ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ଆତ୍ମାହୁତି ଘଟଣା: ତଦନ୍ତ କମିଟି ଗଠନରେ ବିଳମ୍ବ, ଉଠିଲାଣି ପ୍ରଶ୍ନ

ଭୁବନେଶ୍ବର : ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମାହୁତି ଘଟଣାକୁ ୧୮ ଦିନ ବିତିଯାଇଥିଲେ ମଧ୍ୟ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ୍‌ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସେ ଏବେ ବି ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଥିବାରୁ ତଦନ୍ତକୁ ଏହା ନିଶ୍ଚିତ ପ୍ରଭାବିତ କରିବ ବୋଲି ନିଖିଳ ଓଡ଼ିଶା ବିଶ୍ବବିଦ୍ୟାଳୟ କର୍ମଚାରୀ ମହାସଂଘ ଅଭିଯୋଗ କରିଛି।

ମହାସଂଘର ସଭାପତି ଶାରଦା ଚରଣ ମହାନ୍ତି କହିଛନ୍ତି ଯେ କୁଳପତି ପ୍ରଫେସର ମିତ୍ତଲ୍‌ଙ୍କୁ ଛୁଟିରେ ପଠାଯାଉ ନ ଥିବାରୁ ଏହି ସମୟରେ ସେ ଚାପ ପକାଇ ତାଙ୍କ ସପକ୍ଷରେ ସାକ୍ଷୀ ଯୋଗାଡ଼ କରିବା ସହ ନଥିପତ୍ର ନଷ୍ଟ କରିବାର ସୁଯୋଗ ପାଉଛନ୍ତି। ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତଦନ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ତଦନ୍ତ କମିଟି ଗଠନ କରିବା ଆଳରେ ଉଚ୍ଚଶିକ୍ଷା ବିଭାଗର ବାବୁମାନେ କୁଳପତିଙ୍କୁ ସମୟ ଦେଉଛନ୍ତି। ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ ବଳରେ କୁଳପତି ପ୍ରଫେସର ମିତଲଙ୍କୁ ଛୁଟିରେ ରହିବା ନିର୍ଦ୍ଦେଶ ଦିଆଯାଉନାହିଁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ବାବଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ସଂଘ ବାରମ୍ବାର ଆପତ୍ତି ଉଠାଇଲେ ମଧ୍ୟ ଶୁଣା ଯାଉନାହିଁ। ଏଭଳି ଚାଲିଲେ ତଦନ୍ତ ନିରପେକ୍ଷ ହେବ ନାହିଁ। ଯେତେଶୀଘ୍ର ସମ୍ଭବ କୁଳପତି ମିତ୍ତଲଙ୍କୁ ଛୁଟିରେ ରହିବାକୁ ନିର୍ଦ୍ଦେଶ ଦିଆଯାଇ ନିରପେକ୍ଷ ତଦନ୍ତ କରାଯାଉ। ଏଥିରେ ବିଳମ୍ବ ହେଲେ ମହାସଂଘର ଏକ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଭେଟିବ ବୋଲି ସେ ଷ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର