ସମ୍ବଲପୁର : ସମ୍ବଲପୁରରେ ଗତ ୧୨ ତାରିଖ ସଂଧ୍ୟାରୁ ସୃଷ୍ଟ ହିଂସା ଓ ତଦ୍‌ପରବର୍ତ୍ତୀ ପରିସ୍ଥିତିରେ ବଜାର ଓ ବ୍ୟବସାୟୀଙ୍କ ଉପରେ ନାହିଁ ନଥିବା ପ୍ରଭାବ ପଡ଼ିଛି। ଛୋଟରୁ ବଡ଼ ସବୁ ବ୍ୟବସାୟୀ ଏଥିରେ କ୍ଷତିଗ୍ରସ୍ତ ହୋଇଛନ୍ତି। ହେଲେ ପସରା ମେଲିଲେ ବା ଠେଲା ଖୋଲିଲେ କିଛି ଆୟ କରି ପରିବାର ଚଳାଉଥିବା କ୍ଷୁଦ୍ର ବ୍ୟବସାୟୀମାନେ ଏହାଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଏକ ଆକଳନରୁ ଜଣା ପଡ଼ିଛି ଯେ ଗତ ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ୯ ଦିନରେ ସମ୍ବଲପୁର ସହରର (ବୁର୍ଲା, ହୀରାକୁଦ ଛାଡ଼ି) ୧୮୮ କୋଟି ଟଙ୍କାର ବ୍ୟବସାୟ ବୁଡ଼ିଛି। ଏହାଫଳରେ ସହରର ବ୍ୟବସାୟୀମାନେ ଏହି ସମୟ ମଧ୍ୟରେ ପ୍ରାୟ ୪୦ କୋଟି ଟଙ୍କାର ସିଧାସଳଖ ଆର୍ଥିକ କ୍ଷତି ସହିଛନ୍ତି। ଏହାଛଡ଼ା ସମ୍ବଲପୁରରେ ଆଇନ୍‌ ଶୃଂଖଳା ରକ୍ଷା ପାଇଁ ସ୍ବତନ୍ତ୍ରଭାବେ ମୁତୟନ ହୋଇଥିବା ସୁରକ୍ଷା ବଳ ନିମନ୍ତେ ସରକାରୀ ତହବିଲରୁ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ହିଂସାରେ ହୋଇଥିବା ଜଳାପୋଡ଼ା, ଘରଭଙ୍ଗାରେ ବି ପ୍ରାୟ ୪ରୁ ୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

Advertisment

publive-image

ଜଣେ ଜିଏସ୍‌ଟି ଅଧିକାରୀଙ୍କ ସୂଚନା ଅନୁସାରେ ସମ୍ବଲପୁର ସହରରୁ ମାସକୁ ୨୫ରୁ ୩୦ କୋଟି ସିଜିଏସ୍‌ଟି ଓ ଏହାର ପ୍ରାୟ ଦେଢ଼ଗୁଣ ଏସ୍‌ଜିଏସ୍‌ଟି ସଂଗୃହୀତ ହୁଏ। ସେହି ଅନୁସାରେ ଜିଏସ୍‌ଟି ଆଇନ୍‌ରେ ଅନ୍ତର୍ଭୁକ୍ତ ସମ୍ବଲପୁରର କରଦାତାମାନେ ଦୈନିକ ପ୍ରାୟ ୨.୫ କୋଟି ଟଙ୍କାର ଦେୟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପୈଠ କରନ୍ତି। ଭିନ୍ନଭିନ୍ନ ସ୍ଲାବ୍‌ରେ ଏହି ଜିଏସ୍‌ଟି ସଂଗୃହୀତ ହେଉଥିଲେ ବି ଏହାକୁ ହାରାହାରି ୧୦% ଧରାଗଲେ ମୋଟ ଦୈନିକ ବ୍ୟବସାୟ ୨୫ କୋଟି ଟଙ୍କା ହେବ। ହେଲେ ପରିବା ଦୋକାନୀ, ଠେଲାବାଲାଠୁ ଆରମ୍ଭ କରି ଏଭଳି ୫ ହଜାରରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ ଅଛନ୍ତି ଯେଉଁମାନେ ଜିଏସ୍‌ଟି ଦିଅନ୍ତି ନାହିଁ। ସେମାନଙ୍କ ଦୈନିକ ବ୍ୟବସାୟ ଅତି କମ୍‌ରେ ୫ କୋଟି ହେଉଥିଲେ ବି ସମ୍ବଲପୁର ସହରର ହାରାହାରି ଦୈନିକ କାରବାର ୩୦ କୋଟି ଟଙ୍କାର ହେବ। ବିଗତ ୯ ଦିନ ମଧ୍ୟରୁ ୧୪ ଓ ୧୯ ତାରିଖରେ ସହରର ବ୍ୟବସାୟ ସଂପୂର୍ଣ୍ଣ ବନ୍ଦ ରହିଥିଲା। ୧୫, ୧୬ ଓ ୧୭ ତାରିଖରେ ମାତ୍ର ୨୫% କ‌ାରବାର ହୋଇଥିଲା। ସେହିପରି ଅନ୍ୟ ୪ ଦିନ ଅର୍ଥାତ୍ ୧୩, ୧୮, ୨୦, ୨୧ ତାରିଖରେ ‌ହାରାହାରି ଦୈନିକ କାରବାରର ୫୦% ବେପାର ହୋଇଥିଲା। ସେହି ଅନୁଯାୟୀ ସମ୍ବଲପୁର ବଜାରରେ ଗତ ୧୩, ୧୮, ୨୦ ଓ ୨୧ ତାରିଖରେ ୧୫ କୋଟି ଲେଖାଏଁ, ୧୪ ଓ ୧୯ ତାରିଖରେ ୩୦ କୋଟି ଲେଖାଏଁ, ୧୫, ୧୬ ଓ ୧୭ ତାରିଖରେ ୨୨.୫ କୋଟି ଲେଖାଏଁ କାରବାର ହୋଇପାରି ନାହିଁ। ଅର୍ଥାତ୍ ଗତ ୯ ଦିନରେ ସମ୍ବଲପୁର ବଜାର ୧୮୮ କୋଟି ଟଙ୍କାର ବ୍ୟବସାୟ ହରାଇଛି।

publive-image

ଏହି ବ୍ୟବସାୟିକ ବିପର୍ଯ୍ୟୟ ସହ ଭଙ୍ଗାରୁଜା, ପୋଡ଼ାଜଳା ଜନିତ କ୍ଷୟକ୍ଷତି, ପ୍ରଶାସନ ଓ ପୁଲିସ୍‌ର ଖର୍ଚ୍ଚ, ଇଣ୍ଟରନେଟ୍ ବ୍ୟବସାୟ, ଇଣ୍ଟରନେଟ୍ ପାଇଁ ସହରବାସୀ ଅନ୍ୟତ୍ର ଯିବା ଯୋଗୁଁ ହୋଇଥିବା ଖର୍ଚ୍ଚ ଆଦିକୁ ମିଶାଇଲେ ଏହି ୯ ଦିନର ଅବାଞ୍ଛିତ ଅଧ୍ୟାୟ ସମ୍ବଲପୁରବାସୀଙ୍କ ମୁଣ୍ଡରେ ୨୦୦ କୋଟି ଟଙ୍କାର ବୋଝ ପଡ଼ିଛି। ସମ୍ବଲପୁର ସହରର ପ୍ରତିଟି ପରିବାର ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ଏ ସଂପର୍କରେ ବିଶିଷ୍ଟ ବ୍ୟବସାୟୀ ତଥା ସମ୍ବଲପୁର ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍‌ର ପୂର୍ବତନ ଅଧ୍ୟକ୍ଷ ଯଶବୀର ସିଂହ ହୁରାଙ୍କ କହିବା ହେଲା, ଗୋଟିଏ ଦିନ ବଜାର ବନ୍ଦ ହେଲେ ସମ୍ବଲପୁରର ହୋଟେଲ୍ ଶିଳ୍ପ କେବଳ ୧.୫ କୋଟି ଟଙ୍କାର କ୍ଷତି ସହେ। ପାନ ଦୋକାନୀଠୁ ଆରମ୍ଭ କରି ବଡ଼ ଶିଳ୍ପପତି ପର୍ଯ୍ୟନ୍ତ ସମସ୍ତେ ଆର୍ଥିକ ବୋଝ ମୁଣ୍ଡାନ୍ତି। ବଡ଼ ବ୍ୟବସାୟୀ ତ କୌଣସି ମତେ କ୍ଷତିକୁ ସହ୍ୟ କରି ପୁଣି ସଳଖି ଛିଡ଼ା ହୁଏ। ହେଲେ ଦୋକାନ ଖୋଲିଲେ ଦାନା ଜୁଟାଉଥିବା ଛୋଟ ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ଦୋହଲି ଯାଏ। ଏଭଳି ୮-୧୦ ଦିନ ବଜାର ବନ୍ଦ ର‌ହିଲେ ସେମାନେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହୁଅନ୍ତି। କୌଣସି ପ୍ରକାର ଅଘଟଣ ଘଟାଇବା ପୂର୍ବରୁ ସମସ୍ତେ ସେହି ଗରିବ ଲୋକଙ୍କ କଥା ଚିନ୍ତା କରିବା ଦରକାର ବୋଲି ଶ୍ରୀ ହୁରା ମତ ଦେଇଥିଲେ।