ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ନିୟମିତ ବିଷୟରେ ଏଣିକି ସମାନ ଫି’ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଏବେ ରାଜ୍ୟର ଅଧିକାଂଶ ମହାବିଦ୍ୟାଳୟରେ ନିୟମିତ ପାଠ୍ୟକ୍ରମରେ ଦୁଇ ପ୍ରକାରର ଫି’ ବ୍ୟବସ୍ଥା ରହିଛି। ବିଭାଗରେ ନିୟମିତ ନାମଲେଖା ସରିବା ପରେ କିଛି ସିଟ୍ରେ ସେଲ୍ଫ ଫାଇନାନ୍ସିଂ ମୋଡ୍ରେ ନାମ ଲେଖାଯାଉଛି। ଏଣିକି ଏହି ବ୍ୟବସ୍ଥା ଆଉ ପ୍ରଚଳନ ହେବ ନାହିଁ। ନିୟମିତ ବିଷୟଗୁଡ଼ିକ ପାଇଁ ଏକ ନିର୍ଦ୍ଦିଷ୍ଟ ଫି’ ବ୍ୟବସ୍ଥା ରହିବା ସହ ସେଲ୍ଫ ଫାଇନାନ୍ସିଂ ଭାବେ କୌଣସି ନାମ ଲେଖାଯିବ ନାହିଁ। ଯଦି କୌଣସି ବିଷୟ ସେଲ୍ଫ ଫାଇନାନ୍ସିଂରେ ଚାଲୁଥିବ, ତେବେ ତାହା ଜାରି ରହିବ। ସେଥିରେ କୌଣସି କଟକଣା ରହିବ ନାହିଁ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।
ମେଡିକାଲ ଛାତ୍ରଛାତ୍ରୀଙ୍କ ବାର୍ଷିକ ଦେୟ ଛାଡ଼ ହେଉ: ଏବିଭିପି
ଭୁବନେଶ୍ବର : କରୋନା ସଂକ୍ରମଣ ବ୍ୟାପୁଥିବାରୁ ମେଡିକାଲ୍ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ବହୁ ପରିମାଣରେ ପ୍ରଭାବିତ ହୋଇଛନ୍ତି। ଜଣେ ଗରିବ ଛାତ୍ରଛାତ୍ରୀଙ୍କ ଲାଗି ବାର୍ଷିକ ଦେୟ ଦେବା କଷ୍ଟକର ହୋଇପଡ଼ିଛି। ତେଣୁ ଏହି ଛାତ୍ରଛାତ୍ରୀଙ୍କ ଦେୟ ଛାଡ଼ କରିବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ଆୟାମ ମେଡିଭିଜନ୍ ପକ୍ଷରୁ ରାଜ୍ୟପାଳ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗ, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଦାବିପତ୍ର ପ୍ରଦାନ କରାଯାଇଛି। ଗୁଗୁଲ୍ ଫର୍ମ ମାଧ୍ୟମରେ ୨୩୯୦ ଛାତ୍ରଛାତ୍ରୀ ଏହି ଦାବିପତ୍ରରେ ସ୍ୱାକ୍ଷର କରିଛନ୍ତି। ୯୭.୯% ଛାତ୍ରଛାତ୍ରୀ ବାର୍ଷିକ ଦେୟ ଛାଡ଼ କରିବାକୁ ମତପୋଷଣ କରିଛନ୍ତି। ଏମ୍କେସିଜିର ଅଶିଷ କୁମାର ମହାପାତ୍ର, ଏସ୍ସିବି ମେଡିକାଲ କଲେଜର ବିଶ୍ବଜିତ୍ ସାହୁ, ଭୀମ୍ସାରର ସୂରଜ ଦଣ୍ଡପାଟ, ପିଆର୍ଏମ୍ କଲେଜର ଅରବିନ୍ଦ ପ୍ରସାଦ, ଏଫ୍ଏମ୍ ମେଡିକାଲ କଲେଜର ପ୍ରଭାତ କୁମାର ଦାଶ ପ୍ରମୁଖ ଦାବିକୁ ସମର୍ଥନ କରିଛନ୍ତି। ମେଡିକାଲ୍ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଦେୟ ଛାଡ଼ କରିବାକୁ ମେଡିଭିଜନ୍ର ରାଜ୍ୟ ସଭାପତି ଦେବକୀନନ୍ଦ ସେନାପତି ଦାବି କରିଛନ୍ତି।