ଭୁବନେଶ୍ୱର: ସାଧାରଣ ସାଂସଦମାନେ ସେମାନଙ୍କର ବାର୍ଷିକ ରିପୋର୍ଟ କାର୍ଡ ଜାରି କରୁଥିବା ଦେଖିବାକୁ ମିଳିଥାଏ। ହେଲେ ପୁରୀ ଲୋକସଭା ଆସନରେ ବିଜେପିର ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ଗତ ନିର୍ବାଚନରେ ହାରିଥିଲେ ବି ସେ ଗତ ୫ବର୍ଷରେ ପୁରୀ ସଂସଦୀୟ କ୍ଷେତ୍ର‌ ଅଞ୍ଚଳର ବିକାଶ ପାଇଁ କ’ଣ କ’ଣ କରିଛନ୍ତି ତା’ର ଏକ ରିପୋର୍ଟ କାର୍ଡ ଜାରି କରିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ‘ପୁରୀ ଲୋକସଭା ବାସୀଙ୍କ ସେବାରେ ଡ. ସମ୍ବିତ ପାତ୍ରଙ୍କ ୫ ବର୍ଷ’ ଶୀର୍ଷକ ରିପୋର୍ଟ କାର୍ଡ ଉନ୍ମୋଚିତ ହୋଇଥିଲା। ଏହାପରେ ଶ୍ରୀ ପାତ୍ର କହିଛନ୍ତି ଯେ ୨୦୧୯ ନିର୍ବାଚନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମୋ ପରୀକ୍ଷା ନେଇଥିଲେ, ମୋତେ ନିର୍ବାଚନରେ ପରାଜୟ ବରଣ କରିବାକୁ ପଡ଼ିଥିଲା। କିନ୍ତୁ ପରାଜୟ ପରେ ମଧ୍ୟ ମୁଁ ନିଜ ଦାୟିତ୍ୱ ନିର୍ବାହରେ କେବେ ପଛଘୁଞ୍ଚା ଦେଇନି। ବିନା କୌଣସି ପଦ ପଦବିରେ ମୁଁ ପୁରୀ ଲୋକସଭା ଅଧୀନସ୍ଥ ପିପିଲି, ସତ୍ୟବାଦୀ, ପୁରୀ, ବ୍ରହ୍ମଗିରି, ଚିଲିକା, ରଣପୁର ଓ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟ କରିଛି। ଏଥର ପୁରୀ ଲୋକସଭା ପାଇଁ ମୋତେ ଜନ ପ୍ରତିନିଧି ଭାବେ ଚୟନ କରି ସେବା ପାଇଁ ସୁଯୋଗ ଦେବେ।

Advertisment

ଶ୍ରୀ ପାତ୍ର ତାଙ୍କ ରିପୋର୍ଟ କାର୍ଡରେ ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର, ପୁରୀ ଲୋକସଭା କ୍ଷେତ୍ର ଅଞ୍ଚଳରେ ରାସ୍ତା ଓ ରେଳସେବାର ବିକାଶ, ଦିବ୍ୟାଙ୍ଗଙ୍କ ସାମାଜିକ ଉତ୍‌ଥାନ, ଡାକସେବା କାର୍ଯ୍ୟା‌ଳୟ ଖୋଲିବା ପାଇଁ ଉଦ୍ୟମ, କୃଷକଙ୍କ ଆର୍ଥିକ ବିକାଶ, ସେବାକାର୍ଯ୍ୟ, ଜନତାଙ୍କ ସହ ସିଧା ସମ୍ବାଦ ଜରିଆରେ ପୁରୀ ଲୋକସଭାବାସୀଙ୍କ ସମସ୍ୟାର ସମାଧାନ, ଚିଲିକା ମୁହାଣରେ ଆଲୋକୀକରଣ, ବୁଣାକାରଙ୍କ ବିକାଶ, ନିରନ୍ତର ସଂସ୍କୃତି ପ୍ରବାହ ପାଇଁ ଆର୍ଥିକ ସହଯୋଗ, ମତ୍ସ୍ୟଜୀବୀଙ୍କ ଆର୍ଥିକ ବିକାଶ, ମାତୃଶକ୍ତି ସଶକ୍ତୀକରଣ ଏବଂ ପ୍ରାଚୀନ କୀର୍ତ୍ତିରାଜି ସଂରକ୍ଷଣ ପାଇଁ ପ୍ରୟାସ ଆଦି ବିଷୟରେ ଉଲ୍ଲେଖ କରିଛନ୍ତି।
ଏହି ରିପୋର୍ଟ କାର୍ଡ ଉନ୍ମୋଚନ କାର୍ଯ୍ୟକ୍ରମରେ ପୁରୀ ଲୋକସଭା ପ୍ରଭାରୀ ଅମିୟ ଦାସ, ସହ ପ୍ରଭାରୀ ଶଙ୍କର ପରିଡ଼ା, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ନୟାଗଡ଼ ଜିଲ୍ଲା ସଭାପତି ତାପସ ରଞ୍ଜନ ମାର୍ଥା ଓ ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।