ସମଲେଶ୍ବୀର ମନ୍ଦିର ସୌନ୍ଦର୍ଯ୍ୟୀକରଣ, କ୍ଷତିପୂରଣ ପ୍ୟାକେଜରେ ପାତରଅନ୍ତର

ଭୁବନେଶ୍ବର: ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ପୀଠର ବିକାଶ ହେବ। ଦେଶର ଅନ୍ୟ ଧାର୍ମିକ ସ୍ଥଳୀ ଭଳି ଏହାକୁ ମଧ୍ୟ ଚକଚାକ କରି ଦିଆଯିବ। ଯେଉଁ ଦେବୀ ନିଜ ସବୁ ସନ୍ତାନ ସମାନ ନଜର ଦେଖିଛି, ପ୍ରଶାସନ କିନ୍ତୁ ସେମାନଙ୍କ ମଧ୍ୟରେ ଜାତିଗତ ବିଷମତା ବୁଣୁଥିବା ଅଭିଯୋଗ ହୋଇଛି। ମା ପାଇଁ ଉଭୟ ପୂଜକ ଏବଂ ସ୍ଥାନୀୟ ଦଳିତ ଅଧିବାସୀ ବିସ୍ଥାପିତ ହେବେ। କିନ୍ତୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଥଇଥାନ ପ୍ୟାକେଜ ଅନୁଯାୟୀ, ପୂଜକ ହୋଇଥିଲେ କ୍ଷତିପୂରଣ ୨୦ ଲକ୍ଷ, ପରିବହନ ଖର୍ଚ ୧ ଲକ୍ଷ, ଘର ଭଡ଼ା ୧ ବର୍ଷ ପାଇଁ ୧୦ ହଜାର ଟଙ୍କା ଦିଆଯାଉଛି। କିନ୍ତୁ ସ୍ଥାନୀୟ ଦଳିତ ଅଧିବାସୀଙ୍କୁ କ୍ଷତିପୂରଣ ସ୍ବରୂପ ୩ ଲକ୍ଷ, ପରିବହନ ଖର୍ଚ ୧୦ ହଜାର ଏବଂ କେବଳ ୬ ମାସ ପାଇଁ ଘର ଭଡ଼ା ୨୫୦୦ ଟଙ୍କା।

ରାଜ୍ୟ ସରକାରଙ୍କ ବିରୋଧରେ ଜାତିଗତ ବିଷମତା ବୁଣୁଥିବା ଅଭିଯୋଗ

ରାଜଧାନୀରେ ଗର୍ଜିବେ ବିସ୍ଥାପିତଙ୍କ ସହିତ ବିଭିନ୍ନ ସାମାଜିକ ସଙ୍ଗଠନ

ଏଥିସହିତ ଉପଯୁକ୍ତ ଥଇଥାନ ବିନା ଉଚ୍ଛେଦ କାର୍ଯ୍ୟ କରାଯିବା ବିରୋଧରେ ଲୋୟର ପିଏମଜି ସମ୍ମୁଖରେ ୮ ତାରିଖରେ ରାଜ୍ୟ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମନ୍ବୟ ସମିତି ସହଯୋଗରେ ଆନ୍ଦୋଳନ କରିବେ ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟୀକରଣର ବିସ୍ଥାପିତମାନେ। ରାଜଧାନୀ ସ୍ଥିତ ବୁଦ୍ଧ ମନ୍ଦିରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ କେବଳ କ୍ଷତିପୂରଣ ନୁହେଁ ସରକାରଙ୍କ ପକ୍ଷରୁ ଜମି ପଟ୍ଟା ପ୍ରଦାନ ଠାରୁ  ଥଇଥାନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ପାତରଅନ୍ତର କରାଯାଇଛି। ପୂଜକମାନଙ୍କୁ ସରକାର ନିଜେ ଡାକି ଘର ପଟ୍ଟା ଦେଇଛନ୍ତି। ସେମାନଙ୍କ ମନ୍ଦିର ପାଖ ଘର ମଧ୍ୟ ଭଙ୍ଗା ଯାଇ ନାହିଁ। କିନ୍ତୁ ଦଳିତ ଅଧିବାସୀଙ୍କ ୫୦୦ ମିଟର ଦୂରରେ ଥିବା ଘର ମଧ୍ୟ ଭାଙ୍ଗି ଦିଆଯାଇଛି। ସେମାନଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ନଥିବା ୮ କିଲୋମିଟର ଦୂର ଅଞ୍ଚଳରେ କରାଯାଇଛି। ସମ୍ବଲପୁର ସ୍ଥିତ ଘୁନଘୁଟି ପଡ଼ା ପ୍ରାୟ ୪୦୦ ବର୍ଷ ପୁରୁଣା ବସ୍ତି ଅଟେ। ଉପଯୁକ୍ତ ଥଇଥାନ ବ୍ୟବସ୍ଥା ବିନା ସରକାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି।

ସ୍ଥାନୀୟ ଦଳିତ ଅଧିବାସୀଙ୍କ ପୂର୍ବଜ ଶହ-ଶହ ବର୍ଷ ହେଲା ଏଠାରେ ରହି ଆସୁଛନ୍ତି। ମାତ୍ର ସରକାରଙ୍କ ପକ୍ଷରୁ ସେମାନଙ୍କୁ ଜମି ପଟ୍ଟା ପ୍ରଦାନରେ ଅବହେଳା କରାଯାଇଛି। ଏପରିକି ୨୦୦୦ ମସିହାରୁ ଘୁନଘୁଟି ପଡ଼ାର ୮୦ ପରିବାର ପଟ୍ଟା ପାଇଁ ଆବେଦନ କରିଥିଲେ ମଧ୍ୟ ଏହା ଦିଆଯାଇନଥିଲା। ତଥାକଥିତ ଉଚ୍ଚବର୍ଗର ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଯୋଜନା ଘୋଷଣାର କିଛି ମାସ ପୂର୍ବରୁ ଜମି ପଟ୍ଟା ଦିଆଯାଇଥିବା ଅଭିଯୋଗ ହୋଇଛି। ସରକାରଙ୍କ ଏହି ଭେଦଭାବ ନୀତି ବିରୋଧରେ ଜାନୁଆରି ମାସରେ ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯୀକରଣର ବିସ୍ଥାପିତମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ୧୦ ଦିନ ପର୍ଯ୍ୟନ୍ତ ଅନଶନ କରାଯାଇଥିଲା।  ଆରଡିସି ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ଆଲୋଚନାରେ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କ ପରିବାରକୁ ପୁନର୍ବାସ ପାଇଁ ବିଚାର କରାଯିବା, ବାକିଥିବା ୭୨ ପରିବାରଙ୍କୁ ଚଉଁରାପଡ଼ାରେ ଆନୁସଙ୍ଗିକ ସୁବିଧା ସହିତ ଥଇଥାନ, ୩ ଲକ୍ଷ ୨୦ ଲକ୍ଷ ଭଳି ଭେଦଭାବପୂର୍ଣ୍ଣ ପ୍ୟାକେଜ ବଦଳରେ ସମସ୍ତଙ୍କୁ ସମାନ ସ୍ତରରେ ଆଣିବା, ବିସ୍ଥାପିତ ପରିବାରଙ୍କୁ ଉପଯୁକ୍ତି ପୁନର୍ବାସ ବିନା ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଥିଲା। ମାତ୍ର ବର୍ତ୍ତମାନ ସ୍ଥିତିରେ ସେମାନଙ୍କୁ ବଳପୂର୍ବକ ଉଚ୍ଛେଦ କରାଯାଉଥିବା ଅଭିଯୋଗ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ସଂଗ୍ରାମ ମଲ୍ଲିକ, ଅଭିରାମ ମଲ୍ଲିକ, କରମ ସୁନା, ଜନେକ ନାଗ, ପିଙ୍କି ବିଭାର, ଉମା ଉର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର