ଭୁବନେଶ୍ୱର : ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ିକୁ ନକଲି ଭାବେ ପ୍ରସ୍ତୁତ କରି ବଜାରରେ ବିକ୍ରି କରାଯାଉଥିବା ଖବର ସଂପୃକ୍ତ ବିଭାଗ ନଜରକୁ ଆସିଛି। ଏହି ଅଭିଯୋଗ ଆଧାରରେ ରାଜସ୍ଥାନର ଭାରତ ବିଜୟ ନାମକ ଏକ କମ୍ପାନୀ ବିରୋଧରେ ବରଗଡ଼ ପୁଲିସ୍ ଥାନାରେ ମାମଲା ରୁଜୁ କରାଯାଇଛି। ଏ ସଂକ୍ରାନ୍ତରେ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ। ଏଭଳି ନକଲି ଶାଢ଼ି ବିକ୍ରି ବିରୋଧରେ ପ୍ରତିଯୋଗିତା କରିବା ପାଇଁ ସ୍ୱତନ୍ତ୍ର ଧରଣର ୫୦୦ରୁ ୮୦୦ ଟଙ୍କା ମଧ୍ୟରେ ସ୍ୱଳ୍ପମୂଲ୍ୟର ଶାଢ଼ି ବଜାରକୁ ଛଡ଼ାଯାଇଛି ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି।
ଆଜି ତାଙ୍କ ବିଭାଗର ପ୍ରଦର୍ଶନ ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଥିଲେ। ସେ କହିଲେ, ହସ୍ତତନ୍ତ ନୀତି ପ୍ରସ୍ତୁତି ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ। ଆଗାମୀ ୨/୩ ମାସ ଭିତରେ ସରକାର ଏହା ଘୋଷଣା କରିବେ। ପୋଷାକ ନୀତି ପ୍ରଚଳନ କରାଯାଇଛି। ରାଜ୍ୟରେ ଆଉ ହ୍ୟାଣ୍ଡଲୁମ୍ ଷ୍ଟୋରର ଆବଶ୍ୟକତା ନାହିଁ। ସୋସାଇଟି ସ୍ତରରେ ବିକ୍ରୟ ତଥା ସଂଗ୍ରହ କେନ୍ଦ୍ରମାନ ଖୋଲାଯାଉଛି। ବୟନିକାର ଆବଶ୍ୟକତା ଦୃଷ୍ଟିରୁ ବରଗଡ଼ ଜିଲ୍ଲାରେ ଏହାର ସଂଗ୍ରହ କେନ୍ଦ୍ର ଖୋଲାଯିବାର ପ୍ରସ୍ତାବ ରହିଛି। ଉତ୍କଳିକା କ୍ଷତିରେ ଚାଲୁଥିଲା। ଗତ ଚାରିବର୍ଷ ଧରି ଏହା ଲାଭାର୍ଜନ କରୁଛି। ଏଣୁ, ଆଗାମୀ ଦିନରେ ରାଜ୍ୟ ଭିତରେ ଏବଂ ବାହାରେ ଅଧିକ ସଂଖ୍ୟକ ସୋ-ରୁମ୍ ଖୋଲାଯିବ। ଓଡ଼ିଶା ଟେକ୍ସଟାଇଲ୍ ମିଲ୍ର ପୁନରୁଦ୍ଧାର ସଂପର୍କରେ ସେ କହିଲେ, ଏହା ଉଚ୍ଚ ନ୍ୟାୟାଳୟଙ୍କ ବିଚାରାଧୀନ। ସେଠାରେ ପାର୍କ ସ୍ଥାପନ ପାଇଁ ହାଇକୋର୍ଟଙ୍କ ନିର୍ଦେଶରେ ଇଡ୍କୋ ପକ୍ଷରୁ ୫୦ କୋଟିର ଅର୍ଥ ଜମା କରାଯାଇଛି।
ବିଭାଗୀୟ ସଫଳତା ସଂପର୍କରେ ମନ୍ତ୍ରୀ କହିଲେ, ଓଡ଼ିଶାର ପୁରାତନ ଓ ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ବଜାୟ ରଖିବା ପାଇଁ ସରକାର ୧୨.୬୮ ଏକର ଜମି ଉପରେ ୩୪.୮୫ କୋଟି ବ୍ୟୟରେ ଓଡ଼ିଶା କଳା ସଂଗ୍ରହାଳୟ ସ୍ଥାପନ କରିଛନ୍ତି। ଏହାକୁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଣାକାର ଓ ହସ୍ତଶିଳ୍ପୀମାନଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ବୁଣାକାର, କାରିଗରମାନଙ୍କ ଉନ୍ନତି ପାଇଁ ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦ ଗଠନ କରାଯାଇଛି। ଗତ ଚାରିବର୍ଷରେ ୫୫୧୭ଜଣ ବୁଣାକାର ଓ ହସ୍ତଶିଳ୍ପୀ ପରିବାରଙ୍କୁ କର୍ମଶାଳା ଓ ଗୃହ ନିର୍ମାଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିବା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/ambal.jpg)