ସମ୍ବଲପୁର ଦେବଝରନ୍ ଜଳପ୍ରପାତରେ ବୁଡି ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ସଲିଳ ସମାଧି

ସମ୍ବଲପୁର: ଶନିବାର ସକାଳେ ସମ୍ବଲପୁର ଭିସୁଟ (ଭିଏସ୍‌ଏସ୍‌ୟୁଟ)ଇଞ୍ଜିନିୟରିଂ କଲେଜର ପାଠପଢ଼ୁ ଥିବା ଦୁଇଜଣ ଛାତ୍ରଙ୍କ ଦେବଝରନ୍ ଜଳପ୍ରପାତରେ ବୁଡ଼ି ଯିବା ହେତୁ ତାଙ୍କର ମୃତ୍ୟୁ ହୋଇଛି। ମୃତ ଦୁଇ ଇଞ୍ଜିନିୟର ଛାତ୍ରଙ୍କ ମଧ୍ୟରୁ ଜଣେ ଭୋପାଳର ସୌମ୍ୟରଞ୍ଜନ ବେହୁରିଆ ହୋଇଥିବା ବେଳେ ଆଉ ଜଣେ ହୀରାକୁଦର ଅଭିଜିତସାମଲ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସକାଳେ ସମ୍ବଲପୁର ଭିସୁଟ (ଭିଏସ୍‌ଏସ୍‌ୟୁଟ)ଇଞ୍ଜିନିୟରିଂ କଲେଜର କମ୍ପ୍ୟୁଟର ସାଇନ୍ସ ବିଭାଗର ତୃତୀୟ ବର୍ଷର ୪୦ଜଣ ଛାତ୍ର ବଣ ଭୋଜି ପାଇଁ ଜୁଜୁମରା ଦେବଝରନ୍ ଜଳପ୍ରପାତକୁ ଯାଇଥିଲେ। ସେଠାରେ ମଜାମସ୍ତିରେ ଗାଧୋଉ ଥିବା ସମୟରେ ଗୋଡ଼ ଖସି ପାଣିରେ ବୁଡି ଯାଇଥିଲେ। ଏହି ସମୟରେ ସେଠାରେ ଅନ୍ୟ ଏକ ପରିବାର ଭୋଜି କରୁଥିଲେ। ଛାତ୍ରଙ୍କୁ ବୁଡ଼ି ଯାଉଥିବା ଦେଖି ସେମାନେ ଘଟଣାସ୍ଥଳକୁ ଦୌଡ଼ି ଆସି ପାଣି ଭିତରୁ ଦୁହିଁଙ୍କୁ ଉଦ୍ଧାର କରିଥିଲେ। ସଙ୍ଗେସଙ୍ଗେ ସୌମ୍ୟରଞ୍ଜନ ବେହୁରିଆ ଓ ଅଭିଜିତ ସାମଲଙ୍କୁ ଜୁଜୁମୁରା ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ଦୁହିଁଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ।

ଏହି ଘଟଣାକୁ ନେଇ ସମ୍ବଲପୁର ଭିସୁଟ (ଭିଏସ୍‌ଏସ୍‌ୟୁଟ)ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷ କହିଛନ୍ତି ଯେ ପିଲାମାନେ ବଣଭୋଜି ଯାଇଥିବା କୌଣସି ସୂଚନା ସେମାନେ ପାଇ ନ ଥିଲେ। ଆଜି କ୍ଲାସ ଥିଲା ସେମିତି କିଛି ଭୋଜିର ଆୟୋଜନ କରାଯାଇ ନ ଥିଲା। ୪୦ଜଣ ପିଲା କୌଣସି ସୂଚନା ନ ଦେଇ କଲେଜରୁ ଲୁଚି ଯାଇଥିବା କଲେଜ କର୍ତ୍ତୃପକ୍ଷ କହିବା ସହିତ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ମୃତ ଦୁଇ ଛାତ୍ରଙ୍କ ପରିବାରଲୋକଙ୍କୁ ଯୋଗାଯୋଗ କରି ଏହି ଘଟଣା ବିଷୟରେ ଜଣାଇବାକୁ ଉଦ୍ୟମ ଚାଲିଛି।

ସମ୍ବନ୍ଧିତ ଖବର