ସମ୍ବଲପୁର: ପ୍ରଚଳିତ ପରମ୍ପରା ଅନୁସାରେ ନନ୍ଦୋତ୍ସବ ତିଥିରେ ଆଜି ବ୍ରହ୍ମପୁରା ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ବୁଧବାର ୨୦ ସେପ୍‌ଟେମ୍ବର ଦିବା ୧୦ଟା ୨୭ମିନିଟରୁ ୧୦ଟା ୪୨ମିନିଟ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଅର୍ପଣ ନିମ‌ନ୍ନେ ଲଗ୍ନଧାର୍ଯ୍ୟ କରାଯାଇଛି। ରାଜାରାଜୁଡ଼ା ଅମଳରୁ ଚାଲି ଆସୁଥିବା ପରମ୍ପରା ଅନୁସାରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପଣ୍ଡିତମାନଙ୍କୁ ଲଗ୍ନ ନିର୍ଦ୍ଧାରଣ ନିମନ୍ତେ ନିମନ୍ତ୍ରଣ କରାଯାଇଥିଲା।

Advertisment

ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ପୂଜକ ସନ୍ତୋଷ ପୂଜାରୀଙ୍କ ପୂଜାର୍ଚ୍ଚନା ପରେ ପଣ୍ଡିତମଣ୍ଡଳୀ ଦ୍ବାରା ଲଗ୍ନ ବାହାର କରାଯାଇଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ପୂଜକ ସନ୍ତୋଷ ପୂଜାରୀଙ୍କ ଦ୍ବାରା ପୂଜାର୍ଚ୍ଚନା ପରେ ପଣ୍ଡିତ ରବିନାରାୟଣ ପଣ୍ଡା, ଗୋପୀନାଥ ପଣ୍ଡା, ସଚିଦାନନ୍ଦ ମିଶ୍ର କରଶର୍ମା, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଲକ୍ଷ୍ମଣ ବେହେରା, ଚନ୍ଦ୍ରକାନ୍ତ ପାଣିଗ୍ରାହୀ ପ୍ରମୁଖ ପଣ୍ଡିତମଣ୍ଡଳୀ ଦ୍ବାରା ଲଗ୍ନ ଧାର୍ଯ୍ୟ ହୋଇଥିଲା। ଆଉ ଏହା ପରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟର ସରୋଜ ଦଲପତ, ଅମରନାଥ ସୂପକାର, ଶୁଭେନ୍ଦୁ ମିଶ୍ର, ସଂଜୟ ମିଶ୍ର, ସୀତାକାନ୍ତ ପାଣିଗ୍ରାହୀ, ପ୍ରାଣରଂଜନ ପଣ୍ଡା, ପାର୍ଥସାରଥୀ ମିଶ୍ର, ଶୁଭେନ୍ଦ୍ର ପଣ୍ଡା ପ୍ରମୁଖ ମା ସମଲେଶ୍ବରୀ ମନ୍ଦିରକୁ ଯାଇ ଲଗ୍ନ ହସ୍ତାନ୍ତର କରିଥିଲେ। ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ସହିତ ଅନ୍ୟ ପୂଜକ ଓ ଟ୍ରଷ୍ଟବୋର୍ଡ ସଭ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ।