ବୁର୍ଲା: ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ରୀ ଅସଦାଚରଣ ମାମଲାରେ ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ପୀଡ଼ିତା ଛାତ୍ରୀଜଣକ ସୋମବାର ସନ୍ଧ୍ୟାରେ ଜ୍ୟୋତିବିହାର ମାର୍କେଟ କମ୍ପ୍ଲେକ୍ସକୁ ଯାଇଥିବା ବେଳେ କେତେ ଅଣଛାତ୍ର ତାଙ୍କ ପ୍ରତି ଅସଦାଚରଣ କରିଥିଲେ। ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ବୁର୍ଲା ସେଣ୍ଟର ଲାଇନ ଅଞ୍ଚଳର ଡୋଳାମଣି ସୁନା ଓରଫ ଖେଡୁ ବୋଲି ଜଣାପଡ଼ିଛି। ମାମଲାରେ ଖେଡୁ ସହ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ଯୁକ୍ତ ଦୁଇ କଲେଜର ୩ ଜଣ ଛାତ୍ର ମଧ୍ୟ ଥିଲେ। ତେବେ ସେମାନେ ନାବାଳକ ହୋଇଥିବାରୁ ସେମାନଙ୍କୁ ଆଇପିସି ଧାରା ୪୧ରେ ନୋଟିସ ଦେଇ ଛଡ଼ାଯାଇ ଥିବା ସୂଚନା ମିଳିଛି।

Advertisment

ଖେଡୁ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ସେହି ସୋମବାର ଦିନ ହିଁ ଛାତ୍ରୀଙ୍କୁ ଅସଦାଚରଣ କରିବା ପୂର୍ବରୁ ସନ୍ଧ୍ୟା ସମୟରେ ହୀରାକୁଦ ଜଳଭଣ୍ଡାର ତଳପଟେ ଥିବା ପଥର ଗେଟ୍ ପାଖରେ ଡୋଳାମଣି ସେଣ୍ଟର ଲାଇନ ଅଞ୍ଚଳର ସନ୍ତୋଷ ସୁଜଲ ନାମକ ଯୁବକ ଏବଂ ଜଣେ ନାବାଳକ ସହ ମିଶି ଗାନ୍ଧୀପଡ଼ା ଅଞ୍ଚଳର କୁଶ ଶିକ୍କାଙ୍କୁ ଠେଙ୍ଗାରେ ମାଡ଼ମାରି ତାଙ୍କ ମୋବାଇଲ ଫୋନ୍ ଓ ୩ ଶହ ଟଙ୍କା ଲୁଟି ନେଇଥିଲା। ପୁଲିସ୍ ଆଜି ଉଭୟ ଘଟଣାରେ ଖେଡୁ ଓ ସନ୍ତୋଷକୁ ଗିରଫ କରି କୋର୍ଟଚାଲାଣ କରିଛି।