ବୁର୍ଲା: ସମ୍ବଲପୁରୀ ବସ୍ତ୍ରର ଶିଳ୍ପୀ ଓ ବୁଣାକାର ମାନଙ୍କ ପାଇଁ ଏକ ବୃହତ୍ ଓ ବ୍ୟାପକ ବଜାରର ଦ୍ବାର ଖୋଲିଛି। ଆଇଆଇଏମ୍ ସମ୍ବଲପୁର ଓ ଫ୍ଲିପ୍କାର୍ଟ ମଧରେ ମଙ୍ଗଳବାର ଏକ ବୁଝାମଣା ପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହେବା ଫଳରେ ସ୍ଥାନୀୟ ବୁଣାକାର ମାନଙ୍କ ପାଇଁ ଏକ ନୂଆ ଡିଜିଟାଲ୍ ପ୍ଲାଟ୍ଫର୍ମ ଖୋଲିଛି। ସମ୍ବଲପୁରୀ ବସ୍ତ୍ର ଏଣିକି ଫ୍ଲିପ୍କାର୍ଟ ଭଳି ଦେଶର ଅଗ୍ରଣୀ ଇ-କମର୍ସ ପ୍ଲାଟ୍ଫର୍ମରେ ଉପଲବ୍ଧ ହେବ। ସେହିପରି ବୁଣାକାର ଓ ଶିଳ୍ପୀମାନଙ୍କ ଔଦ୍ୟୋଗିକ ଦକ୍ଷତା ବୃଦ୍ଧି ପାଇଁ ଆଇଆଇଏମ୍ ସମ୍ବଲପୁର ଓ ଏସ୍ଆଇଡିବିଆଇ (ସିଡ୍ବି) ମଧ୍ୟରେ ବି ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। ଏହି ପରିପ୍ରେକ୍ଷୀରେ ଆଇଆଇଏମ୍ ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ବାଲ ସୂଚନା ଦେଇ କହିଲେ, ଏଣିକି ଆଇଆଇଏମ୍ ସମ୍ବଲପୁର ଜରିଆରେ ସମ୍ବଲପୁରୀ ବସ୍ତ୍ର ତିଆରି ଓ ବିକ୍ରି କରୁଥିବା ବ୍ୟକ୍ତି ଫ୍ଲିପକାର୍ଟ୍ର ସମସ୍ତ ସୁବିଧା ପାଇପାରିବେ।
ବୁଣାକାରମାନଙ୍କ ଘରୁ ତାଙ୍କ ଉତ୍ପାଦିତ ସାମଗ୍ରୀ ସଂଗ୍ରହ, ତାହାର ଉପଯୁକ୍ତ ପ୍ୟାକିଂ ସହିତ ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ଓ ଆବଶ୍ୟକ ସ୍ଥଳେ ତାହା ଫେରାଇ ଆଣିବାକୁ ଫ୍ଲିପକାର୍ଟ୍ ଚୁକ୍ତିବଦ୍ଧ ହୋଇଛି। ଫ୍ଲିପକାର୍ଟ୍ ପକ୍ଷରୁ ପୂର୍ବାଞ୍ଚଳ ନିର୍ଦ୍ଦେଶକ ଆକାଶ ମିଶ୍ର ପ୍ର. ଜୟସ୍ବାଲଙ୍କ ସହ ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ ଓ କମ୍ପାନିର ଦାୟିତ୍ଵ ବିଷୟରେ ଆଲୋକପାତ କରିଥିଲେ। ସିଡ୍ବି ମୁଖ୍ୟ ମହାପ୍ରବନ୍ଧକ ଡ. ଶୁଭ୍ରାଂଶୁ ଆଚାର୍ଯ୍ୟ ଏହି ପରିପ୍ରେକ୍ଷୀରେ ସରକାରଙ୍କ ଭୂମିକା ଓ ଦାୟିତ୍ୱ ବିଷୟରେ ସୂଚନା ଦେଇଥିଲେ। ଅଞ୍ଚଳର ଦୁଇ ଜଣ ପ୍ରତିଷ୍ଠିତ ବୁଣାକାର ଡ. ସୁରେନ୍ଦ୍ର ମେହେର ଏବଂ ରାମକୃଷ୍ଣ ମେହେର ମଞ୍ଚାସୀନ ରହି ବୁଣାକାରଙ୍କ ସମସ୍ୟା ଓ ଆବଶ୍ୟକତା ସଂପର୍କରେ ଅବଗତ କରାଇଥିଲେ।
ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଉପସ୍ଥିତ ରହି ଫ୍ଲିପକାର୍ଟ୍ ଓ ଆଇଆଇଏମ୍ର ଏହି ଅଭିନବ ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଜଣାଇଥିଲେ। ରାଜ୍ୟ ତଥା ଦେଶରେ ବିଭିନ୍ନ କ୍ଷୁଦ୍ର ଉଦ୍ୟୋଗାଞ୍ଚଳ, ବିଶେଷ କରି ବରଗଡ଼, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାକୁ ନେଇ ଗଠିତ ହସ୍ତତନ୍ତ ଉଦ୍ୟୋଗାଞ୍ଚଳର ଦୀର୍ଘମିଆଦି ବିକାଶ ଏହି ପ୍ରୟାସର ଉଦ୍ଦେଶ୍ୟ ବୋଲି ବକ୍ତାମାନେ କହିଥିଲେ। ଔଦ୍ୟୋଗିକ ସଂସ୍କୃତିକୁ ଇନ୍ଧନ ଦେଇ ଏହି ହସ୍ତତନ୍ତ କ୍ଲଷ୍ଟର୍କୁ ଅଧିକ ସମୃଦ୍ଧ କରିବା, ଦ୍ବିତୀୟ ପିଢ଼ିର ବୁଣାକାର ଓ ଶିଳ୍ପୀଙ୍କ ମଧ୍ୟରେ ପେସାଦାର ଉଦ୍ୟୋଗ ସ୍ଥାପନର ମନୋବୃତ୍ତି ଜାଗୃତ କରିବା, ବ୍ୟବସାୟ ସୁବିଧା ପାଇଁ ବିଭିନ୍ନ ସହାୟତା ସେବାରେ ଏମ୍ଏସ୍ଏମ୍ଇର ପ୍ରବେଶକୁ ସୁଗମ କରିବା, ଯୋଗାଣ ଶୃଙ୍ଖଳାକୁ ଅଧିକ ପ୍ରତିଦ୍ବନ୍ଦ୍ବିତାମୂଳକ କରିବା ଓ କ୍ଲଷ୍ଟରଗୁଡିକର ସ୍ଥାୟିତ୍ବରେ ସହାୟକ ହେବା ତଥା ନିର୍ବାଚିତ କ୍ଲଷ୍ଟର୍ ଗୁଡ଼ିକୁ ଉଦାହରଣ ରୂପେ ବିକଶିତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ବକ୍ତାମାନେ କହିଥିଲେ।