ପ୍ରଶାସନ ଶୁଣିଲାନି ଦୁର୍ନୀତି ଅଭିଯୋଗ : ବ୍ଲକ୍‌ ଉପାଧ୍ୟକ୍ଷ ଓ ସମିତିସଭ୍ୟାଙ୍କ ଆତ୍ମାହୁତି ଉଦ୍ୟମ

ସୋର : ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ଟେଣ୍ଟେଇ ଓ ଗୁଡ଼ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେବା ସହ ମୋଟା ଅଙ୍କର ପିସି କାରବାର ଚାଲିଛି। ଏ ନେଇ ଅଭିଯୋଗ ହେବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ଆଜି ‌ବ୍ଲକ୍‌ ଉପାଧ୍ୟକ୍ଷଙ୍କ ସହ ଜଣେ ସମିତିସଭ୍ୟା ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ; ଟେଣ୍ଟେଇ ଓ ଗୁଡ଼ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଏବଂ ଏ ନେଇ ମୋଟା ଅଙ୍କର ପିସି କାରବାର ହୋଇଥିବା ଅଭିଯୋଗ ଆସିଥିଲା। ଏଥିରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ବିଭିନ୍ନ ସମୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା। ହେଲେ ପ୍ରଶାସନ କୌଣସି ବିହିତ ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଅଭିଯୋଗକାରୀମାନେ ନିରାଶ ହୋଇ ଯାଇଥିଲେ। ଶେଷରେ ଏହାକୁ ବିରୋଧ କରି ଆଜି ‌ବ୍ଲକ୍‌ ଉପାଧ୍ୟକ୍ଷ ତଥା ଟେଣ୍ଟେଇ ସମିତିସଭ୍ୟ ରତିକାନ୍ତ ମହାନ୍ତି ଏବଂ ଗୁଡ ସମିତିସଭ୍ୟା ସୁକାନ୍ତି ଜେନା ଆତ୍ମାହୁତି ଦେବେ ବୋଲି ଘୋଷଣା କରିଥିଲେ। ଘୋଷଣା ଅନୁଯାୟୀ ଆଜି ବ୍ଲକ୍‌ କାର୍ଯ୍ୟାଳୟ ଖୋଲିବା ପରେ ଉପାଧ୍ୟକ୍ଷ ରତିକାନ୍ତ ଦଳୀୟ କଂଗ୍ରେସ କର୍ମୀଙ୍କ ସହ ଏବଂ ସମିତି ସଭ୍ୟା ସୁକାନ୍ତି ଦଳୀୟ ବିଜେପି କର୍ମୀଙ୍କ ସହ ଧାରଣାରେ ବସିଥିଲେ। ଏହି ସମୟରେ ତହସିଲଦାର ଦେବୀ ପ୍ରସାଦ ଦାଶ, ପୁଲିସ ଫୋର୍ସ ସହ ସୋର ଥାନା ଭାରପ୍ରାପ୍ତ ଅଧିକାରୀ କ୍ଷମାସାଗର ପଣ୍ଡା ଏବଂ ଦମକଳ ବାହିନୀ ଉପସ୍ଥିତ ଥିଲେ। ତେବେ ମଧ୍ୟାହ୍ନ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଧରଣାସ୍ଥଳକୁ ନ ଆସିବାରୁ ରତିକାନ୍ତ ଓ ସୁକାନ୍ତି ନିଜ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ଏପରି ସମୟରେ ଉପସ୍ଥିତ ପୁଲିସ ଓ ଦମକଳ ବାହିନୀର କର୍ମଚାରୀ ସେମାନଙ୍କୁ ଅଟକାଇଥିଲେ। ପରେ ଉଭୟଙ୍କୁ ଡାକ୍ତରଖାନା ନେବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ଉତ୍ତେଜନା ପ୍ରଶମିତ ହେବା ପରେ ସେଠାରୁ ଉଭୟଙ୍କୁ ସୋର ଥାନାକୁ ଅଣାଯାଇ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର