ସମଲେଶ୍ବରୀ ମନ୍ଦିର ବିକାଶ ପ୍ରତିବନ୍ଧକ ଦୂର; ସମସ୍ତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ

କଟକ: ସମଲେଶ୍ବରୀ ମନ୍ଦିର ପାରିପାର୍ଶ୍ବିକ ବିକାଶ ଯୋଜନା ସଂପର୍କିତ ସମସ୍ତ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆଜି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଏ ସଂପର୍କିତ ସୁପ୍ରିମକୋର୍ଟଙ୍କ ରାୟର କପି ଦାଖଲ କରାଯାଇଥିଲା। ରାକେଶ ସୁନା ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାରେ ହାଇକୋର୍ଟ ୨୦୨୨, ଜୁଲାଇ ୧୨ ତାରିଖରେ ଯେଉଁ ଅନ୍ତରୀଣ ରାୟ ପ୍ରଦାନ କରିଥିଲେ, ତାହା ବିରୋଧରେ ସୁ୍ପ୍ରିମକୋର୍ଟରେ ଏସଏଲପି ଦାୟର ହୋଇଥିଲା। କିନ୍ତୁ ସୁପ୍ରିମକୋର୍ଟ ୨୦୨୩, ଜାନୁଆରି ୫ରେ ଏସଏଲପିକୁ ଖାରଜ କରିବା ସହିତ ହାଇକୋର୍ଟଙ୍କ ଜୁଲାଇ ୧୨ର ନିର୍ଦ୍ଦେଶକୁ କାଏମ ରଖିଥିଲେ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ସମଲେଶ୍ବରୀ ଯୋଜନା କୌଣସି ଭାବେ ଆଇନ ବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରୁ ନାହିଁ ବୋଲି ହାଇକୋର୍ଟ କହିବା ସହିତ ରାକେଶ ସୁନା ଓ ଅନ୍ୟମାନଙ୍କ ତରଫରୁ ଦାୟର ମାମଲାର ଶୁଣାଣି‌େର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ଅନ୍ୟପକ୍ଷରେ ସମଲେଇ ଯୋଜନା‌‌ ପ୍ରକଳ୍ପ କାରଣରୁ ଉଚ୍ଛେଦର ସମ୍ମୁଖୀନ ହୋଇଥିବା ବ୍ୟକ୍ତିବିଶେଷ ଓ ପରିବାର ଗୁଡିକୁ ସରକାରୀ ଯୋଜନା ଅନୁସାରେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଯୋଜନାର ଉପଯୁକ୍ତ କାର୍ଯ୍ୟକାରୀ ପ୍ରସଂଗରେ ଯଦି କୌଣସି ବ୍ୟକ୍ତିଙ୍କ ଅଭିଯୋଗ ରହିଥିବ ତେବେ ଏହାର ସମାଧାନ ପାଇଁ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ କହିଛନ୍ତି।

ଯଦି କୌଣସି ଆବେଦନକାରୀଙ୍କ ଯୋଜନା ଅନୁସାରେ ଥଇଥାନ, କ୍ଷତିପୂରଣ ସହିତ ଅନ୍ୟାନ୍ୟ ସୁବିଧା ପ୍ରସଂଗରେ ଅଭିଯୋଗ ଥାଏ ତେବେ ଏ ନେଇ ଏପ୍ରିଲ ୩ ତାରିଖ ସୁଦ୍ଧା ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ ସ୍ମାରକପତ୍ର ଦାଖଲ କରାଯିବ। ଜିଲ୍ଲାପାଳ ଏପରି ସ୍ମାରକପତ୍ରର ଶୁଣାଣି କରିବା ସମୟରେ ପକ୍ଷ ରଖିବାକୁ ଆବେଦନକାରୀଙ୍କୁ ସୁଯୋଗ ଦେବେ। ଶୁଣାଣି ତାରିଖ ନେଇ ଅତି କମରେ ଏକ ସପ୍ତାହ ପୂର୍ବରୁ ଆବେଦନକାରୀଙ୍କୁ ଅବଗତ କରାଯିବ। ଏହାପରେ ଜିଲ୍ଲାପାଳ ତିନି ମାସ ଭିତରେ ଏହି ପ୍ରସଂଗରେ ଯୁକ୍ତିଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଯଦି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆବେଦନକାରୀ ସନ୍ତୁଷ୍ଟ ନ ହୁଅନ୍ତି ତେବେ ପରବର୍ତ୍ତୀ ସମୟରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ କହିବା ସହିତ ରାମତନୁ ଦୀପ, ଦିଲ୍ଲୀପ କୁମ୍ଭାର ଅନ୍ୟମାନଙ୍କ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସମ୍ବଲପୁରର ପ୍ରସିଦ୍ଧ ମା ସମଲେଶ୍ବରୀ ମନ୍ଦିର ତଥା ଆଖପାଖ ଅଞ୍ଚଳର ବିକାଶ ପାଇଁ ସମଲେଇ ଯୋଜନା ସରକାର ‌ଘୋଷଣା କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ପୁନର୍ବାସ ଓ ଥଇଥାନ ପ୍ରସଂଗ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୧ରେ ଦିଲ୍ଲୀପ କୁମ୍ଭାର ଓ ଅନ୍ୟମାନେ, ୨୦୨୨ରେ ରାକେଶ ସୁନା ଓ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ଏକାଧିକ ପକ୍ଷ ରହିଥିବା ବେଳେ ରାମତନୁ ଦୀପଙ୍କ ତରଫରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର