ଆଦିବାସୀ ମହିଳାଙ୍କ ଆଲୋକବର୍ତ୍ତିକା ସମିମା ବେଗମ୍‌ : ଆର୍ଥିକ ବିକାଶର ବାଟ ଦେଖାଉଛନ୍ତି

ସୁନ୍ଦରଗଡ଼, (ଡମ୍ବୁରଧର ନାୟକ): ସୁନ୍ଦରଗଡ଼ର ସମିମା ବେଗମ। ମୁସଲିମ ଘରର ଝିଅ, ବ୍ରାହ୍ମଣ ଘରର ବୋହୂ। ବ୍ରାହ୍ମଣ ପୁଅର ହାତ ଧରିବା ପରେ ଧାର୍ମିକ ଅସହିଷ୍ଣୁତା ତାଙ୍କୁ ଦୋ’ଛକିରେ ଠିଆ କରିଦେଇଥିଲା। ଭିନ୍ନ ଧର୍ମରେ ବିବାହ କରିଥିବାରୁ ପରିବାର ଲୋକେ ତାଙ୍କୁ ତ୍ୟାଜ୍ୟ କରି ଦେଇଥିଲେ। ଆଉ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ତାଙ୍କୁ ବୋହୂ ଭାବେ ସ୍ବୀକୃତି ଦେବା ଏତେ ସହଜ ନଥିଲା। ସେ କିନ୍ତୁ ହାରି ଯାଇ ନଥିଲେ, ଲଢ଼ିଥିଲେ। ମହିଳାମାନଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଥିଲେ।

ସୁନ୍ଦରଗଡ଼ର ଗାଁ ଅଞ୍ଚଳରୁ ବହୁ ନାବାଳିକା, ଯୁବତୀଙ୍କୁ ଦଲାଲମାନେ ରୋଜଗାରର ଲୋଭ ଦେଖାଇ ବାହାର ରାଜ୍ୟକୁ ଚାଲାଣ କରି ବିକ୍ରି କରି ଦେଉଥିଲେ। ଯୁବତୀ ଚାଲାଣର ବହୁ ନିର୍ମମ ଘଟଣା ସମିମାଙ୍କୁ ବ୍ୟଥିତ କରିଥିଲା। ସେ ବହୁ ଯୁବତୀଙ୍କୁ ଉଦ୍ଧାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ଚାଲାଣ ରୋକିବାକୁ ଆଦିବାସୀ ଯୁବତୀମାନଙ୍କ ହାତରେ ରୋଜଗାର ଓ ପରିବାରର ଆର୍ଥିକ ବିକାଶ ଜରୁରୀ ବୋଲି ସେ ଜାଣିଥିଲେ। ସମିମା ଆଦିବାସୀ ମହିଳାଙ୍କୁ ସଞ୍ଚୟ କଥା ଶିଖାଇଲେ। ସଞ୍ଚୟ କିପରି ଜରୁରୀ ସମୟରେ କାମ ଦିଏ ତାହା ବୁଝାଇଲେ।

ପ୍ରଥମେ ପ୍ରଥମେ ଏଥିପ୍ରତି ଆଗ୍ରହ ଦେଖାଇ ନଥିଲେ ଆଦିବାସୀ। ସେଥିପାଇଁ ସମିମାଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିଥିଲା। ସେମାନଙ୍କ ଘର, ପରିବାରକୁ ଗଲେ ସେ। ଯାତ୍ରା, ପର୍ବ ସହ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କଲେ। ଏପରିକି ବିଲରେ ପଶି ଚାଷ କଲେ। ଆଦିବାସୀ ମହିଳାମାନେ ବିଶ୍ବାସକୁ ନେବା ପରେ ତାଙ୍କ କଥା ଶୁଣିଲେ। ଏବେ ସମିମାଙ୍କ କର୍ମଭୂମି ଜିଲ୍ଲାର ବାଲିଶଙ୍କରା, ଲେଫ୍ରିପଡ଼ା, ସବଡେଗା, ରାଜଗାଙ୍ଗପୁର, ସୁନ୍ଦରଗଡ଼ ବ୍ଳକ୍‌ ଅଞ୍ଚଳକୁ ଲମ୍ବି ଯାଇଛି। ଅବହେଳିତ ଆଦିବାସୀ କୃଷକ, ମହିଳା ଚାଷୀ, ଏକାକୀ ମହିଳା, ଅବିବାହିତା ମହିଳାଙ୍କ ଆର୍ଥିକ ବିକାଶ ପାଇଁ ବାଟ ବାହାର କରିଛନ୍ତି। ପ୍ରାୟ ୫ ଶହ ଚାଷୀ ପରିବାରକୁ ସେ ବାଟ ଦେଖାଇଛନ୍ତି।

ମାଣ୍ଡିଆ, ଗୁଲଜି, ବାଜରା, ଯଅ, କଦୋ ପରି କ୍ଷୁଦ୍ରଶସ୍ୟ ଉତ୍ପାଦନ ଠାରୁ ଆରମ୍ଭ କରି ସେଥିରୁ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରି ପାଇଁ ଜିଲ୍ଲାରେ ଏକ ଲୋକପ୍ରିୟ ଅଭିଯାନ ଆରମ୍ଭ କରିଛନ୍ତି ସେ। ପ୍ରାୟ ୨ ଶହ ମହିଳା ଚାଷୀ ଏହି କ୍ଷୁଦ୍ରଶସ୍ୟର ଖାଦ୍ୟ ପ୍ରସ୍ତୁତି ଓ ବିକ୍ରିରେ ନିୟୋଜିତ ହୋଇଥିବା ବେଳେ ଏବେ ଜିଲ୍ଲା ପ୍ରଶାସନ ଏ ଯୋଜନାକୁ ହାତକୁ ନେଇଛି। ସ୍ଥାନୀୟ ମହିଳାଙ୍କ ହସ୍ତଶିଳ୍ପକୁ ପ୍ରୋତ୍ସାହନ ଓ ବଜାର ସୁବିଧା ଯୋଗାଇବା ଦିଗରେ ସେ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ଏହାବ୍ୟତୀତ ନାବାଳିକା ଓ ମହିଳାମାନଙ୍କ ଜଣେ ସଫଳ ପରାମର୍ଶଦାତ୍ରୀ ଭାବେ ସେ ସମସ୍ତଙ୍କ ବିଶ୍ବାସ ଜିଣିଛନ୍ତି।

ଧାର୍ମିକ ରକ୍ଷଣଶୀଳ ପରିବାରର ଝିଅ ଓ ବୋହୂ ହୋଇ ମଧ୍ୟ କଠୋର ପୁରୁଷକୈନ୍ଦ୍ରିକ ବ୍ୟବସ୍ଥା ବିରୋଧରେ ଯୋଜନାବଦ୍ଧ ଭ‌ାବେ ଲଢ଼େଇ ଚଲାଇଥିବା ସମିମା ଏବେ ସୁନ୍ଦରଗଡ଼ରେ ମହିଳା ସଶକ୍ତିକରଣର ବଳିଷ୍ଠ ଚେହେରା ପାଲଟିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୧୦ରେ ସାମାଜିକକର୍ମୀ ସୁରୁ ମିଶ୍ରଙ୍କୁ ପ୍ରେମ ବିବାହ କରି ସୁନ୍ଦରଗଡ଼ ଆସିଥିଲେ। ତାଙ୍କର ଜନ୍ମସ୍ଥାନ ସୋନପୁର।

ସମ୍ବନ୍ଧିତ ଖବର