ସମୀର ମହାନ୍ତି ଛାତ୍ରନେତାରୁ ରାଜ୍ୟ ସଭାପତି

ଭୁବନେଶ୍ବର : ବିଜେପିର ନବନିର୍ବାଚିତ ସଭାପତି ସମୀର ମହାନ୍ତି ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ହୋଇଛନ୍ତି। ଯଦିଓ କିଛି ଦିନ ପାଇଁ ସେ ସରକାରୀ ଚାକିରି କରିଥିଲେ, ତେବେ ରାଜନୀତି ପ୍ରତି ଦୁର୍ବଳତା ଯୋଗୁ ଚାକିରି ଛାଡ଼ିଥିଲେ। ଭୁବନେଶ୍ବରର ବହୁ ସଂଗଠନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଥିବା ଶ୍ରୀ ମହାନ୍ତି ବିଜେପିର ବିଭିନ୍ନ ପଦପଦବିରେ ସଫଳତାର ସହ ଦାୟିତ୍ବ ନିର୍ବାହ କରି ଶୀର୍ଷ ନେତୃତ୍ବଙ୍କ ବିଶ୍ବାସଭାଜନ ହୋଇପାରିଛନ୍ତି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଜଣେ ଆଗ ଧାଡ଼ିର କର୍ମକର୍ତ୍ତା ଭାବେ ତାଙ୍କର ପରିଚୟ ରହିଛି। ଜଣେ ଶୃଙ୍ଖଳିତ ଓ ଉତ୍ସର୍ଗୀକୃତ ନେତା ଭାବେ ଶ୍ରୀ ମହାନ୍ତିଙ୍କର ଦଳ ଭିତରେ ମଧ୍ୟ ବେଶ୍‌ ଗ୍ରହଣୀୟତା ରହିଛି।

୧୯୫୯ ମସିହା ମେ’ ମାସରେ ଜନ୍ମ ହୋଇଥିବା ଶ୍ରୀ ମହାନ୍ତି ପୁରୁଣା ଭୁବନେଶ୍ବରର ବାସିନ୍ଦା। ଛାତ୍ର ଜୀବନରେ ସେ ଏବିଭିପିର ବିଭିନ୍ନ ପଦପଦବିରେ ରହିଥିଲେ। ୧୯୭୮-୭୯ ମସିହାରେ ଖୋର୍ଦ୍ଧା ପି ଏନ୍ କଲେଜର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ଏହି ସମୟରେ ବିଭିନ୍ନ ଛାତ୍ର ଆନ୍ଦୋଳନରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପି ଏନ୍ କଲେଜରୁ ସ୍ନାତକ ଶିକ୍ଷା ପରେ ସେ ବିଶ୍ବବିଦ୍ୟାଳୟ ଆଇନ୍ କଲେଜରୁ ଏଲ୍‌ଏଲ୍‌ବି ଡିଗ୍ରି ହାସଲ କରିଥିଲେ।

ବିଡିଏରେ ସହାୟକ ସୂଚନା ଅଧିକାରୀ ଭାବେ ଶ୍ରୀ ମହାନ୍ତି ତାଙ୍କ କର୍ମମୟ ଜୀବନ ଆରମ୍ଭ କରିଥିଲେ। ଚାକିରିରେ ଥିଲା ବେଳେ ସେ ବିଡିଏ କର୍ମଚାରୀ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ତେ‌େବ କିଛି ବର୍ଷ ପରେ ସେ ସରକାରୀ ଚାକିରି ଛାଡ଼ି ବିଜେପିରେ ସକ୍ରିୟ ହେଲେ। ପ୍ରଥମେ ଭୁବନେଶ୍ବର ଓ ପରେ ରାଜ୍ୟ ଶାଖାର ବିଭିନ୍ନ ପଦପଦବିରେ ସେ କାର୍ଯ୍ୟ କରିଛନ୍ତି। ଏହା ସହ ତାଙ୍କୁ ବିଭିନ୍ନ ଜିଲ୍ଲାର ସାଂଗଠନିକ ଦାୟିତ୍ବ ଦିଆଯାଇଥିଲା। ୨୦୦୩ ମସିହାରେ ସେ ପ୍ରଥମ ଥର ପାଇଁ ନିର୍ବାଚନୀ ରାଜନୀତିରେ ପାଦ ନେଇ ବିଏମ୍‌ସିର କର୍ପୋରେଟର୍‌ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ସେ ଏକାମ୍ର ନିର୍ବାଚନମଣ୍ଡଳୀରୁ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ ବି ପରାଜିତ ହୋଇଥିଲେ। ବିଜେଡି-ବିଜେପି ମେଣ୍ଟ ସରକାରର ଦ୍ବିତୀୟ ପାଳିରେ ଶ୍ରୀ ମହାନ୍ତି ଓଡ଼ିଶା ଖଦି ବୋର୍ଡର ସଭାପତି ଭାବେ ମନୋନୀତ ହୋଇଥିଲେ। ୨୦୧୬ ମସିହାରେ ବିଜେପିର ଉପସଭାପତି ଭାବେ ଶ୍ରୀ ମହାନ୍ତି ଦାୟିତ୍ବ ଗ୍ରହଣ କରିଥିଲେ।

ଶ୍ରୀ ମହାନ୍ତି ବିଭିନ୍ନ କର୍ମଚାରୀ ସଂଗଠନର ନେତୃତ୍ବ ନେଇ ସେମାନଙ୍କ ଦାବି ପୂରଣ ପାଇଁ ବହୁ ଆନ୍ଦୋଳନରେ ଜଡ଼ିତ ହୋଇଛନ୍ତି। ଏହା ସହ ରାଜଧାନୀର ଅନେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଅଛନ୍ତି। ଭୁବନେଶ୍ବରରେ କଳିଙ୍ଗ ଇଣ୍ଡଷ୍ଟ୍ରିଆଲ୍‌ ଟ୍ରେନିଂ ସେଣ୍ଟର୍‌, କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମ୍ୟାନେଜ୍‌ମେଣ୍ଟ୍‌, ବିବେକାନନ୍ଦ ପୂର୍ଣ୍ଣାଙ୍ଗ ଆବାସିକ ସ୍କୁଲ୍‌ ଆଦି ପ୍ରତିଷ୍ଠା କରି ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ସେ କାର୍ଯ୍ୟ କରିଆସୁଛନ୍ତି।  ଆଜି ଶ୍ରୀ ମହାନ୍ତି ସଭାପତି ଭାବେ ନିର୍ବାଚିତ ହେଲା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଦଳୀୟ କାର୍ଯ୍ୟାଳୟରେ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଭୁବନେଶ୍ବରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଥିଲା।

ସମ୍ବନ୍ଧିତ ଖବର