ସମ୍ବଲପୁର: ୨୦୧୩ ମସିହାରୁ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ଅଗଷ୍ଟ ୧ ତାରିଖ ଦିନ ପାଳିତ ହୋଇ ଆସୁଥିବା ‘ସମ୍ବଲପୁରୀ ଦିନ୍’ କ୍ରମେ ଏକ ସାର୍ବଜନୀନ ମହୋତ୍ସବର ରୂପ ନେଇଛି। ସଂସ୍କୃତିର ସହର ସମ୍ବଲପୁରରେ ଏହା ମହାଆଡ଼ମ୍ବରରେ ପାଳିତ ହୋଇଥିଲାବେଳେ ପଶ୍ଚିମ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ଉତ୍ସାହର ସହ ପାଳନ କରାଯାଉଛି। ଚଳିତ ବର୍ଷ ରାଜଧାନୀ ଭୁବନେଶ୍ବରରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାଳେ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଭଳି ଜିଲ୍ଲାରେ କାର୍ଯ୍ୟକ୍ରମକୁ ନେଇ ସରକାରୀ ନିର୍ଦ୍ଦେଶନାମା ଏହି ମହୋତ୍ସବକୁ ଏକପ୍ରକାର ସରକାରୀ ସ୍ବୀକୃତି ଦେଇଛି। ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ସମ୍ବଲପୁରରେ ମୁଖ୍ୟ କାର୍ଯ୍ୟକ୍ରମ ସହ ରାଜ୍ୟର ୨୦ରୁ ଅଧିକ ସ୍ଥାନରେ ଏକକାଳୀନ ସମ୍ବଲପୁରୀ ଦିନ୍ ପାଳନ କରାଯାଇଛି। ସେହିପରି ସମ୍ବଲପୁରୀ ଏକତା ମଞ୍ଚ ତରଫରୁ ପ୍ରଥମ ଥର ପାଇଁ ଏହାକୁ ଆକର୍ଷଣୀୟ ଢଙ୍ଗରେ ଆୟୋଜନ କରା ଯାଇଥିଲା।
/sambad/media/post_attachments/wp-content/uploads/2022/08/sambalpuri-din.jpg)
କରୋନା ପାଇଁ ୨ ବର୍ଷ ବନ୍ଦ ରହି ଥିବାରୁ ଏଥର ଆୟୋଜିତ ସମ୍ବଲପୁରୀ ଦିନ୍ କାର୍ଯ୍ୟକ୍ରମକୁ ନେଇ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ସମ୍ବଲପୁରୀ ଦିନ୍ର ସପ୍ତାହେ ପୂର୍ବରୁ ସମ୍ବଲପୁରବାସୀ କେବଳ ସମ୍ବଲପୁରୀ ପୋଷାକ ପିନ୍ଧିବା ଆରମ୍ଭ କରିଥିଲେ। ଉତ୍ସବ ଦିନ ସକାଳୁ ଛୁଆରୁ ବୁଢ଼ା ପର୍ଯ୍ୟନ୍ତ ଅବାଳ ବୃଦ୍ଧ ବନିତାଙ୍କୁ ସମ୍ବଲପୁରୀ ବେଶ ପୋଷାକରେ ଦେଖିବାକୁ ମିଳିଥିଲା। ବହୁ ଲୋକ ଏହି ଦିନ ପାଇଁ ନୂଆନୂଆ ଡିଜାଇନର୍ ସମ୍ବଲପୁରୀ ପୋଷାକ ତିଆରି କରି ରଖିଥିଲେ। ଦିନ ୨ଟାରୁ ଉଭୟ ଉତ୍ସବ ସ୍ଥଳ ଜେଲ୍ ଛକ-ନେଲ୍ସନ ମାଣ୍ଡେଲା ଛକ ରାସ୍ତା ଓ ଟାଉନ୍ ହଲ୍ ପଡ଼ିଆରେ ଭିଡ଼ ଜମିବା ଆରମ୍ଭ ହୋଇ ଯାଇଥିଲା। ସଂଧ୍ୟା ୪ଟା ବେଳକୁ ରାସ୍ତାଘାଟ ଲୋକାରଣ୍ୟ ହୋଇ ଉଠିଥିଲା।
/sambad/media/post_attachments/wp-content/uploads/2022/08/22-1.jpg)
ଗରମ ଓ ଗୁଳୁଗୁଳି ସତ୍ତ୍ବେ ସମବେତ ହୋଇଥିଲେ ହଜାର ହଜାର ପୁରୁଷ, ମହିଳା, ଶିଶୁ। ଲାଗିଥିଲା ସମ୍ବଲପୁରୀ ସଂସ୍କୃତିର ମେଳା। ନାଚ, ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ଖାଦ୍ୟପେୟରେ ଦିନ ୨ଟାରୁ ରାତି ୧୦ଟା ଯାଏ ମସଗୁଲ ହୋଇ ଯାଇଥିଲେ ସମସ୍ତେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଜେଲ୍ ଛକ-ନେଲ୍ସନ ମାଣ୍ଡେଲା ଛକ ମୁଖ୍ୟ ରାସ୍ତା ଓ ଟାଉନ୍ ହଲ୍ ପଡ଼ିଆ ଦୁଲୁକି ଥିଲା। ସମ୍ବଲପୁରୀ ଏକତା ମଞ୍ଚର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସୁପର୍ ହିଟ୍ ଗୀତ ‘ହର ହର ଶମ୍ଭୁ..’ର ଗାୟିକା ଅଭିଲିପ୍ସା ପଣ୍ଡା ମୁଖ୍ୟ ଆକର୍ଷଣ ପାଲଟିଥିଲେ। ସେ ‘ହର ହର ଶମ୍ଭୁ’ ଗାଇବା ମାତ୍ରେ ଦର୍ଶକ ମତୁଆଲା ହୋଇ ଉଠିଥିଲେ। ତାଙ୍କୁ ଶୁଣିବାକୁ ପଡ଼ିଆ ଓ ରାସ୍ତାଘାଟରେ ଜାଗା ହୋଇ ନଥିଲାବେଳେ ନବନିର୍ମିତ ଫ୍ଲାଇଓଭର୍ ଉପରେ ବି ଦର୍ଶକଙ୍କ ଭିଡ଼ ଜମିଥିଲା। ଏହା ବ୍ୟତୀତ ଅଭିନେତା ମନୋଜ ମିଶ୍ର, ଡ୍ୟାନ୍ସ ଦିୱାନେ ଫାଇନାଲିଷ୍ଟ ପ୍ରତୀକ ନାୟକ, ଗାୟକ ଉମା, ଶାନ୍ତନୁ ପ୍ରମୁଖ ଲୋକଙ୍କୁ ଆକର୍ଷିତ କରିଥିଲେ। ସେହିପରି ପଶ୍ଚିମାଞ୍ଚଳ ଏକତା ମଞ୍ଚର କାର୍ଯ୍ୟକ୍ରମରେ କଳାହାଣ୍ଡିରୁ ନେଇ ସୁନ୍ଦରଗଡ଼ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାର କଳାକାର ମାନେ ଲୋକଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ରଂଗବତୀ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଗାୟିକା କ୍ରିଷ୍ଣା ପଟେଲ ପ୍ରମୁଖ ଆକର୍ଷଣର କେନ୍ଦ୍ରରେ ରହିଥିଲେ।
/sambad/media/post_attachments/wp-content/uploads/2022/08/23-1.jpg)
ଉଭୟ ଉତ୍ସବ ସ୍ଥଳରେ ବିଭିନ୍ନ ପ୍ରକାର ଷ୍ଟଲ୍ ଲାଗିଥିଲା। ବିଭିନ୍ନ ସମ୍ବଲପୁରୀ ଖାଦ୍ୟ ଯଥା ଚାଉଲ୍ବରା, ରସ୍ବରା, ଲେଥା (ଆମ୍ବିଳ), ମୁଢ଼ି ଓ ରାଗ୍ଚନା, ସୁଜି ହଲୁଆ, ଆଦି ମାଗଣାରେ ପରଷା ଯାଇଥିଲା। ଏହାଛଡ଼ା ମଣ୍ଡା, କାକରା, ଆରିସା, ସରସତିଆ ଆଦି ବିଭିନ୍ନ ପ୍ରକାରର ଖାଦ୍ୟ ଷ୍ଟଲ୍ରେ ବିକ୍ରି ହେଉଥିଲା। ସମ୍ବଲପୁରୀ ପୋଷାକ, ସମ୍ବଲପୁରୀ ପୁସ୍ତକ ଆଦିର ମେଳା ଲାଗିଥିଲା। ଚାଟ୍, ଗୁପ୍ଚୁପ୍, ଝାଲମୁଢ଼ି ଆଦି ଭଳିକିଭଳି ଖାଦ୍ୟର ଲୋକେ ମଜା ନେଇଥିଲେ। ଚିତ୍ରକଳା, ରଂଗୋଲି ଆଦିର ପ୍ରଦର୍ଶନୀ ଲାଗିଥିଲା। ସମ୍ବଲପୁରୀ କବିତା ପାଠୋତ୍ସବ ହୋଇଥିଲା। ସ୍ଥାନେସ୍ଥାନେ ସମ୍ବଲପୁରୀ ଫ୍ରେମ୍ର ସେଲ୍ଫି ଷ୍ଟାଣ୍ଡ ଲାଗିଥିଲା।
/sambad/media/post_attachments/wp-content/uploads/2022/08/sambalpuri-din3-750x430.jpg)
ଭବାନୀ ଭୋଇ, ମାନସ ବକ୍ସି ଏବଂ ଡ. ପ୍ରମୋଦ ରଥଙ୍କ ନେତୃତ୍ବରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଆଇଆଇଏମ୍ ନିର୍ଦ୍ଦେଶକ ପ୍ର. ମହାଦେବ ଜୟସ୍ବାଲ, ଜିଲ୍ଲାପାଳ ଅନନ୍ୟା ଦାସ, ଏସ୍ପି ବି ଗଂଗାଧର ଅତିଥିଭାବେ ଯୋଗ ଦେଇ ବରଗଡ଼ ଜିଲ୍ଲା କୁମ୍ଭାରୀର ଶବ୍ଦନୃତ୍ୟ ଗୁରୁ ଭାଗବତ ପ୍ରଧାନଙ୍କୁ ‘ଗୁରୁ ସତ୍ୟ ନାରାୟଣ ବହିଦାର ସମ୍ବଲପୁରୀ ଜାତୀୟ ସମ୍ମାନ ପ୍ରଦାନ’ କରିଥିଲେ। ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, କ୍ରିଷ୍ଣା ପଟେଲ, ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ, ବିଜେଡି ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲ, ପୂର୍ବତନ ଉପନଗରପାଳ ସିଦ୍ଧାର୍ଥ ସାହା, ସୀମାଞ୍ଚଳ ଖଟେଇ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2022/08/24-1.jpg)
ସେହିପରି ସମୀର ରଂଜନ ବାବୁଙ୍କ ନେତୃତ୍ବରେ ଆୟୋଜିତ ସମ୍ବଲପୁରୀ ଏକତା ମଞ୍ଚର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନନ୍ୟା ଦାସ, ଏସ୍ପି ବି. ଗଂଗାଧର, ମନୋଜ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ସଂଗୀତଜ୍ଞ ତଥା ପୁରାତନ ସନ୍ତୋଷ ଟ୍ରଫି ଖେଳାଳି ଅରୁଣ ପ୍ରସନ୍ନ ସେଠ, ସମ୍ବଲପୁରୀ ଗାୟକ ଦିଲୀପ ବାଗ, ଡ୍ୟାନ୍ସ ଦିୱାନେ ଫାଇନାଲିଷ୍ଟ ପ୍ରତୀକ ନାୟକ ଏବଂ ମିସ୍ ଇଣ୍ଡିଆ ପ୍ଲାନେଟ୍ ବିଜୟିନୀ ଅନ୍ବେଷା ଅଦିତି ମହାପାତ୍ରଙ୍କୁ ସମ୍ବର୍ଧିତ କରା ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/sambalpur-din4.jpg)