ବୌଦ୍ଧରେ ସମ୍ବର ମାଂସ ଜବତ, ୨ ଜଣ ଶିକାରୀ ଗିରଫ

ବୌଦ୍ଧ: ଶିକାରୀଙ୍କ କବଳରେ ବନ୍ୟ ଜନ୍ତୁ। ଶିକାରୀଙ୍କ ଯୋଗୁଁ ଜଙ୍ଗଲରେ ବନ୍ୟପ୍ରାଣୀଙ୍କର ସଂଖ୍ୟା କମିବାରେ ଲାଗିଛି। ବନ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ ହେଉଥିଲେ ବି ଶିକାରୀମାନେ ଏହି ହିଂସାତ୍ମକ କାମରୁ ନିବୃତ୍ତ ରହୁ ନାହାନ୍ତି। ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମାଧପୁର ରେଞ୍ଜ ସଂରକ୍ଷିତ ଜଙ୍ଗଲରେ ବନ୍ୟପ୍ରାଣୀ ଶିକାର ଥମୁ ନାହିଁ। ପ୍ରାୟ ସପ୍ତାହ ଧରି ମୁଣ୍ଡେଶ୍ୱର ଜଙ୍ଗଲରେ ହାତୀ ଶିକାର ଘଟଣା ଦିନକୁ ଦିନ ଜଟିଳ ହେଉଥିବା ବେଳେ ମଙ୍ଗଳବାର ପୁଣି ସମ୍ବର ଶିକାର କରାଯାଇଥିବା ଘଟଣା ସାମନାକୁ ଆସିଛି।

ବିଭାଗର ଏକ ଟିମ୍‌ ପକ୍ଷରୁ ବୁଧବାର ଗୁଣ୍ଡରିସାହି ଗ୍ରାମରେ ଚଢାଉ କରି ଗୋଟିଏ ମୃତ ସମ୍ବରର ମାଂସ ଜବତ କରଯାଇଥିବା ବେଳେ ସମ୍ପୃତ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରଯାଇଛି। ମଙ୍ଗଳବାର ରାତି ଆଡେନିଗଡ଼ ଜଙ୍ଗଲରୁ ଗୋଟିଏ ସମ୍ବର ଶିକାର ହୋଇଥିବା କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇ ଗୁଣ୍ଡରି ସାହିର ଖଇର ମଲ୍ଲିକ (୫୬)ଓ ରାଜା କନ୍‌ହର୍‌ (୩୫)କୁ ଅଟକ ରଖି ପଚରା ଉଚୁରା କରାଯାଉଥିବା ଜଣାପଡିଛି। ଏସିଏଫ ଜିତେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ହୋଇଥିବା ଚଢାଉରେ ଡେପୁଟି ରେଞ୍ଜର୍‌ ପ୍ରଦୋଷ ମହାରଣା, ମାଧପୁର ରେଞ୍ଜର୍‌ ସରୋଜ ମିଶ୍ରଙ୍କ ସମେତ ମାଧପୁର ରେଞ୍ଜର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର