ବେଲପଡ଼ା: ଦାଦନପ୍ରବଣ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକରେ ଗୋଟିଏ ପରେ ଗୋଟିଏ ସମ୍ବେଦନଶୀଳ ପ୍ରସଙ୍ଗ ସାମ୍ନାକୁ ଆସୁଛି। ଏବେ ବ୍ଲକ୍ର ଧୁମାଭଟା ପଞ୍ଚାୟତ ସମିତିସଭ୍ୟା ସବିତା ଭୁଏ ଗାଁ ଛାଡ଼ି ଦାଦନ ଯିବେ ବୋଲି ଲିଖିତ ଆକାରରେ ବିଡିଓଙ୍କୁ ଜଣାଇଛନ୍ତି।
ଶ୍ରୀମତୀ ଭୁଏଙ୍କ ଅଭିଯୋଗ ହେଲା, ଗାଁରେ ଲୋକଙ୍କୁ କାମଧନ୍ଦା ମିଳୁନି। ନିଜେ ମଧ୍ୟ ସେ କାମ ପାଉ ନାହାନ୍ତି। ଲୋକେ ସମିତିସଭ୍ୟା ହୋଇ କଣ କରୁଛ ବୋଲି ପ୍ରଶ୍ନ କରୁଛନ୍ତି। ଏଣୁ ସେ ଗାଁରେ କଣପାଇଁ ରହିବେ ଭାବି ଦାଦନ ଯିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ଧୁମାଭଟା ପଞ୍ଚାୟତରେ ପାଣି ସମସ୍ୟା, ଗମନାଗମନ ସମସ୍ୟା, ଭତ୍ତା ସମସ୍ୟା ସବୁ ଅଛି। ବ୍ଲକ୍କୁ ସେ ଆସିଲେ କେହି ତାଙ୍କ କଥା ଶୁଣୁନଥିବା କହିଛନ୍ତି। ଯଦି ଜଣେ ଜନପ୍ରତିନିଧିଙ୍କୁ କେହି ଶୁଣୁ ନାହାନ୍ତି ଲୋକ କେମିତି ନ୍ୟାୟ ପାଇବେ ବୋଲି ପ୍ରଶ୍ନ କରିଛନ୍ତି। ଆଉ ଲୋକଙ୍କ କଥା ଶୁଣିବା ଅପେକ୍ଷା ବାହାର ରାଜ୍ୟକୁ ଦାଦନ ଯିବା ଭଲ ହେବ ଭାବି ଲିଖିତ ଜଣାଇଥିବା ସେ କହିଛନ୍ତି। ଅପରପଟେ ଏ ନେଇ ବିଡିଓ ଭିକ୍ଟର ସୋରେନଙ୍କୁ ପଚରାଯିବାରୁ ମନ୍ରେଗା କାମ ପଂଚାୟତରେ ଚାଲିଛି। ଜନପ୍ରତିନିଧିଙ୍କୁ ସମ୍ମାନ ସବୁ ସମୟରେ ଦିଆଯାଉଛି। କଣ ସମସ୍ୟା ସବୁ ପଞ୍ଚାୟତରେ ଅଛି ତାହାକୁ ନେଇ ଆଲୋଚନା କରିବେ ବୋଲି ସେ କହିଛନ୍ତି।