ସମ୍ବଲପୁର: ସମ୍ବଲପୁର ଏକ ଭାଇଚାରାର ସହର। ଏଠାରେ ଶହ ଶହ ବର୍ଷ ଧରି ବିଭିନ୍ନ ଧର୍ମାବଲମ୍ବୀ ଲୋେକ କାନ୍ଧକୁ କାନ୍ଧ ମିଳାଇ ପରସ୍ପରର ସୁଖଦୁଃଖରେ ସାମିଲ ହୋଇ ଶାନ୍ତିର ସହ ରହି ଆସୁଛନ୍ତି। ବିଭିନ୍ନ ଧର୍ମର ପର୍ବପର୍ବାଣି, ଯାନିଯାତ୍ରା, ଭୋଜିଭାତ ଆଦି ପାରସ୍ପରିକ ଅକୁଣ୍ଠ ସାହାଯ୍ୟ,ସହଯୋଗରେ ବେଶ ଧୁମ୍ଧାମ୍ରେ ପାଳିତ ହୋଇଥାଏ। ଏହା ଏଭଳି ସ୍ଥାନ ଯେଉଁଠି ହିନ୍ଦୁ ପରିବାରରୁ ମୁସଲମାନ ସଂପ୍ରଦାୟର ତାଜିଆ ଶୋଭାଯାତ୍ରା ବାହାରେ ଏବଂ ମୁସଲମାନ ଲୋକେ ବି ଶ୍ରୀଜଗନ୍ନାଥଙ୍କ ରଥ ଉପରେ ଛେରାପହଁରା କରନ୍ତି। ତେବେ ଏଭଳି ଏକ ମହାନ ସଂସ୍କୃତିସମ୍ପନ୍ନ ଶାନ୍ତ ସହର ହାତଗଣତି କିଛି ଅସମାଜିକ ତତ୍ତ୍ବଙ୍କ ଲାଗି କ୍ରମଶଃ ଅଶାନ୍ତ ହେବାରେ ଲାଗିଛି।
ଗତ ୧୨ ତାରିଖରେ ହନୁମାନ ଜୟନ୍ତୀ ବାଇକ୍ ଶୋଭାଯାତ୍ରାରୁ ସୃଷ୍ଟ ଗଣ୍ଡଗୋଳ ଓ ହିଂସାକୁ ନେଇ ସମ୍ବଲପୁର ଏବେ ଚର୍ଚ୍ଚାରେ। ଏହି ହିଂସାର ଆରମ୍ଭସ୍ଥଳ ମୋତିଝରନ୍, ସୁନାପାଲି ଓ ଭୁତାପଡ଼ା ଅଞ୍ଚଳ ଉପରେ ରହିଛି ସମସ୍ତଙ୍କ ନଜର। ଏହି ଅଞ୍ଚଳର ମୂଳନିବାସୀମାନେ ସମ୍ବଲପୁର ସହରରେ ସାଂପ୍ରଦାୟିକ ସଦ୍ଭାବ ତଥା ଶାନ୍ତିର ସହ ଏକାଠି ରହୁଥିଲେ। ହେଲେ ଗତ ଦୁଇ ତିନି ଦଶନ୍ଧି ମଧ୍ୟରେ ସମ୍ବଲପୁରକୁ ଆସିଥିବା ହଜାରହଜାର ବହିରାଗତ ଲୋକଙ୍କ ପାଇଁ ଏହି ଅଞ୍ଚଳ ଭୂସ୍ବର୍ଗ ପାଲଟିଗଲା। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ମୋତିଝରନ୍, ସୁନାପାଲି ସହଜ ଆଶ୍ରୟସ୍ଥଳ ପାଲଟିଲା। ସେଠାକାର କିଛି ସ୍ଥାନୀୟ ଲୋକ ବାହାର ଲୋକଙ୍କୁ ରହିବା ପାଇଁ ଭଡ଼ାସୂତ୍ରରେ ସ୍ଥାନ ଦେଲେ। ପରବର୍ତ୍ତୀ କାଳରେ ଏହି ବହିରାଗତ ଲୋକଙ୍କ ମଧ୍ୟରୁ ଅନେକ ଏଠାରେ ସ୍ଥାୟୀ ଭାବରେ ଆସ୍ଥାନ ଜମାଇଲେ। ଏହି କ୍ରମରେ କିଛି ଅସାମାଜିକ ତତ୍ତ୍ବ ବି ବାହାରୁ ଆସି ସୁନାପାଲି, ମୋତିଝରନ୍ ଆଦି ଅଞ୍ଚଳରେ ମୁଣ୍ଡ ଗୁଂଜିରହିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଗୋଷ୍ଠୀର କିଛି ଲୋକ ବିଭିନ୍ନ ପ୍ରକାର ଛୋଟମୋଟ ବେପାର ଆରମ୍ଭ କରି ପରିବାର ପ୍ରତିପୋଷଣ କରିଥାନ୍ତି। ପରବର୍ତ୍ତୀ କାଳରେ ବିଭିନ୍ନ ବେଆଇନ ଚୋରା ବ୍ୟବସାୟ କରି ପ୍ରଚୁର ଅର୍ଥ ରୋଜଗାର କରିବା ସହ ଉକ୍ତ ଅଞ୍ଚଳରେ ନିଜର ଆଧିପତ୍ୟ ଜାହିର କରିଛନ୍ତି।
ଅନେକ ସରକାରୀ ଜାଗାକୁ କବ୍ଜା କରି ନିଜର କୋଠାବାଡ଼ି ତିଆରି କରିଛନ୍ତି। ସେଥିରୁ କିଛି ଲୋକ ବହିରାଗତ ନିର୍ମାଣ ଶ୍ରମିକ ଗୋଷ୍ଠୀଙ୍କୁ ଆଶ୍ରୟ ଓ ସୁରକ୍ଷା ଦେଉଥିବା ପରିଲକ୍ଷିତ ହୋଇଛି। ଫଳରେ ସୁନାପାଲି ଅଞ୍ଚଳ ଏବେ ଏହି ବହିରାଗତଙ୍କ ପେଣ୍ଠସ୍ଥଳୀ ପାଲଟିଯାଇଛି। ଉକ୍ତ ଲୋକମାନେ ନିଜ ଆଧିପତ୍ୟ ଜାହିର ପାଇଁ କ୍ରମଶଃ ଅପରାଧିକ ତତ୍ତ୍ବମାନଙ୍କୁ ବି ପ୍ରୋତ୍ସାହିତ କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି। ଉକ୍ତ ଅଞ୍ଚଳରେ ଚୋରାକାଠରୁ ଆରମ୍ଭ କରି କୋରେକ୍ସ, ନିଶାଦ୍ରବ୍ୟ, ଗଂଜେଇ ଓ ଚୋରା ଅସ୍ତ୍ରଶସ୍ତ୍ର ଭଳି ବେଆଇନ କାରବାର ବୃଦ୍ଧି ପାଇ ଚାଲିଛି। ଏହାଦ୍ବାରା ଉକ୍ତ ଅଞ୍ଚଳରେ ପିଢ଼ିପିଢ଼ି ଧରି ରହି ଆସୁଥିବା ପୁରୁଖା, ଶାନ୍ତିପ୍ରିୟ ଲୋକେ କେବଳ ସମସ୍ୟା ଭୋଗୁନାହାନ୍ତି, ବରଂ ସମଗ୍ର ସହର ଉପରେ ବି ଏହାର କୁପ୍ରଭାବ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି।
ଭରିଗଲେଣି ବାହାରର ଅସାମାଜିକ ତତ୍ତ୍ବ
ଭିଆଉଛନ୍ତି ଅପରାଧ ଓ ଅଶାନ୍ତି
ବହିରାଗତ ଅଧିକାଂଶ ଲୋକ ସେଠାରେ ସରକାରୀ ଜମି ଜବରଦଖଲ କରି ଘର କରିଛନ୍ତି। କିଛିଲୋକ ଜବରଦଖଲ ଜମିରେ ଛୋଟମୋଟ ଘର କରି ତାକୁ ବାହାରୁ ଆସୁଥିବା ନିର୍ମାଣ ଶ୍ରମିକ ଓ ଅନ୍ୟମାନଙ୍କୁ ଭଡ଼ାରେ ଲଗାଇ ଅର୍ଥ ଉପାର୍ଜନ କରୁଛନ୍ତି। ଏପରିକି କିଛିଲୋକ ବିଭିନ୍ନ ଉପାୟରେ ନିରୀହ ଆଦିବାସୀମାନଙ୍କ ଜମି ହାତଉଥିବା ବି ଅଭିଯୋଗ ହେଉଛି। ଏହାକୁ କେନ୍ଦ୍ର କରି ବିଭିନ୍ନ ସମୟରେ ଉକ୍ତ ଅଂଚଳରେ ଆଇନଶୃଙ୍ଖଳା ବ୍ୟାହତ ହେଉଛି। ଏବେ ସହରରେ ସୃଷ୍ଟ ଅଶାନ୍ତ ବାତାବରଣ ପଛରେ ମୁଖ୍ୟତଃ ସେହି ବହିରାଗତଙ୍କ ହାତଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ପ୍ରଶାସନ ଉକ୍ତ ଅଞ୍ଚଳରେ ରହୁଥିବା ବାହାର ଲୋକଙ୍କ ଉପଯୁକ୍ତ ପରିଚୟ ରେକର୍ଡଭୁକ୍ତ କରିବା ଜରୁରୀ ବୋଲି ସହରର ସଚେତନ ନାଗରିକ ମହଲ ବିଭିନ୍ନ ସମୟରେ ଦାବି କରିଆସୁଛନ୍ତି। ଖାସ୍ କରି ପଶ୍ଚିମବଙ୍ଗ, ବିହାର ଓ ବାଂଲାଦେଶରୁ ଆସୁଥିବା ଲୋକଙ୍କର ପରିଚୟ ଧନୁପାଲି ଥାନାରେ ରହିବା ଜରୁରୀ। ଅନେକ ଏଠାକୁ ଆସି ସ୍ଥାନୀୟ ପରିଚୟପତ୍ର କରାଇ ନେଉଛନ୍ତି। ସେମାନଙ୍କୁ ସେଥିରୁ ରୋକାଯିବା ଆବଶ୍ୟକ। ଯେଉଁମାନଙ୍କ ନାମରେ କୌଣସି ଅପରାଧିକ ରେକର୍ଡ ରହିଛି ସେମାନଙ୍କ ଉପରେ ସତର୍କ ନଜର ରହିବା ଓ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ମତପ୍ରକାଶ ପାଇଛି। ତେବେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନୁହେଁ, ପେଟପାଟଣା ନାଁେର ରାଜ୍ୟ ବାହାରୁ ସହରକୁ ଆସି ବିଭିନ୍ନ ବେଆଇନ ଓ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ସମସ୍ତ ଲୋକଙ୍କୁ ତୁରନ୍ତ ଠାବ କରି ସେମାନଙ୍କୁ ତଡ଼ିପାର କରାଯିବାର ଜରୁରି ଆବଶ୍ୟକତା ରହିଛି ବୋଲି ଦଳମତ ନିର୍ବିଶେଷରେ ସହରବାସୀ ଦାବି କରୁଛନ୍ତି। ବିଳମ୍ବରେ ହେଲେ ବି ପୁଲିସ୍, ପ୍ରଶାସନ ଏ ଦିଗରେ ମୁଣ୍ଡ ଖେଳାଇବା ଆରମ୍ଭ କରିଛି। ସରକାରୀ ଜମିରେ ଘର କରି ବେଆଇନ କାର୍ଯ୍ୟ ଓ ହିଂସାରେ ଲିପ୍ତଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ଓ ଘର ଭଙ୍ଗାଯିବ ବୋଲି ସମ୍ବଲପୁର ଏସ୍ପିଙ୍କ ବୟାନ ଏହାକୁ ଇଂଗିତ କରୁଛି। ଅନ୍ୟ ସରକାରୀ ପ୍ରତିଶ୍ରୁତି ଭଳି କେବଳ ପ୍ରତିଶ୍ରୁତିରେ ରହି ନଯାଇ ଏହି କାର୍ଯ୍ୟାନୁଷ୍ଠାନ ତୁରନ୍ତ ଆରମ୍ଭ ହେଉ ଏବଂ ସହରରେ ପୂର୍ବର ଭାଇଚାରା ଓ ଶାନ୍ତି ବାହାଲ ହେଉ ବୋଲି ସାଧାରଣରେ ଦାବି ହୋଇଛି।