ସମ୍ବଲପୁର: ବାଇକ୍ ରାଲିରେ ପଥର ମାଡ଼ ଓ ଦୋକାନ ପୋଡ଼ି ଘଟଣାରେ ଆଉ ୩୦ ଜଣଙ୍କୁ ଗିରଫ କରାଯାଇଛି। ଏହାଫଳରେ ଗିରଫଦାରୀ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି। ଏଣେ ସମ୍ବଲପୁର ସହରରେ କର୍ଫ୍ୟୁ ସତ୍ତ୍ବେ ପୁଣି ହିଂସା ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ ତଅଁଲାପଡ଼ା ରାଣୀବଗିଚାରେ ଜଣେ ଲୋକଙ୍କ ଘର ଜଳାଯାଇଛି। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ମହିଳାଙ୍କୁ ଘଉଡ଼ାଇବାକୁ ପୁଲିସ ଲାଠିଚାଳନା କରିଥିବା ଜଣାଯାଇଛି। ତେବେ ଏନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

Advertisment

ସମ୍ବଲପୁର ଏସପି ବି. ଗଙ୍ଗାଧରଙ୍କ ସୂଚନା ଅନୁଯାୟୀ ଏଯାଏ  ମୋଟ ଉପରେ ୭୯ ଜଣଙ୍କୁ ଗିରଫ କରାଯାଇଛି। ହନୁମାନ ଜୟନ୍ତୀ ଅବସରରେ ଅନେକ ସ୍ଥାନରେ ଭଙ୍ଗାରୁଜା ହେବା ସହ ପୋଡ଼ାଜଳା ଘଟଣାରେ ୨୬ ଜଣଙ୍କୁ ପୁଲିସ ପ୍ରଥମେ ଗିରଫ କରିଥିବା ବେଳେ ହନୁମାନ ଜୟନ୍ତୀ ଦିନ ଘଟିଥିବା ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣାରେ ୨୩ ଜଣଙ୍କୁ ଗିରଫ କରାଯାଇଥିଲା। ପଥର ମାଡ଼ ଓ ଦୋକାନ ପୋଡ଼ି ଆଜି ଆଉ ୩୦ଜଣଙ୍କୁ ଗିରଫ କରାଯିବା ପରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି।

ଗତ ୧୨ ତାରିଖ ସନ୍ଧ୍ୟାରେ ହନୁମାନ ଜୟନ୍ତୀ ବାଇକ୍ ରାଲି ବେଳେ ସମ୍ବଲପୁରରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ୧୪ ତାରିଖ ପର୍ଯ୍ୟନ୍ତ ଲାଗିରହିଥିଲା। ସ୍ଥିତି ଅଣାୟତ୍ତ ଆଡ଼କୁ ଯାଇପାରେ ବୋଲି ଆଶଙ୍କା କରି ପ୍ରଶାସନ ଶୁକ୍ରବାର ମଧ୍ୟରାତ୍ରିରୁ ସହରରେ ଅନ୍ୟାଦେଶ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛି। ଏହାର ପ୍ରଭାବ ଶନିବାର ସହରରେ ଦେଖିବାକୁ ମିଳିଛି। ଶନିବାର ଦିନ ସହର ଖାଁ ଖାଁ ଲାଗୁଥିଲା। ସକାଳ ୮ ପୂର୍ବରୁ କିଛି ଦୋକାନ ଖୋଲା ଯାଇଥିବା ଦେଖି ପୁଲିସ ତୁରନ୍ତ ବନ୍ଦ କରାଇଥିଲା। ସେପଟେ ସମ୍ବଲପୁରକୁ ଆଜି ଦିନତମାମ ବସ୍ ସେବା ବନ୍ଦ ରହିଥିଲା। ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୮ଟାରୁ ୧୦ଟା ଏବଂ ଅପରାହ୍ଣ ସାଢ଼େ ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଥିଲା। ସେହି ସମୟରେ ବିଭିନ୍ନ ଦୋକାନରେ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଏହା ପରେ ସବୁ ଦୋକାନବଜାରକୁ ପୁଣି ବନ୍ଦ କରି ଦିଆଯାଇଥିଲା। ସେହିଭଳି ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦିରେ ତାଲା ଝୁଲୁଥିଲା।