ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁରରେ ସଂଘଟିତ ହିଂସାର ଅନୁଧ୍ୟାନ ପାଇଁ ଜାତୀୟ ଜନଜାତି ଆୟୋଗ (ଏନ୍‌ସିଏସ୍‌ଟି)ଙ୍କ ଗସ୍ତ ପୂର୍ବରୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା। ସୋମବାର ଅପରାହ୍‌ଣରୁ ମଂଗଳବାର ସକାଳ ପର୍ଯ୍ୟନ୍ତ ଭବାନୀପାଲିରେ ବିଜେପି-ବିଜେଡି ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ପ୍ରଶାସନର ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଯାଇଛି। ଅପରପକ୍ଷରେ ପ୍ରଶାସନିକ ଅବହେଳା ଯୋଗୁ ହତ୍ୟାର ଶିକାର ହୋଇଥିବା ଝାରମୁଣ୍ଡା ଗାଁର ଆଦିବାସୀ ଯୁବକ ଚନ୍ଦ୍ରକାନ୍ତ ମିର୍ଦ୍ଧା(ପଲ୍‌ଟୁ)ଙ୍କ ଘରେ ତାଲା ଝୁଲୁଥିବା ବେଳେ ଜାତୀୟ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ନାୟକଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧି ଦଳ ଭେଟିନପାରି ଫେରି ଆସିଛନ୍ତି।

Advertisment

ଜାତୀୟ ଜନଜାତି(ଏନ୍‌ସିଏସ୍‌ଟି) ଆୟୋଗର ସଦସ୍ୟ ଅନନ୍ତ ନାୟକଙ୍କ ସହିତ ଏନ୍‌ସିଏସଟିର ନିର୍ଦ୍ଦେଶକ ଜୟନ୍ତ କେ. ସରୋଡେ ଓ ଅନ୍ୟ ଅଧିକାରୀମାନଙ୍କ ସହିତ ସମ୍ବଲପୁର ଗସ୍ତରେ ଆସି ଆଜି ସକାଳେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଦିନ ହତ୍ୟାର ଶିକାର ହୋଇଥିବା ବଡ଼ସିଂହାରୀ ପାଖ ଝାରମୁଣ୍ଡା ଗାଁର ଚନ୍ଦ୍ରକାନ୍ତ ମିର୍ଦ୍ଧା(ପଲ୍‌ଟୁ)ଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ। ତେବେ, ପଲ୍‌ଟୁଙ୍କ ଘରେ ତାଲା ଝୁଲୁଥିଲା। ତାଙ୍କ ପରିବାର ଲୋକଙ୍କୁ ନପାଇ ଗାଁ ଲୋକଙ୍କ ସହିତ ଘଟଣା ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଘଟଣା ଦିନ ପଲ୍‌ଟୁଙ୍କ ସହିତ ଥିବା ଏବଂ ଆକ୍ରମଣରେ ଗୁରୁତର ଆହତ ‌ହୋଇଥିବା ଯୁଯୁମୁରା ବ୍ଲକ ଭବାନୀପାଲି ଗାଁର ବିଶ୍ଵନାଥ ଓରଫ୍ କାଲିଆ ଶିକାଙ୍କୁ ଭେଟିବା ପରେ ସମ୍ବଲପୁର ଫେରି ସର୍କିଟ ହାଉସରେ ଆଦିବାସୀ ନେତାମାନଙ୍କ ସହ ଆଲୋଚନା କରିଥିଲେ।

ଅପରାହ୍‌ଣରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଜାତୀୟ ଜନଜାତି ଆୟୋଗର ସଦସ୍ୟ ଶ୍ରୀ ନାୟକ କହିଲେ, ଆୟୋଗଙ୍କ କ‌ୌଣସି ରାଜ୍ୟକୁ ଗସ୍ତ ପୂର୍ବରୁ ସଂପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ସୂଚନା ଦିଆଯାଇଥାଏ। ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରାଇବା ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ଉପରେ ନିର୍ଭର କରେ। ଆମେ ମୃତକଙ୍କ ପରିବାରକୁ ଭେଟି ପାରିଲୁ ନାହିଁ। ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାର ଲୋକ ଅସ୍ଥି ବିସର୍ଜନ ପାଇଁ ‘ଗଂଗାଘାଟ’କୁ ଯାଇଥିବା କଥା କହାଯାଇଥିଲା। ତାଙ୍କ ପରିବାରକୁ ଆଇନ ଅନୁଯାୟୀ ୮ ଲକ୍ଷ ଟଙ୍କା ପାଇବା ବ୍ୟବସ୍ଥା ଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୪ ଲକ୍ଷ ୬୨ ହଜାର ଟଙ୍କା ଦିଆଯାଇଥିବା ସୂଚନା ଦିଆଯାଇଛି। ତେବେ, ମୃତ ଯୁବକଙ୍କ ଦାହସଂସ୍କାର ଆଦିବାସୀ ପରମ୍ପରା ଅନୁଯାୟୀ ହୋଇନାହିଁ।

ପ୍ରଶସାନର ଯେତିକି ସହଯୋଗ ମିଳିବା କଥା ମିଳିଲାନି

ଆଦିବାସୀ ରୀତିନୀତି ଅନୁଯାୟୀ ‌ହୋଇନି ସଂସ୍କାର

ଭାବାନୀପାଲିରେ ରାତିସାରା ଛକାପଞ୍ଝା

ଏହାକୁ ନେଇ ଆଦିବାସୀ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥିବା କଥା ଆଜି ଆଲୋଚନା ସମୟରେ ସାମ୍‌ନାକୁ ଆସିଛି। ଆଦିବାସୀମାନଙ୍କ ଭାବନାକୁ ସମ୍ମାନ ଜଣାଇ ସୌହାର୍ଦ୍ଦ୍ୟ ବାତାବରଣ ମଧ୍ୟରେ ସେମାନଙ୍କ ସହିତ କଥାବାର୍ତ୍ତା କରିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ଆଜି ପରାମର୍ଶ ଦିଆଯାଇଛି। ଗସ୍ତ ସମୟରେ ପ୍ରଶାସନ ପକ୍ଷରୁ ଆଶାନୁରୂପ ସହାୟତା ମିଳିନଥିବା ଶ୍ରୀ ନାୟକଙ୍କ କଥାରୁ ସ୍ପଷ୍ଟ ହୋଇଥିଲା। ଖବରକାଗଜରେ ପ୍ରକାଶିତ ରିପୋର୍ଟ ଆଧାରରେ ସୂଚନା ମିଳିବା ପରେ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ୩ ଦିନ ମଧ୍ୟରେ ରିପୋର୍ଟ ମଗାଯାଇଥିଲା। ଏହା ପରେ ଆଜି ପୀଡ଼ିତ ପରିବାରକୁ ଭେଟିବାକୁ ସମ୍ବଲପୁର ଗସ୍ତରେ ଆସିଥିଲୁ। ଝାରମୁଣ୍ଡା ଗାଁକୁ ଯିବା ପରେ ପ୍ରଶାସନ ଆଗରେ ଲୋକେ କିଛି କଥା କହିପାରିନଥିବା ବେଳେ ପରବର୍ତ୍ତୀ ସମୟରେ ସର୍କିଟ ହାଉସ୍‌କୁ ଆସି ସେମାନେ ଅନେକ କଥା କହିଛନ୍ତି। ଆହତ ବିଶ୍ବନାଥ ଶିକା ମଧ୍ୟ ପ୍ରଶାସନଠାରୁ ଯେତିକି ସହଯୋଗ ମିଳିବା କଥା ମିଳିନଥିବା ପ୍ରକାଶ କରିଥିବା ବେଳେ ଗାଁର ଅନ୍ୟ ଲୋକେ ମଧ୍ୟ ଅନେକ କିଛି କହିଛନ୍ତି। ତାଙ୍କୁ ରେଡକ୍ରସ ପକ୍ଷରୁ ୧୫ ହଜାର ଟଙ୍କା ଏବଂ ଅନ୍ୟ ସହାୟତା ବାବଦକୁ ଦେଢ଼ ଲକ୍ଷ ଟଙ୍କା ଦିଆଯାଇଥିବା ପ୍ରଶାସନ କହିଛି। ଜିଲ୍ଲାପାଳ ଓ ଏସ୍‌ପିଙ୍କ ରିପୋର୍ଟ ତର୍ଜମା କରାଯିବ। ଏବେ ତଦନ୍ତ ଜାରି ରହିଥିବାରୁ ଆବଶ୍ୟକ ପଡ଼ିଲେ ଆଉ ଥରେ ସମ୍ବଲପୁର ଆସିପାରୁ ବୋଲି ଶ୍ରୀ ନାୟକ କହିଛନ୍ତି। ଚୂଡ଼ାନ୍ତ ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଜନଜାତି ଆୟୋଗଙ୍କ ଗସ୍ତ ପୂର୍ବରୁ ଗତକାଲି ଅପରାହ୍‌ଣରୁ ଭବାନୀପାଲି ଗାଁରେ ଛକାପଞ୍ଝା ଲାଗି ରହିଥିଲା। ମୃତକ ଚନ୍ଦ୍ରକାନ୍ତ ମିର୍ଦ୍ଧାଙ୍କ ପରିବାରକୁ ଯେମିତି କୁଆଡ଼େ ଲୁଚାଇ ଦିଆଗଲା, ସେହିପରି ଆହତ ବିଶ୍ବନାଥଙ୍କୁ ଲୁଚାଇବା ପାଇଁ ଉଦ୍ୟମ ହୋଇଥିଲା। ଅପରାହ୍‌ଣରେ ଏକ ପ୍ରଭାବଶାଳୀ ‌ଗୋଷ୍ଠୀ ଭବାନୀପାଲିକୁ ଯାଇ ଆଣିବାକୁ ଉଦ୍ୟମ କରିଥିଲେ। ସେମାନେ ବିଫଳ ହେବା ପରେ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଯୁଯୁମୁରା ବିଡିଓ, ତହସିଲଦାର ପ୍ରମୁଖ ରେଡକ୍ରସ ପାଣ୍ଠିରୁ ୧୫ ହଜାର ଟଙ୍କା ଦେବା ବାହାନାରେ ଭବାନୀପାଲି ଯାଇଥିଲେ। ବ୍ୟାଙ୍କ ଆକାଉଣ୍ଟ ଯାଂଚ ଆଳରେ ବିଶ୍ବନାଥଙ୍କୁ ଗାଡ଼ିରେ ବସାଇ ନେଇ ଆସୁଥିବା ବେଳେ ବିଜେପି ନେତ୍ରୀ ସସ୍ମିତା ଦେହୁରୀଙ୍କ ବିରୋଧ ଯୋଗୁ ତାହା ସମ୍ଭବ ହୋଇନଥିଲା।

ଏପଟେ ବିଜେଡିର ବିଭିନ୍ନ ଗୋଷ୍ଠୀର ଅନେକ ସ୍ଥାନୀୟ ନେତା ଓ କର୍ମୀ ଭବାନୀପାଲିରେ ପହଂଚି ଥିଲେ। ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଫେରିଆସିଥିବା ବେଳେ ତହସିଲଦାର ଓ ବିଡିଓ କିନ୍ତୁ ବିଶ୍ବନାଥଙ୍କୁ ବିଜେପି କର୍ମୀମାନେ ରଖିଥିବା ଘର ବାହାରେ ଚୌକି ପକାଇ ରାତିସାରା ଜଗି ରହିଥିଲେ। ଏସ୍‌ଡିପିଓ ଓ ଯୁଯୁମୁରା ଥାନା ଅଧିକାରୀ ପୁଲିସ କର୍ମଚାରୀମାନଙ୍କୁ ନେଇ ଗାଁରେ ଡେରା ପକାଇ ଥିଲେ। ଏପଟେ ବିଜେଡିର ବହୁ ନେତା ଓ କର୍ମୀ ଗାଁର ବିଭିନ୍ନ ସ୍ଥାନରେ ଛକି ରହିଥି‌ଲେ। ବିଜେଡି କର୍ମୀଙ୍କ ସଂଖ୍ୟା ଅଧିକ ହେବା ଦେଖି ସସ୍ମିତା ମଧ୍ୟ ଯୁଯୁମୁରା ବ୍ଲକର ନିଜ ଦଳୀୟ ସରପଞ୍ଚ, ସମିତି ସଭ୍ୟ ଓ କର୍ମୀମାନଙ୍କୁ ମଧ୍ୟରାତ୍ରିରେ ଡକାଇ ଥିଲେ। ଅପରପକ୍ଷରେ ଘଟଣା ସଂକ୍ରାନ୍ତରେ ଖବର ପାଇ ଗଣମାଧ୍ୟମର ପ୍ରତିନିଧିମାନେ ସେଠାରେ ପହଂଚି ଯାଇଥିଲେ। ଆୟୋଗର ପ୍ରତିନିଧି ଦଳ ସେଠାରେ ପହଂଚି ବିଶ୍ବନାଥଙ୍କୁ ଭେଟିବା ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିଥିଲା। ଗାଁରେ ଚାପା ଉତ୍ତେଜନା ଲାଗି ରହିଥିଲା। ନିର୍ବାଚନ ସମୟ ଭଳି ଛକାପଞ୍ଝା ଲାଗି ରହିଥିବା ବେଳେ ପ୍ରଶାସନ ଓ ଶାସକ ଦଳର ଏଭଳି ଉଦ୍ୟମକୁ ସଚେତନ ମହଲରେ ସମାଲୋଚନା କରାଯାଇଛି। ତେବେ, ‘ଜଣେ ନାରୀ(ସସ୍ମିତା‌ ଦେହୁରୀ) ସମସ୍ତଙ୍କ ଉପରେ ପଡ଼ିଲେ ଭାରୀ’ ବୋଲି ଅଂଚଳରେ ଚର୍ଚ୍ଚା ହେଉଛି।