ଶାଗୁଆନ୍ ଗଛରେ ସମ୍ବର ଛାଲ, ଶିକାରୀଙ୍କ ଆଡ଼ାସ୍ଥଳ ରତନେଇ ଜଙ୍ଗଲ

ଚିକିଟି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନଖଣ୍ଡ ଚିକିଟି ସେକ୍ସନ ରତନେଇ ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ଅବାଧ ଶିକାରକୁ ନେଇ ପରିବେଶବିତ୍‌ ଓ ପଶୁପ୍ରେମୀ ଚିନ୍ତା ପ୍ରକଟ କରିଛନ୍ତି। ଏହି ଜଙ୍ଗଲ ଶିକାରୀଙ୍କ ଆଡ଼ାସ୍ଥଳ ପାଲଟିଥିବା ବେଳେ ବନ ବିଭାଗ କେବଳ ନାମକୁ ମାତ୍ର ଚଢ଼ଉ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିରବଦ୍ରଷ୍ଟା ସାଜିଛି। ବିଶେଷ କରି ବିଦ୍ୟୁତ୍ ତାର ବିଛାଇ ସମ୍ବର ଶିକାର ସହ ‌ମାଂସ ଖୋଲା ବଜାରରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଯାହାକୁ ଆଖିରେ ନଦେଖିଲେ କେହି ବିଶ୍ବାସ କରି ପାରିବେନି।

ନୂଆବର୍ଷ ଦିନ ଏକ ଅଟୋରେ ୧୭୫ କେଜି ସମ୍ବର ମାଂସ ନୂଆପଡ଼ା ଅଞ୍ଚଳକୁ ବିକ୍ରି ପାଇଁ ଯାଉଥିବା ବେଳେ ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ଚଢ଼ଉ କରିଥିଲେ। ଅଟୋ ସହ ସମ୍ବର ମାଂସକୁ ଜବତ ସହ ଜଣେ ଶିକାରୀକୁ ଗିରଫ କରାଯାଇଥିଲା। ଏହି ଘଟଣାର ଦୁଇ ଦିନ ପରେ ରତନେଇ ମନ୍ଦିର ପାର୍ଶ୍ବ ନୂଆବନ୍ଧ ନିକଟ ଶାଗୁଆନ୍ ଗଛ‌ରେ ସମ୍ବର ଛାଲ ଦେଖିବାକୁ ମିଳିଛି। ଗତକାଲି ସମ୍ବରକୁ ଶିକାର ପରେ ତା’ର ଚମଡ଼ାକୁ ଗଛରେ ଓହଳାଇ ଶିକାରୀ ପଳାଇଥିବା କୁହାଯାଉଛି। ବନ ବିଭାଗର ଅପାରଗତା ଓ ଖାମଖିଆଲ ମନୋଭାବ ଯୋଗୁଁ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଉଛି।

ଅନ୍ୟପକ୍ଷରେ ଜଙ୍ଗଲ କ୍ଷୟ ସାଙ୍ଗକୁ ବେଆଇନ ପଥର ବିସ୍ଫୋରଣ ଯୋଗୁଁ ସଞ୍ଜ ନଇଁଲେ ବନ୍ୟଜନ୍ତୁ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଛନ୍ତି। ଯାହାର ସୁଯୋଗ ନେଇ ଶିକାରୀ ମାନେ ସକ୍ରିୟ ହୋଇ ବିଦ୍ୟୁତ୍ ତାର ବିଛାଇ ବେଧଡ଼କ୍ ଶିକାର କରୁଛନ୍ତି। ଗତବର୍ଷ ଡିସେମ୍ବର ମାସରେ ରତନେଶ୍ୱରୀ ମନ୍ଦିର ଆଗରେ ପଶୁ ଶିକାର ପାଇଁ ଜିଆଇ ତାର ବିଛାଇ ବିଦ୍ୟୁତ ଚାର୍ଜ କରାଯାଇଥିଲା। ଏହାର ସଂସ୍ପର୍ଶରେ ଆସି ଜଣେ ଶିଶୁ ଆସି ଗୁରୁତର ହୋଇଥିଲା। ତଥାପି ବନ ବିଭାଗ ନିରବ ଥିବାରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଉ ରତନେଇ ସଂରକ୍ଷିତ ଜଙ୍ଗଲ ଅସୁରକ୍ଷିତ ପାଲଟିଛି। ଏଭଳି ସ୍ଥିତି ଲାଗି ରହିଲେ, ଦିନେ ଏହି ଜଙ୍ଗଲରୁ ବନ୍ୟଜନ୍ତୁ ଲୋପ ପାଇଯିବେ ଏଥିରେ କୌଣସି ଦ୍ବିମତ ନାହିଁ।

ସମ୍ବନ୍ଧିତ ଖବର