ଭୁବନେଶ୍ବର : ବରିଷ୍ଠ ନେତା ସମୀର ମହାନ୍ତି ବିଜେପିର ରାଜ୍ୟ ସଭାପତି ହେବେ। ଆସନ୍ତାକାଲି ଦଳ ପକ୍ଷରୁ ଶ୍ରୀ ମହାନ୍ତିଙ୍କ ନାମ ବିଧିବଦ୍ଧ ଘୋଷଣା କରାଯିବ। ଆଜି ଦଳୀୟ କାର୍ଯ୍ୟାଳୟରେ ହୋଇଥିବା ନିର୍ବାଚନ ପ୍ରକ୍ରିୟାରେ ଶ୍ରୀ ମହାନ୍ତି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଯାଞ୍ଚ୍ ବେଳେ ତାଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି ବୋଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଘୋଷଣା କରିଛନ୍ତି। ଆସନ୍ତାକାଲି ସକାଳେ ଶ୍ରୀ ମହାନ୍ତିଙ୍କ ନାମ ଘୋଷଣା ହେବା ସହ ବିଦାୟୀ ସଭାପତି ବସନ୍ତ ପଣ୍ଡାଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ କରିବେ।
ସମୀର ମହାନ୍ତି ବିଜେପିର ରାଜ୍ୟ ସଭାପତି ହେଲା ପରେ ରାଜ୍ୟ ରାଜନୀତି ବେଶ୍ ଚଳଚଞ୍ଚଳ ହୋଇଯାଇଛି। ଶ୍ରୀ ମହାନ୍ତିଙ୍କ ନେତୃତ୍ବରେ ଦଳ ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନା କରିବ। ଦୀର୍ଘ ୧୬ ବର୍ଷରେ ଉପକୂଳ ଓଡ଼ିଶାର ନେତାଙ୍କୁ ସଭାପତି ପଦ ଦିଆଯାଇଥିବାରୁ ରାଜ୍ୟ ରାଜନୀତିରେ ବିଜେପିର ରଣନୀତି ଉପରେ ଏବେ ସବୁ ଦଳର ତୀକ୍ଷ୍ଣ ନଜର ରହିଛି।
ରାଜ୍ୟରେ କଂଗ୍ରେସକୁ ପଛକୁ ଠେଲି ବିଜେପି ମୁଖ୍ୟ ବିେରାଧୀ ଦଳକୁ ଆସିବା ପରେ ସଂଗଠନକୁ ଦୃଢ଼ କରିବାକୁ ଯୋଜନାବଦ୍ଧ ଭାବେ ପ୍ରସ୍ତୁତି ଚାଲୁ ରହିଛି। ଉପକୂଳ ଓଡ଼ିଶାରୁ ଶେଷ ଥର ପାଇଁ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ମନମୋହନ ସାମଲ ସଭାପତି ଥିଲେ। ତାଙ୍କ ପରେ ପଶ୍ଚିମ ଓଡ଼ିଶା ନେତା ଜୁଏଲ ଓରାମ(ଦୁଇ ଥର), ସୁରେଶ ପୂଜାରୀ, କନକ ବର୍ଦ୍ଧନ ସିଂହଦେଓ ଓ ବସନ୍ତ ପଣ୍ଡା ୧୬ ବର୍ଷ ଧରି ବିଜେପିର ନେତୃତ୍ବ ନେଉଥିଲେ। ବିଜେପିର ଏହି ଉଦ୍ୟମ ଅନେକାଂଶରେ ସଫଳ ବି ହୋଇଥିଲା। ଯେଉଁଥି ପାଇଁ କି ପଶ୍ଚିମ ଓଡ଼ିଶାରେ ବିଜେପିର ସଂଗଠନ ଉପକୂଳ ଓଡ଼ିଶା ତୁଳନାରେ ଦୃଢ଼ ସ୍ଥିତିରେ ଅଛି। ଗତ ସାଧାରଣରେ ନିର୍ବାଚନରେ ମଧ୍ୟ ପଶ୍ଚିମ ଓଡ଼ିଶାରେ ବିଜେପିର ଭୋଟ୍ ଭାଗ ଉପକୂଳ ତୁଳନାରେ ଅଧିକ ଥିଲା। ଆହୁରି ମଧ୍ୟ ବିଜେପି ଏଥର ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଛି ଓ ବିରୋଧୀ ଦଳ ନେତା ପଦବି ପଶ୍ଚିମ ଓଡ଼ିଶାକୁ ଯାଇଛି।
ଯଦିଓ ସଭାପତି ପଦବି ଉପକୂଳ ଓଡ଼ିଶାକୁ ଯିବ ବୋଲି କିଛି ଦିନ ହେବ ଚର୍ଚ୍ଚା ଚାଲିଥିଲା, ତେବେ କାହା ମୁଣ୍ଡରେ ସୁନା କଳସ ଢଳାଯିବ ତାହା ନିର୍ଦ୍ଦିଷ୍ଟ ହୋଇପାରୁ ନ ଥିଲା। ଉପକୂଳ ଓଡ଼ିଶାରେ ମଧ୍ୟ ବହୁ ନେତା ଲବି ଆରମ୍ଭ କରିଦେଇଥିଲେ। ଜଣେ ପୂର୍ବତନ ସଭାପତି ଓ ଦୁଇ ଜଣ ପୂର୍ବତନ ମନ୍ତ୍ରୀଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ତେବେ ଗତ ଦୁଇ ଦିନ ହେଲା ଭୁବନେଶ୍ବରର ଦୁଇ ନେତା ସମୀର ମହାନ୍ତି ଓ ପୃଥ୍ବୀରାଜ ହରିଚନ୍ଦନଙ୍କ ନାମ ଦୌଡ଼ରେ ଆଗରେ ରହୁଥିଲା। ଦଳୀୟ ନେତା ଓ ପର୍ଯ୍ୟବେକ୍ଷକମାନେ ଏ ନେଇ ଘନ ଘନ ବୈଠକ କରିଥିଲେ। ସଭାପତି ମନୋନୟନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ଉପରେ ସମସ୍ତଙ୍କ ନଜର ରହିଥିଲା। ଦୌଡ଼ର ଆଗରେ ଥିବା ଦୁଇ ଜଣ ଯାକ ନେତା ଶ୍ରୀ ପ୍ରଧାନଙ୍କ ନିକଟତର ଥିବାରୁ ସମସ୍ତେ ଦ୍ବନ୍ଦ୍ବରେ ପଡ଼ିଯାଇଥିଲେ। ତେବେ ନିକଟରେ ପୃଥ୍ବୀରାଜଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ରାଜ୍ୟପାଳ କରାଯାଇଥିବାରୁ ଓ ଶ୍ରୀ ମହାନ୍ତିଙ୍କ ଠାରୁ ସେ ବୟସରେ କମ୍ ହୋଇଥିବାରୁ ତାଙ୍କ ନାମକୁ ବାଦ୍ ଦିଆଯିବାକୁ ଏକ ପ୍ରକାର ନିଷ୍ପତ୍ତି ନିଆଯାଇଥିଲା। ଏହା ପରେ ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରି ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର ଓ ପ୍ରଭାରୀ ଅରୁଣ ସିଂହ ସମୀର ମହାନ୍ତିଙ୍କ ନାମ ଉପରେ ସହମତି ଆଣିଥିଲେ। କେନ୍ଦ୍ରୀୟ ନେତୃତ୍ବଙ୍କୁ ମଧ୍ୟ ଏ ନେଇ ଜଣାଇ ଦିଆଯାଇଥିଲା। ସେଠାରୁ ସବୁଜ ସଙ୍କେତ ମିଳିଲା ପରେ ଶ୍ରୀ ମହାନ୍ତିଙ୍କୁ ପ୍ରାର୍ଥିପତ୍ର ଦାଖଲ କରିବାକୁ କୁହାଯାଇଥିଲା।
ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଶ୍ରୀ ମହାନ୍ତି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ପର୍ଯ୍ୟବେକ୍ଷକ ଶ୍ରୀ ତୋମାର ଘୋଷଣା କରିଥିଲେ। ରାଜ୍ୟ ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲ କହିଥିଲେ, ୨୦୧୯ ଜୁଲାଇ ୬ ତାରିଖରେ ଆରମ୍ଭ ହୋଇଥିବା ସାଂଗଠନିକ ପର୍ବ ଆଜି ଶେଷ ହୋଇଛି। ଓଡ଼ିଶାରେ ବିଜେପି ୨୩ ହଜାରରୁ ଅଧିକ ବୁଥ୍ କମିଟି ଗଠନ କରିପାରିଛି। ଏହା ସହ ୮୦୦ ମଣ୍ଡଳ କମିଟି ଗଠନ ହୋଇଛି। ରାଜ୍ୟ ପରିଷଦକୁ ୧୯୦ ଜଣ ସଦସ୍ୟ ମନୋନୀତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସହ ସାଧାରଣ ସମ୍ପାଦକ(ସଂଗଠନ) ସୌଦାନ ସିଂହ, ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ ମହାନ୍ତି ଓ ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Bjp-Samir-16_Thumb-1-1.jpg)