ଭୁବନେଶ୍ବର: ୨୩ ଅଗଷ୍ଟ ୨୦୦୮। ଅର୍ଥାତ୍ ଆଜିକୁ ଠିକ୍ ୧୫ବର୍ଷ ତଳେ କନ୍ଧମାଳ ଜିଲ୍ଲାର ଚକାପାଦସ୍ଥିତ ଜଲେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଏବଂ ତାଙ୍କର ୪ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା। ଶାନ୍ତି ପ୍ରିୟ ଓଡ଼ିଶା ମୁଣ୍ଡରେ ସାଂପ୍ରଦାୟିକ ଦଙ୍ଗାର କଳଙ୍କ ଲାଗିଲା। ବିଶ୍ବରେ ବଦନାମ୍ ହେଲା ରାଜ୍ୟ। ପ୍ରାୟ ମାସେ ପର୍ଯ୍ୟନ୍ତ କନ୍ଧମାଳରେ ଦଙ୍ଗା ପରିସ୍ଥିତି ଲାଗି ରହିଲା। ବହୁ ନିରୀହ ଲୋକଙ୍କ ଜୀବନ ଗଲା। ଏହି ଦଙ୍ଗା ହିଁ ବିଜେପି-ବିଜେଡି ମେଣ୍ଟକୁ ଭାଙ୍ଗିଦେଲା। ଯେଉଁ ବିଜେପିର ହାତ ଧରି ବିଜେଡି ସରକାର ଗଠନ କରିଥିଲା, ସେହି ବିଜେଡି ଧର୍ମନିରପେକ୍ଷ ‌କାର୍ଡ ଖେଳି ବିଜେପି ହାତ ଛାଡ଼ିଦେଲା। ହେଲେ ୧୫ବର୍ଷ ପରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡର ପ୍ରମୁଖ କାରଣ ଆଜି ବି ତଦନ୍ତ କମିସନଙ୍କ ଫାଇଲ୍‌ରେ ବାନ୍ଧି ହୋଇ ରହିଯାଇଛି। ବିଜେପି-ବିଜେଡି ସଂପର୍କରେ ଇତିମଧ୍ୟରେ ସୁଧାର ଆସିଛି। ଅନେକ ପ୍ରସଙ୍ଗରେ ଉଭୟ ଉଭୟଙ୍କ ସହ ହାତ ମିଳାଇ ସାରିଲେଣି। ହେଲେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ଓ ଦଙ୍ଗା ସଂପର୍କରେ ତଦନ୍ତ କମିସନ କଣ କହିଲେ, ସେ କଥା କେହି କିଛି ଜାଣିପାରିଲେ ନାହିଁ। ସବୁଠାରୁ ବଡ଼ କଥା ହେଲା, ରାଜ୍ୟ ବିଜେପି ନେତାମାନେ ବି ଏ ପ୍ରସଙ୍ଗରେ ଆଉ ମୁହଁ ଖୋଲୁନାହାନ୍ତି।

Advertisment

ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପରେ କନ୍ଧମାଳରେ ଦଙ୍ଗା ନିଆଁ ଭଳି ବ୍ୟାପିଯାଇଥିଲା। ପ୍ରାୟ ୩୮ଜଣ ନିରୀହ ଲୋକଙ୍କୁ ହତ୍ୟା କରାଯାଇଥିଲା।
୪୮୨୧ଟି ଘର ପୋଡ଼ିଗଲା, ୨୨୯ଟି ଧର୍ମାନୁଷ୍ଠାନ ମାଟିରେ ମିଶିଗଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ। ରାଜ୍ୟ ସରକାରଙ୍କ ପଦକ୍ଷେପକୁ କେନ୍ଦ୍ର ସରକାର ପ୍ରଶଂସା କଲେ। ମେଣ୍ଟ ସରକାର ଘଟଣାର ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିସନ ବସାଇଲେ। ୭୦୦ରୁ ଅଧିକ ସତ୍ୟପାଠ ଆସିଲା, କମିସନ ୬୫ରୁ ଅଧିକ ସରକାରୀ ଏବଂ ୧୦୦ରୁ ଅଧିକ ବେସରକାରୀ ଲୋକଙ୍କୁ ସାକ୍ଷୀ ଭାବେ ଗ୍ରହଣ କଲେ। ହେଲେ ୨୦୧୨ରେ ଜଷ୍ଟିସ ମହାପାତ୍ରଙ୍କର ବିୟୋଗ ପରେ ତଦନ୍ତ ଅଟକିଗଲା। ସେହିବର୍ଷ ରାଜ୍ୟ ସରକାର ଏହି ତଦନ୍ତ କମିଟିର କମିସନ ଭାବେ ଜଷ୍ଟିସ ଏ.ଏସ୍‌ ନାଇଡ଼ୁଙ୍କୁ ନିଯୁକ୍ତି ଦେଲେ।

ବିଜେପି, କଂଗ୍ରେସ ସମସ୍ତେ ଚୁପ୍
ସଂସଦରେ ଉଠାଇଥିବା ଧର୍ମେନ୍ଦ୍ର ନିରବ
ସିବିଆଇ ତଦନ୍ତ ଦାବି ଜୋର୍ ଧରିଲାଣି

publive-image

ଜଷ୍ଟିସ୍ ନାଇଡ଼ୁ ୨୨ଡିସେମ୍ବରରେ ୨୦୧୫ରେ ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଲେ। କିନ୍ତୁ ରାଜ୍ୟ ସରକାର ୮ବର୍ଷ ହେଲା ଏହି ତଦନ୍ତ କମିସନଙ୍କ ରିପୋର୍ଟକୁ ମାଡ଼ି ବସିଛନ୍ତି। ଆଜି ପର୍ଯ୍ୟନ୍ତ ବିଧାନସଭାରେ ଉପସ୍ଥାପନ କରୁନାହାନ୍ତି। ଯେଉଁ ଘଟଣାରେ ଶାନ୍ତିପ୍ରିୟ ଓଡ଼ିଶା କଳଙ୍କ ମୁଣ୍ଡାଇଲା, ସାରା ବିଶ୍ବରେ ବଦନାମ୍ ହେଲା ସେହି ଘଟଣାର ତଦନ୍ତ ରିପୋର୍ଟକୁ ରାଜ୍ୟ ସରକାର କାହିଁକି ଚାପି ରଖିଛନ୍ତି ତା’ର ଉତ୍ତର ରାଜ୍ୟ ସରକାର ଦେଉନାହାନ୍ତି। ଆଶ୍ଚର୍ଯ୍ୟର ବିଷୟ ଯେ ଯେଉଁ ଦଙ୍ଗା ପାଇଁ ମୁଖ୍ୟମନ୍ତ୍ରୀ ବିଜେପି ହାତ ଛାଡ଼ି ଦେଲେ ଏବଂ ଦଙ୍ଗା ସମୟରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କଲେ, ସେହି ରାଜ୍ୟ ସରକାରଙ୍କର କେଉଁ ଦୋଷକୁ ତଦନ୍ତ କମିସନ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ତାହାକୁ ବିଧାନସଭାରେ ଉପସ୍ଥାପନା କରିବାକୁ ସରକାର ଡରୁଛନ୍ତି ତାହା ଜଣାପଡ଼ୁନି। ଏହି ହତ୍ୟାକାଣ୍ଡ ପଛରେ ତତ୍କାଳୀନ ରାଜ୍ୟ ସରକାରଙ୍କ ସଂପୃକ୍ତି ଥିବା ଦର୍ଶାଇ ‘ଓଡ଼ିଶା ସତ୍ୟ ସନାତନ ପ୍ରଜା ସମିତି’ର ସଭାପତି ଦେବାଶିଷ ହୋତା ରାଜ୍ୟପାଳଙ୍କ ନିକଟରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଶ୍ରୀ ହୋତା କହିଛନ୍ତି ଯେ ଯେଉଁ ସଂଧ୍ୟାରେ ସ୍ବାମୀଜୀଙ୍କ ହତ୍ୟା ହେଲା ସେହି ଘଟଣାବଳୀ ଦେଖିଲେ ରାଜ୍ୟ ସରକାରଙ୍କ ଭୂମିକା ସନ୍ଦେହ ଘେରକୁ ଆସୁଛି। ସ୍ବାମୀଜୀଙ୍କୁ ଆକ୍ରମଣ ହେବା ପୂର୍ବରୁ ତାଙ୍କ ସୁରକ୍ଷାରେ ନିୟୋଜିତ ହୋଇଥିବା ପୁଲିସ କର୍ମଚାରୀମାନେ ‌େ‌ଭାକ ଲାଗୁଥିବାରୁ ବାହାରକୁ ‌ଖାଇବାକୁ ଯିବା ନେଇ ସ୍ବାମୀଜୀଙ୍କୁ କହିଥିଲେ। ଏହାପରେ ସ୍ବାମୀଜୀ ଅନୁମତି ଦେଇଥିଲେ ହେଁ ସମସ୍ତ ପୁଲିସ ଏକସଙ୍ଗେ ଖାଇବାକୁ ତୁମୁଡ଼ିବନ୍ଧ ବ୍ଲକ ମୁଖ୍ୟାଳୟ ନିକଟ (ଆଶ୍ରମରୁ ୩କିମି ଦୂର)କୁ ଯାଇଥିଲେ। ପୁଲିସ ଆଶ୍ରମ ଛାଡ଼ିବାର ୧୦ମିନିଟ ପରେ ହଠାତ୍ ଆଶ୍ରମ ପରିସରର ବିଦ୍ୟୁତ ସଂଯୋଗ କଟିଗଲା। ଚତୁର୍ଦ୍ଦିଗ ଅନ୍ଧାର ହେବାର ୧୦ରୁ ୧୫ମିନିଟ ପରେ ୧୫ରୁ ୨୦ଜଣ ମୁଖାଧାରୀ ବନ୍ଧୁକ ଧରି ଆଶ୍ରମ ପାଚେରୀ ଡେଇଁ ଭିତରକୁ ଯାଇଥିଲେ। ଆଉ ସ୍ବାମୀଜୀଙ୍କ ହତ୍ୟା କରି ଫେରାର୍ ହୋଇଗଲେ।

ଏକସଙ୍ଗେ ସମସ୍ତ ପୁଲିସ କର୍ମଚାରୀଙ୍କୁ ଭୋକ ଲାଗିବା, ପୁଲିସ ଯିବା ପରେ ଆଶ୍ରମର ଲାଇନ୍ କଟିଯିବା ଏବଂ ସମସ୍ତ ଆତତାୟୀ ମୁଖା ପିନ୍ଧି ହତ୍ୟା କରିବାକୁ ଆସିବା ଘଟଣା ସନ୍ଦେହଜନକ। ଏହାବାଦ୍ ତଦନ୍ତ କମିସନ ରିପୋର୍ଟ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପନ କରିନାହାନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ସଂସଦରେ ଏହି ଘଟଣାରେ ଅଭିଯୁକ୍ତ ଓ ଷଡ଼ଯନ୍ତ୍ରକାରୀଙ୍କ ନାଁ ଧରି ସଂସଦରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ହେଲେ ଏବେ କାହିଁକି ସେ ଚୁପ୍ ରହିଛନ୍ତି? ତେଣୁ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ। କେବଳ ‘ଓଡ଼ିଶା ସତ୍ୟ ସନାତନ ପ୍ରଜା ସମିତି’ ନୁହେଁ, ପୂର୍ବରୁ ବିଶ୍ବ ହିନ୍ଦୁ ପରିଷଦ ବି ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ହେଲେ ରାଜ୍ୟ ସରକାର କି ରାଜ୍ୟପାଳ କେହି ଏହାକୁ ଗୁରୁତ୍ବ ଦେଇନାହାନ୍ତି। ଅପରପକ୍ଷେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡରେ ରାଜ୍ୟ ସରକାର ବସାଇଥିବା ଫାଷ୍ଟ ଟ୍ରାକ୍ କୋର୍ଟ ଅକ୍ଟୋବର ୨୦୧୩ରେ ଶୁଣାଣି ଶେଷ କରି ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ କିନ୍ତୁ ସୁପ୍ରିମକୋର୍ଟରୁ ସମସ୍ତଙ୍କୁ ଆଶ୍ବସ୍ତି ମିଳିଛି। ଏବେ କୌଣସି ଜଣେ ବି ହତ୍ୟା ଅଭିଯୁକ୍ତ ଜେଲ୍‌ରେ ନାହାନ୍ତି। ଯେଉଁମାନେ ହତ୍ୟା କଲେ ସେମାନେ ତ ଧରାହେଲେ? ହେଲେ ହତ୍ୟାକାଣ୍ଡ ପାଇଁ କିଏ ଷଡ଼ଯନ୍ତ୍ର କରିଥିଲେ? ତାହା ଏପର୍ଯ୍ୟନ୍ତ ଜଣାପଡ଼ିଲାନି।