ସମ୍ବଲପୁର : ‘ସମ୍ବାଦ ଗ୍ରୁପ୍’ ଆନୁକୂଲ୍ୟରେ ସମ୍ବଲପୁର ଜୋନ୍ସ୍ତରୀୟ ବାର୍ଷିକ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଯଥାକ୍ରମେ ସାକ୍ଷୀପଡ଼ା ‘ସମ୍ବାଦ ଭବନ’ ଓ ତପସ୍ବିନୀ ଜିଲ୍ଲା ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ସାରେଗାମାରେ ୩୧ ଓ ବିତର୍କରେ ୨୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ବିତର୍କରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ଛାତ୍ରୀ ଅନ୍ନଦା ଦାଶ ପ୍ରଥମ, ସାରସ୍ବତ ଡିଗ୍ରି ମହାବିଦ୍ୟାଳୟ, ଗୋଡ଼ଭଗାର ଛାତ୍ର ସୁମିତ କୁମାର ପ୍ରଧାନ ଦ୍ବିତୀୟ ଏବଂ ଗଂଗାଧର ମେହେର ବିଶ୍ବବିଦ୍ୟାଳୟ ସମ୍ବଲପୁରର ଛାତ୍ରୀ ସୁପ୍ରୀତି ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ସେହିପରି ସାରେଗାମାରେ ବିକାଶ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜିର ଛାତ୍ରୀ ଆସ୍ଥା ମହାପାତ୍ର ପ୍ରଥମ, ଉତ୍କଳ ସଂଗୀତ ମହାବିଦ୍ୟାଳୟ ଭୁବନେଶ୍ବରର ଛାତ୍ର ରୋନକ ମହାନ୍ତି ଦ୍ବିତୀୟ ଏବଂ ପଞ୍ଚାୟତ କଲେଜ୍ ବରଗଡ଼ର ଛାତ୍ର ଯୋଗେଶ୍ବର ଦାଶ ତୃତୀୟ ସ୍ଥାନ ଲାଭ କରିଥିଲେ। ବିତର୍କରେ ଗଂଗାଧର ମେହେର ବିଶ୍ବବିଦ୍ୟାଳୟ ଭୀମ ଭୋଇ ଚେୟାର୍ର ଚେୟାର୍ପର୍ସନ୍ ଡ. ପ୍ରଦୀପ ପଣ୍ଡା, ଗଂଗାଧର ମେହେର ବିଶ୍ବବିଦ୍ୟାଳୟ ଇଂରାଜୀ ବିଭାଗର ଦୁଇ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. କାମଦେବ ସାହୁ ଏବଂ ଡ. ବିଷ୍ଣୁପ୍ରିୟା ହୋତା ବିଚାରକ ଭାବେ ଯୋଗ ଦେଇଥିଲେ। ସାରେଗାମାରେ ବରିଷ୍ଠ ଗାୟକ ବିଭୂତି ପଟ୍ଟନାୟକ, ସଂଗୀତଜ୍ଞ ଶଂକର ପ୍ରଧାନ, ଲୋକପ୍ରିୟ ଲୋକଗାୟକ ତଥା ଗୀତିକାର ସର୍ବେଶ୍ବର ଭୋଇ ଏବଂ କଣ୍ଠଶିଳ୍ପୀ ଡ. ଦେବସ୍ମିତା ମିଶ୍ର ବିଚାରକ ଦାୟିତ୍ବ ତୁଲାଇ ଥିଲେ।