ଭୁବନେଶ୍ବର: ପୁରୀ ସାଂସଦ ସମ୍ବିତ ପାତ୍ର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଯେଉଁ ଅପମାନସୂଚକ ମନ୍ତବ୍ୟ ଦେଇଛନ୍ତି ତାହା ଦୁର୍ଭାଗ୍ୟଜନକ। ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ଶ୍ରୀ ପାତ୍ର ଅନେକ ଥର ଏଭଳି ଅରୁଚିକର ମନ୍ତବ୍ୟ ଦେଇ ସାଧାରଣରେ ନିନ୍ଦିତ ହୋଇଥିବା କହିଛନ୍ତି ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଲେ, ଅତୀତରେ ନିଜର ହିତାହିତ ଜ୍ଞାନ ଭୁଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭକ୍ତ କହି ସାଧାରଣରେ ନିନ୍ଦିତ ହୋଇଥିଲେ। ଦେଶପାଇଁ ଯେଉଁ ଗାନ୍ଧୀ ପରିବାର ସମର୍ପିତ ସେହି ପରିବାରର ଦାୟଦ ହେଉଛନ୍ତି ରାହୁଲ ଗାନ୍ଧୀ। ତାଙ୍କୁ ଚୀନ୍ ଆଉ ପାକିସ୍ତାନଠାରୁ ଅର୍ଥ ନେବା ଓ ଦେଶଦ୍ରୋହୀ କହି ଆକ୍ଷେପ କରିବାକୁ ପାଗଳର ପ୍ରଳାପ ବୋଲି କୁହାଯାଇପାରେ। ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାସିର ନଵାଜ କହିଲେ, ମୋଦୀ ସରକାର ବହୁ ଚୀନ କମ୍ପାନିଙ୍କୁ ସିକ୍ୟୁରଟି କ୍ଲିୟରାନ୍ସ ଦେଇଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ମୋଦୀ ନା ରାହୁଲ କିଏ ଚୀନ୍ ସଂପର୍କରେ ତାହା ଜଣାପଡ଼ି ଯାଉଛି।
ଦେଶର ବିରୋଧୀ ଦଳର ନେତାଙ୍କ ପ୍ରତି ଜଣେ ସାଂସଦ ଏଭଳି ମନ୍ତବ୍ୟ ଦେବା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେହିପରି କଳା ପତାକା ପ୍ରଦର୍ଶନ କରିଥିବା ଯୁବ କଂଗ୍ରେସର କର୍ମୀମାନଙ୍କ ଉପରେ ପୁଲିସ ୧୦୯ ଭଳି ହତ୍ୟା ଦଫା ଲଗାଇବା ଦୁର୍ଭାଗ୍ୟଜନକ। ବିଜେପି ସରକାର ବିରୋଧୀ ଦଳର ଅଧିକାରକୁ ଛଡ଼ାଇ ନେବା ପାଇଁ ଅପଚେଷ୍ଟା ଜାରି ରଖିଛି। ତୁରନ୍ତ ଯୁବ କଂଗ୍ରେସ କର୍ମୀଙ୍କ ନାମରେ ରୁଜୁ ହୋଇଥିବା ମିଥ୍ୟା ମାମଲାକୁ ପ୍ରତ୍ୟାହାର କରାଯାଉ। ପୁଲିସ ପ୍ରଶାସନ ନିରପେକ୍ଷ ରୁହନ୍ତୁ। ଯଦି ମିଥ୍ୟା ମାମଲା ପ୍ରତ୍ୟାହାର ନ ହୁଏ ତାହାଲେ ଯୁବ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ। ଏହି ସାମ୍ବାଦିକ ସମ୍ମିଳନୀରେ ସୁଦୀପ ସାମଲ, ଆଲୋକ ଦାସ, ମହମ୍ମଦ ପରଭେଜ ଉପସ୍ଥିତ ଥିଲେ।