ଭୁବନେଶ୍ବର : ରାଜ୍ୟ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ଦଳର ରାଜ୍ୟ ସଭାପତି ହେବା ଆପାତତଃ ସ୍ଥିର ହୋଇଛି। ତାଙ୍କୁ ସର୍ବସମ୍ମତିକ୍ରମେ ଦଳର ସଭାପତି ପ୍ରାର୍ଥୀ ମନୋନୀତ କରାଯାଇଥିବା ସୂଚନା ମିଳିଛି। ୨୦୧୬ ମସିହାରୁ ରାଜ୍ୟ-ଉପସଭାପତି ଥିବା ସମୀର ମହାନ୍ତି ହିଁ ସଭାପତି ହେବା ଏକରକମ ନିଶ୍ଚିତ ହୋଇଯାଇଛି। ବିଧିବଦ୍ଧ ଘୋଷଣା କେବଳ ଏକ ଔପଚାରିକତା ହୋଇଯାଇଛି। ସେ ଖୁବ୍ ଶୀଘ୍ର ନାମାଙ୍କନ ଦାଖଲ କରିବେ ଏବଂ ଆସନ୍ତାକାଲି ତାଙ୍କର ନିଯୁକ୍ତି ବିଧିବଦ୍ଧ ଘୋଷଣା କରାଯିବ।
ଭାରତୀୟ ଜନତା ପାର୍ଟିର ଜଣେ ତୁଙ୍ଗ ନେତା ଭାବେ ଜଣାଶୁଣା ସମୀର ମହାନ୍ତି ଛାତ୍ର ଥିବା ସମୟରୁ ରାଜନୀତିରେ ପାଦ ଦେଇଥିଲେ। ୧୯୭୭ ମସିହାରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇଥିଲେ। ଏହା ପରେ ୧୯୮୫ ମସିହାରେ ସେ ଅଳ୍ପ କାଳ ଲାଗି ସରକାରୀ ଚାକିିରି କରିଥିଲେ। ଏହି ସମୟରେ ସେ ବିଡିଏର ଉପ-ସୂଚନା ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ପରେ ଚାକିରି ଛାଡ଼ି ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ସକ୍ରିୟ ରାଜନୀତିକୁ ଆସିଥିଲେ। ୧୯୯୫ ମସିହାରେ ସେ ବିଜେପିର ଭୁବନେଶ୍ବର ଜିଲ୍ଲା ଉପସଭାପତି ଭାବେ ସାଂଗଠନିକ ଦାୟିତ୍ବ ନିର୍ବାହ କରିଥିଲେ। ୨୦୦୦ରେ ରାଜ୍ୟ ବିଜେପିର ସାଧାରଣ ସଂପାଦକ ହୋଇଥିଲେ ଓ ୨୦୦୯ରେ ଭୁବନେଶ୍ୱର ଏକାମ୍ର ବିଧାନସଭା ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଥିଲେ । ୨୦୧୯ ନିର୍ବାଚନ ସମୟରେ ସେ ନିର୍ବାଚନ ରାଜନୀତିକୁ ନ ଓହ୍ଲାଇ ଦଳର ସାଂଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ବେଶ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା କି, ଚଳିତ ଥର ଉପକୂଳ ଓଡ଼ିଶାର ଜଣେ ନେତାଙ୍କୁ ରାଜ୍ୟ ସଭାପତି କରିବ ବିଜେପି । ବିଗତ ଦିନରେ ଭାରତୀୟ ଜନତା ପାର୍ଟି ମୁଖ୍ୟ ପଶ୍ଚିମ ଓଡ଼ିଶାର ନେତାଙ୍କୁ ସଭାପତି ପଦରେ ନିଯୁକ୍ତି ଦେଇ ଆସୁଥିଲା।
ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି ଯେ ଅପରାହ୍ନ ୩ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ପ୍ରର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ହେବ ଏବଂ ଅପରାହ୍ଣ ୫ଟା ପରେ ଯାଞ୍ଚ ହେବ। ଏହି ନିର୍ବାଚନ ସହ ୨୧ଟି ଲୋକସେବା କ୍ଷେତ୍ରରୁ ନିର୍ବାଚିତ ୨୧ ଜଣ ରାଷ୍ଟ୍ରୀୟ ପରିଷଦ ସଭ୍ୟ ନିର୍ବାଚନ ବି ଅନୁଷ୍ଠିତ ହେବ। ଏମାନେ ସଭାପତି ନିର୍ବାଚନରେ ଅଂଶଗ୍ରହଣ କରିବେ। ଏହି ଅବସରରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ସାଂସଦ ରାଜୀବ ପ୍ରତାପ ରୁଢୀ,ଓଡ଼ିଶା ଦାୟିତ୍ବରେ ଥିବା ସୌଦାନ ସିଂହ, ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Sameer-Mohanty-Will-Be-The-BJP-President_Thumbnail.jpg)