ସମ୍ବଲପୁର: ଚିନ୍ତା ବଢ଼ାଇଲାଣି ସମ୍ବଲପୁର ସହରର ବାୟୁମଣ୍ଡଳ। ଗତବର୍ଷ ଫେବ୍ରୁଆରିରୁ ଅକ୍ଟୋବର ମାସ ମଧ୍ୟରେ ସହର ବାୟୁମଣ୍ଡଳର ସ୍ଥିତି ଅପେକ୍ଷାକୃତ ଭଲ ଥିଲା। ୨୦୨୪ ନଭେମ୍ବର, ଡିସେମ୍ବର ଏବଂ ୨୦୨୫ ଜାନୁଆରିରେ ବାୟୁର ଗୁଣାତ୍ମକ ମାନ ମଡରେଟ୍ ଶ୍ରେଣୀ ଅର୍ଥାତ୍‌ ମଧ୍ୟମ ସ୍ତରରେ ରହିଛି। ତେବେ ଏ ସ୍ଥିତିରେ ଉନ୍ନତି ନ ଆସିଲେ ବାୟୁର ଗୁଣାତ୍ମକ ମାନ ଖରାପ ହେବାକୁ ବେଶୀ ସମୟ ଲାଗିବନି ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।
ସମ୍ବଲପୁର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟର ସୂଚନା ଅନୁସାରେ, ଏଠାକାର ବାୟୁମଣ୍ଡଳରେ ପିଏମ୍‌ ୧୦ ବର୍ତ୍ତମାନ ବଡ଼ ବିପଦ ଭାବେ ଉଭା ହୋଇଛି।

Advertisment

ବାୟୁମଣ୍ଡଳରେ ପିଏମ୍‌ ୧୦ ସାଧାରଣତଃ ୦-୫୪ ମଧ୍ୟରେ ରହିବା କଥା। କିନ୍ତୁ ସହରରେ ଏହା ୧୭୮ରେ ପହଞ୍ଚି ସାରିଛି। ଯାହାକି ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ। ବିଶେଷଜ୍ଞଙ୍କ କହିବାନୁସାରେ, ବାୟୁମଣ୍ଡଳରେ ପିଏମ୍‌୧୦ ଅଧିକ ମାତ୍ରାରେ ରହିଲେ ସିଧାସଳଖ ଫୁସ୍‌ଫୁସ୍‌ ସାଙ୍ଗକୁ ଅନ୍ୟ ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରଭାବ ପକାଏ। କାରଖାନାରୁ ନିର୍ଗତ ଧୂଆଁ ଓ ବର୍ଜ୍ୟବସ୍ତୁ, ବଢୁଥିବା ଯାନବାହନ ଏବଂ ନଡ଼ା ପୋଡ଼ି ବାୟୁ ପ୍ରଦୂଷଣର ବଡ଼ କାରଣ ବୋଲି କୁହାଯାଉଛି। ସହରର ବାୟୁମଣ୍ଡଳରେ ପିଏମ୍‌୨.୫ ୭୦, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ ୨୭.୫ ରହିଥିବା ନେଇ ଜାନୁଆରି ମାସର ରିପୋର୍ଟରେ ଦର୍ଶାଯାଇଛି।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ, ସମ୍ବଲପୁର ସହରର ବରେଇପାଲିରେ ପିଏମ୍‌ ୧୦ ମାତ୍ରା ସର୍ବାଧିକ। ୨୦୨୪ ମସିହା ଜାନୁଆରିରୁ ୨୦୨୫ ମସିହା ଜାନୁଆରିର ରିପୋର୍ଟ ମୁତାବକ ନଭେମ୍ବର, ଡିସେମ୍ବର ଏବଂ ଜାନୁଆରି ପର୍ଯ୍ୟନ୍ତ ବାୟୁର ଗୁଣାତ୍ମକ ମାନ କ୍ରମାଗତ ଭାବେ ମଧ୍ୟମ ସ୍ଥିତିରେ ରହି ଆସୁଛି। ଏହାକୁ ଆକଳନ କରାଗଲେ ୨୦୨୧ ମସିହାରୁ ଅନ୍ୟମାସ ଅପେକ୍ଷା ଜାନୁଆରି ମାସରେ ବାୟୁର ଗୁଣାତ୍ମକ ମାନ ଭଲ ଏବଂ ସନ୍ତୋଷଜନକରୁ ତଳକୁ ଖସି ମଧ୍ୟମ ପର୍ଯ୍ୟାୟକୁ ଚାଲି ଆସିଛି। ୨୦୧୫ ମସିହାରେ ପିଏମ୍‌ ୧୦- ୮୩ ଥିଲା। କିନ୍ତୁ ୨୦୨୧ ମସିହାରେ ୧୫୧, ୨୦୨୩ ମସିହାରେ ୧୪୩ ଏବଂ ୨୦୨୪ ମସିହାରେ ୧୫୭କୁ ଚାଲି ଆସିଛି। ସହରର ବିଗୁଡ଼ୁଥିବା ବାୟୁର ଗୁଣବତ୍ତା ସ୍ଥିତି ବର୍ତ୍ତମାନ ସତର୍କ ଘଣ୍ଟି ସଦୃଶ। ଏବେଠୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ଆଗକୁ ଲୋକେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।