ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପୁରସ୍କୃତ ଓଡ଼ିଆ ଛାତ୍ରୀଙ୍କ ନିର୍ମିତ ‘ସମ୍ଭାବନା’

ଭୁବନେଶ୍ୱର : ମଣିଷ ସମାଜ ନିଜର ସ୍ବାର୍ଥ ସାଧନ ପାଇଁ ହିତାହିତ ଜ୍ଞାନ ହରାଇ ବସିଛି। ଭୂତାଣୁକୁ ଜନ୍ମ ଦେଇଛି। ଏବେ ସେଇ କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁ ଆତଙ୍କ ଖେଳାଇ ଦେଇଛି। ଫଳରେ ସମଗ୍ର ବିଶ୍ବ ଆଜି କରୋନା କବଳରେ କବଳିତ। ଏବେଠୁ ସାବଧାନ ନହେଲେ ସ୍ଥିତି ଭୟଙ୍କର ହେବ। ତେଣୁ ପ୍ରତ୍ୟେକ ମଣିଷ ପରିବେଶର ମହତ୍ତ୍ବକୁ ବୁଝି ସୁଧୁରି ଯିବାର ସମୟ ଉପନୀତ। ଜୈବିକ ଖାଦ୍ୟ ଆପଣାଇବା ସହ ଭାଇଚାରା ବଜାୟ ରଖିବାର ଘଡ଼ିସନ୍ଧି ସମୟ। ଏହିଭଳି ଏକ ବଳିଷ୍ଠ ବାର୍ତା ସହ ଛାତ୍ରୀ ଅନୁଷ୍କା ପ୍ରିୟଦର୍ଶିନୀଙ୍କ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ସମ୍ଭାବନା’ ବିଭିନ୍ନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପୁରସ୍କୃତ ହୋଇଥିବା ବ‌େଳେ ୫୦ରୁ ଅଧିକ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି।

ବିଜେବିରେ +୨ ଦ୍ବିତୀୟ ବର୍ଷ ବାଣିଜ୍ୟରେ ଅଧ୍ୟୟନରତ ଅନୁଷ୍କା ଓ ତାଙ୍କ ବାନ୍ଧବୀ ଶୁଭଶ୍ରୀ ପାଣି ୩ ମିନିଟ୍‌ ୭ ସେକେଣ୍ଡ ଅବଧିର ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ପ୍ରସ୍ତୁତ କରିଥିବା ବ‌େଳେ ନିର୍ଦେଶନା ଦେଇଛନ୍ତି ଅନୁଷ୍କା। କ୍ୟାମେରା ପରିଚାଳନା କରିଛନ୍ତି ଆୟୁଷ ଜେନା। ଶାନ୍ତିଲତା ପାଣି ଓ ସନ୍ତୋଷିନୀ ଜେନା ଏହାର ପ୍ରଯୋଜନା କରିଥିବା ବେଳେ ସମ୍ପାଦନା କରିଛନ୍ତି ଶାନ୍ତିରାଜ। ଏହା ପୂର୍ବରୁ ମଧ୍ୟ ଅନୁଷ୍କା ନିଶାର ଭୟାବହତାକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ତାଙ୍କର ଏହି ସମ୍ଭାବନା ଚଳଚ୍ଚିତ୍ରଟି ବେଙ୍ଗଲ ଲକ୍‌ଡାଉନ୍‌ ଅନଲାଇନ ଚଳଚ୍ଚିତ୍ର ଉତ୍ସବ, କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପୁରସ୍କାର ଲାଭ କରିଥିବା ବ‌େଳେ ବର୍ଲିନରେ ପ୍ରଦର୍ଶିତ ହେବାର ଗୌରବ ଲାଭ କରିଛି।

ସମ୍ବନ୍ଧିତ ଖବର