ନୂଆ ମନ୍ତ୍ରିମଣ୍ଡଳରେ ପୁଣି ସମୀର, ତୁଷାରକାନ୍ତି

ପୁରୀ :‌ ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ପୁରୁଣା ମନ୍ତ୍ରିମଣ୍ଡଳ ଭାଙ୍ଗି ନୂଆ ମନ୍ତ୍ରିମଣ୍ଡଳ ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାକୁ ନେଇ ଦିନ ତମାମ ଚର୍ଚ୍ଚା ଜୋର୍ ଧରିବା ପରେ ଯେଉଁମାନେ ନୂଆ ଟିମ୍‌ରେ ସାମିଲ ହୋଇଛନ୍ତି ଆଜି ସନ୍ଧ୍ୟାରେ ସେମାନଙ୍କୁ ଫୋନ୍‌ରେ ସୂଚନା ବି ଦିଆଯାଇଛି। ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ମନ୍ତ୍ରୀ ପଦ ମିଳିବା ସ୍ପଷ୍ଟ ହୋଇଥିଲେ ବି ଜିଲ୍ଲାର ଆଉ କାହାକୁ ମନ୍ତ୍ରୀ ପଦ ମିଳିବ କି କଟିବ ତାହା ଅନିଶ୍ଚିତତାରେ ଥିଲା। ଏପରିକି କାକଟପୁର ବିଧାୟକ ତୁଷାରକାନ୍ତି ବେହେରାଙ୍କୁ ମନ୍ତ୍ରୀ ପଦରୁ ବାଦ ଦିଆ ଯାଇଥିବା ଶେଷ ପର୍ଯ୍ୟନ୍ତ ସମସ୍ତେ ଜାଣିଥିଲେ। କିନ୍ତୁ ଶେଷ ମୂହୂର୍ତ୍ତରେ ସେ ଫୋନ ପାଇବା ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପୁଣି ଥରେ ପୁରୀ ଜିଲ୍ଲାରୁ ଦୁଇ ମନ୍ତ୍ରୀ ନିଜ ମନ୍ତ୍ରୀ ପଦକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦୀୟ ପରିସ୍ଥିତି ଥିବାବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ନବୀନ ସରକାର ମାନଭଞ୍ଜନ ନୀତି ଆପଣାଇ ଶେଷ ମୁହୂର୍ତ୍ତରେ ଏହି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।

ଶନିବାର ଦିନ ମନ୍ତ୍ରିମଣ୍ଡଳ ଅଦଳବଦଳ ଖବର ପ୍ରଚାରିତ ହେବା ପରଠାରୁ ପୁରୀ ଜିଲ୍ଲାର ଦୁଇ ଜଣ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ତୁଷାରକାନ୍ତି ବେହେରା ପୁଣି ମନ୍ତ୍ରିମଣ୍ଡଳରେ ସାମିଲ ହେବେ କି ବାଦ ପଡ଼ିବେ, ତାକୁ ନେଇ ରାଜନୈତିକ ମହଲରେ ଆଲୋଚନା ପର୍ଯ୍ୟାଲୋଚନା ଜୋର୍ ଧରିଥିଲା। କେହି କେହି ଜଣଙ୍କୁ ମିଳିବ, ଅନ୍ୟ ଜଣଙ୍କୁ ମନ୍ତ୍ରୀ ପଦରୁ ବାଦ ଦିଆଯିବ ବୋଲି ଚର୍ଚ୍ଚା ହେଉଥିଲା। ଏପରିକି ଯୁବ ଓ ନୂଆ ମୁହଁ ଭାବେ ରୁଦ୍ରପ୍ରତାପ ମହାରଥୀ ମନ୍ତ୍ରୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ପୁଣିଥରେ ମନ୍ତ୍ରୀ ପଦରେ ବସିବାକୁ ସୁଯୋଗ ମିଳିଛି। ମୁଖ୍ୟମନ୍ତ୍ରୀ ପୁରୀକୁ ଏକ ଐତିହ୍ୟ ସହରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପୁରୀର ବିକାଶକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ମନ୍ତ୍ରୀ ପଦ ପାଇବା ପରେ ଏହି ବିକାଶରେ ସହଭାଗୀ ହୋଇପାରିବି ବୋଲି ଶ୍ରୀ ଦାଶ କହିଛନ୍ତି। ଅନ୍ୟପଟେ ଶ୍ରୀ ବେହେରା ହରିୟାଣା ଗସ୍ତରେ ଥିବାରୁ ତାଙ୍କ ପାଖରେ ଖବର ପହଞ୍ଚିବା ବିଳମ୍ବ ହୋଇଥିଲା ବୋଲି କହିଛନ୍ତି ଶ୍ରୀ ବେହେରାଙ୍କ ନିକଟତମ ବିଶ୍ବସ୍ତ ତଥା ପୁରୀ ଜିଲ୍ଲା ପରିଷଦ ଉପସଭାପତି ସ୍ବାଧୀନ କୁମାର ନାୟକ। ସୂଚନାଯୋଗ୍ୟ, ପୂର୍ବରୁ ଶ୍ରୀ ଦାସ ଗଣଶିକ୍ଷା ମନ୍ତ୍ରୀ ଓ ଶ୍ରୀ ବେହେରା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଥିଲେ।

ସମ୍ବନ୍ଧିତ ଖବର