ପିନାକୀଙ୍କୁ ଖୋଲା ଆହ୍ବାନ ଦେଲେ ସମ୍ବିତ: ‘ସତ୍‌ସାହସ ଅଛି ତ ଖନନସ୍ଥଳକୁ ଆସ’

ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଧରି ଖନନ ଓ ନିର୍ମାଣସ୍ଥଳ ବୁଲିଲେ

ପୁରୀ : ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ବିଜେପି ବିଧାୟକ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ବୁଧବାର ଦିନ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଚାଲିଥିବା ଖନନ ଓ ନିର୍ମାଣସ୍ଥଳ ପରିଦର୍ଶନ କରି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିରର ସୁରକ୍ଷା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏହି ଅବସରରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ପୁଣିଥରେ ଶ୍ରୀ ପାତ୍ର ଖୋଲା ଆହ୍ବାନ ଦେଇଛନ୍ତି। ଦିଲ୍ଲୀରେ ବସି ସଂସଦ ଭଳି ପବିତ୍ର ସ୍ଥାନରେ ମିଛ କହିବା ଅପେକ୍ଷା ଖନନସ୍ଥଳକୁ ଆସି ସତ କ’ଣ ପରଖନ୍ତୁ। ଯଦି ସଦ୍‌ସାହସ ଅଛି, ମୋ ସହ ଖନନସ୍ଥଳ ବୁଲନ୍ତୁ ବୋଲି ଶ୍ରୀ ପାତ୍ର ଆହ୍ବାନ ଦେଇଛନ୍ତି।

ବୁଧବାର ମଧ୍ୟାହ୍ନରେ ଶ୍ରୀ ପାତ୍ରଙ୍କ ସହ ବିଜେପି ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ନୟାଗଡ଼ ଜିଲ୍ଲା ସଭାପତି ଲାଲା ମନୋଜ ରାୟ, ବିଜେପି ନେତ୍ରୀ ଇରାନୀ ରାୟ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କର୍ଷଣ ପରିଡ଼ା, ବିଜେପି ନେତା ଡ. ସୂର୍ଯ୍ୟ ରଥ ପ୍ରମୁଖ ମରିଚିକୋଟ ଛକରୁ ଚାଲିଚାଲି ସିଂହଦ୍ବାରରେ ପହଞ୍ଚିବାପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ଶ୍ରୀ ପାତ୍ର ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି କୋଳରେ ରଖି ଏମାର ମଠ ଖନନସ୍ଥଳ ଓ ଅନ୍ୟାନ୍ୟ ସ୍ଥାନ ବୁଲି ଦେଖିଥିଲେ। ଅନ୍ୟ ବରିଷ୍ଠ ନେତାମାନେ ବି ଖନନସ୍ଥଳ ବୁଲି ନିର୍ମାଣ ପାଇଁ ବ୍ୟବହୃତ ଛଡ଼ ଓ ଅନ୍ୟାନ୍ୟ ସାମଗ୍ରୀ ପରଖିଥିଲେ।

ଏହି ଅବସରରେ ଶ୍ରୀ ପାତ୍ର କହିଛନ୍ତି, ପିନାକୀ ମିଶ୍ର ଅନେକ ବର୍ଷ ଧରି ପୁରୀ ସାଂସଦ ଅଛନ୍ତି। ‌କିନ୍ତୁ ସେ ପୁରୀ କେବେ ଆସନ୍ତିନି। ଦିଲ୍ଲୀରେ ରହି ରାଜନୀତି କରନ୍ତି। ସାଂସଦ ଲୋକତନ୍ତ୍ରର ମନ୍ଦିର ସଂସଦରେ ଛିଡ଼ା ହୋଇ କହିଥିଲେ, ଶ୍ରୀମନ୍ଦିର ଚାରିପାଖରେ ମାତ୍ର ୪ଟି ଶୌଚାଳୟ ନିର୍ମାଣ ହେଉଛି। କିନ୍ତୁ ସାଂସଦଙ୍କ ଘରେ ବି ଶୌଚାଳୟ ନିର୍ମାଣ ହେଉଛି। ଶୌଚାଳୟ ନିର୍ମାଣ ପାଇଁ କେହି ୩୫ ଫୁଟ ଗାତ ଖୋଳନ୍ତିନି। ପିନାକୀ ଖାଣ୍ଟି ମିଛ କହିଛନ୍ତି। ଏହିଭଳି ଟିପ୍ପଣୀ ଦେବାସହ ସାଂସଦ ଏଥିପାଇଁ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ଏଥିସହ ଦଳମତ ନିର୍ବିଶେଷରେ ଭକ୍ତମାନେ ବି ମହାପ୍ରଭୁଙ୍କ ପାଇଁ ଲଢ଼େଇ କରିବାକୁ ଆଗେଇ ଆସିବା ଦରକାର ବୋଲି ଶ୍ରୀ ପାତ୍ର କହିଥିଲେ।

ସମ୍ବନ୍ଧିତ ଖବର