ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ ପାଇଁ କୁଳପତି ପଦ ଚୟନ କମିଟି ନିଜ କାର୍ଯ୍ୟ ସାରିଛି। ଆବଦେନ କରିଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୩ ଜଣଙ୍କ ନାମ ଚୟନ କରାଯାଇ କୁଳାଧିପତିଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି।
ସମ୍ବଲପୁର ବିଶ୍ବବିଦ୍ୟାଳୟର ବିବାଦୀୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ଇସ୍ତଫା ପରେ ଗତ ସେପ୍ଟେମ୍ବର ମାସରୁ କାମଚଳା କୁଳପତି ଭାବେ ପ୍ରଫେସର ସଂଯୁକ୍ତା ଦାସ ଦାୟିତ୍ବ ନିର୍ବାହ କରୁଛନ୍ତି। ଖାଲି ପଡ଼ିଥିବା କୁଳପତି ପଦ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୪୯ ଜଣ ପ୍ରଫେସର ଆବଦେନ କରିଥିଲେ। କୁଳପତି ଚୟନ ନିମନ୍ତେ ୩ ଜଣିଆ ଚୟନ କମିଟି ଗଠନ କରାଯାଇଥିଲା। ୨୮ ଓ ୨୯ ତାରିଖ ଦୁଇଦିନ ପର୍ଯ୍ୟନ୍ତ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା।
କେତେକ କାରଣରୁ ଅନେକ ପ୍ରଫେସର ସାକ୍ଷାତକାର ଦେବାକୁ ଆସିପାରି ନଥିଲେ। ଆବେଦନ କରିଥିବା ପ୍ରାୟ ୪୦ ଜଣ ପ୍ରଫେସର କୁଳପତି ପଦ ସାକ୍ଷାତକାର ଦେଇଥିଲେ। ତେବେ, ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୩ ଜଣ ନାମଙ୍କ ଚୟନ କରାଯାଇଛି। ଏହି ୩ ଜଣଙ୍କ ମଧ୍ୟରେ ରାଜ୍ୟର ଜଣେ ପୂର୍ବତନ କୁଳପତି ଏବଂ ବର୍ତ୍ତମାନର ଜଣେ କୁଳପତିଙ୍କ ନାମ ରହିଥିବା କହାଯାଉଛି। ଏହି ୩ ଜଣିଆ ତାଲିକା ମଧ୍ୟରୁ କୁଳାଧିପତି ଜଣକୁ କୁଳପତି ଭାବେ ନିଯୁକ୍ତି ଦେବେ। ଆସନ୍ତା ଏକ ସପ୍ତାହ ମଧ୍ୟରେ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ନୂଆ କୁଳପତି ମିଳିଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।