏବଂ କମ ବର୍ଷା ହେଉଛି। ଅନୁଧ୍ୟାନ ସମୟରେ ମତ ନିଆଯାଇଥିବା ୧୯୯୫ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୩୨.୫% ଲଗାତାର ଏବଂ ୬୩% ଆଂଶିକ ଭାବରେ ଲଗାତାର ମରୁଡ଼ି ଅନୁଭବ କରିଥିବା କହିଥିଲେ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ୨%ଙ୍କ ସ୍ବାସ୍ଥ୍ୟ, ୮୯.୫ %ଙ୍କ ଜୀବିକା ଏବଂ କୃଷି ପ୍ରଭାବିତ ହେଉଥିବା କହିଛନ୍ତି। ଲଗାତାର ବର୍ଷା ହ୍ରାସ ଯୋଗୁଁ ଜମିର ଉର୍ବରତା ମଧ୍ୟ କମିବାରେ ଲାଗିଛି। ଫଳରେ କୃଷି କର୍ମଣରୁ ବିମୁଖ ହୋଇ ପ୍ରଥମେ ଅସ୍ଥାୟୀ ପଳାୟନ ଏବଂ ପରେ ସାମୂହିକ ସ୍ଥାୟୀ ପଳାୟନ ହେଉଛି। ୨.୪ % ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିସ୍ଥାପିତ ହେଉଛନ୍ତି। ଖାଦ୍ୟଭାବ, ପାରିବାରିକ ଅଶାନ୍ତି ଯୋଗୁଁ ସେମାନେ ଦାଦନ ଶ୍ରମିକ ଓ ବେଆଇନ ମାନବ ଚାଲାଣର ଶିକାର ହେଉଛନ୍ତି। ଯାହା ଶିଶୁ ଏବଂ ମହିଳାଙ୍କ ପାଇଁ ଅଭାବନୀୟ ସ୍ଥିତି ସୃଷ୍ଟି କରୁଛି। ଗବେଷଣା କେନ୍ଦ୍ରର ନୋଡାଲ୍ ଅଧିକାରୀ ପ୍ରଫେସର ଆଚାର୍ଯ୍ୟ କହିଛନ୍ତି, ପଶ୍ଚିମ ଓଡ଼ିଶାରେ ବର୍ଷା ଅନିୟମିତ ଅଟେ। କିନ୍ତୁ କମ୍ ନୁହେଁ। ଯେଉଁ ସମୟରେ ଅଧିକ ବର୍ଷା ହେଉଛି ତାର ଉପଯୁକ୍ତ ସଂରକ୍ଷଣର ଆବଶ୍ୟକତା ରହିଛି। ବିଶେଷକରି ରାଜ୍ୟରେ ଜଳ ଅମଳ ପ୍ରକଳ୍ପର କାର୍ଯ୍ୟକାରିତା ଅତି ନୈରାଶ୍ୟଜନକ। ଏହାର ବୃଦ୍ଧି ଉପରେ ସରକାରୀସ୍ତରରେ ଗୁରୁତ୍ବ ଦେବା ଜରୁରି। ସ୍ବଳ୍ପ ବୃଷ୍ଟିପାତଯୁକ୍ତ ଫସଲ ସହିତ ସର୍ବୋପରି ଯୋଜନା କାର୍ଯ୍ୟକାରୀ ସମୟରେ ସରକାର ଏବଂ ଲୋକଙ୍କ ମଧ୍ୟରେ ଦୂରତ୍ବ ହ୍ରାସ ଦ୍ବାରା ଏହି ସମସ୍ୟାର ମୁକାବିଲା ସମ୍ଭବ ହୋଇପାରିବ ବୋଲି ରିପୋର୍ଟରେ କୁହାଯାଇଛି।