ସମ୍ବଲପୁର: ମା’ ସମଲେଶ୍ବରୀ ମନ୍ଦିର ଏବେ ଆର୍ଥିକ ସଂକଟ ଦେଇ ଗତି କରୁଛି। ସମଲେଶ୍ବରୀ ମନ୍ଦିରର ନବ କଳେବର ‘ସମଲେଇ ପ୍ରକଳ୍ପ’ ପରେ ଆୟ ତୁଳନାରେ ବ୍ୟୟ ‌ବହୁତ ଅଧିକ ହୋଇଛି। ସ୍ଥିତି ‌ଏମିତି ଯେ ବିଦ୍ୟୁତ୍ ବିଲ୍ ଦେବା ବି ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷେ କଷ୍ଟକର ହୋଇପଡ଼ିଛି। ଏପଟେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ସମଲେଇ ପ୍ରକଳ୍ପର ବହୁ କାମ ଏବେ ବି ବାକି ରହିଛି।

Advertisment

ସମଲେଇ ପ୍ରକଳ୍ପ ପାଇଁ ନିର୍ବାଚନରେ ଫାଇଦା ମିଳିବ ବୋଲି ଆଶା ରଖିଥିଲେ ତତ୍କାଳୀନ ବିଜେଡି ସରକାର। ସେଥିପାଇଁ ଅତ୍ୟନ୍ତ ତରବରିଆ ଭାବେ ଗତ ୨୭ ଜାନୁଆରିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରାଗଲା। ୨୯୩ କୋଟି ଟଙ୍କାର ଏହି ପ୍ରକଳ୍ପ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୩୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ହେଲେ, ଲୋକାର୍ପଣର ୬ ମାସ ପରେ ବି ପ୍ରଥମ ପର୍ଯ୍ୟାୟରେ ‌‌ଯେଉଁ ସବୁ କାମ ପାଇଁ ଲକ୍ଷ୍ୟ ରହିଥିଲା, ତାହା ‌ହୋଇପାରିନାହିଁ। ସନ୍ଧ୍ୟା ପରେ ମନ୍ଦିର ପରିସରକୁ ଆଲୋକମାଳାରେ ଝଲସାଇବା ପାଇଁ ବିଭିନ୍ନ ପ୍ରକାରର ୩ ହଜାର ଲାଇଟ୍‌ ଲଗାଯାଇଛି। ଏତେ ସଂଖ୍ୟକ ଲାଇଟ୍‌ ଲଗାଯିବା ଦ୍ବାରା ବିଦ୍ୟୁତ୍ ବିଲ୍‌ ବହୁଗୁଣ ବଢ଼ିଯାଇଛି। ପ୍ରତି ମାସ ବିଦ୍ୟୁତ୍ ବିଲ୍‌ ୨.୭୦ ଲକ୍ଷରୁ ୩ ଲକ୍ଷ ଟଙ୍କା ମଧ୍ୟରେ ଆସୁଛି। ବିଦ୍ୟୁତ୍ ଚାଲିଗଲେ ଜେନେରେଟର ବ୍ୟବହାର ହେଉଛି। ଜେନେରେଟରରେ ତେଲ ବାବଦକୁ ଖର୍ଚ୍ଚ ପୁଣି ରହିଛି। ଗତ ୫ ମାସ ମଧ୍ୟରେ ୧୭ ଲକ୍ଷରୁ ଅଧିକ ଟଙ୍କା ବିଦ୍ୟୁତ୍ ବିଲ୍ ବକେୟା ରହିଥିବା ଟ୍ରଷ୍ଟବୋର୍ଡ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷରେ ମା’ ସମେଲଶ୍ବରୀଙ୍କ ନୀତିକାନ୍ତି, କର୍ମଚାରୀଙ୍କ ଦରମା ସହିତ ଅନ୍ୟାନ୍ୟ ଖର୍ଚ୍ଚ ପ୍ରତି ମାସ ଦେଢ଼ ଲକ୍ଷ ଟଙ୍କା ଉପରେ ରହିଛି। ଏପଟେ ମନ୍ଦିରର ଆୟ ବାବଦକୁ କେବଳ ହୁଣ୍ଡିରୁ ପ୍ରତି ମାସ ୨.୫୦ ଲକ୍ଷରୁ ୩ ଲକ୍ଷ ଟଙ୍କା ଆସୁଛି। ଏପଟେ ସର୍ବମୋଟ ସର୍ବନିମ୍ନ ମାସିକ ଖର୍ଚ୍ଚ ସାଢ଼େ ୪ ଲକ୍ଷ ପାଖାପାଖି ହୋଇଯାଉଛି। ପ୍ରକଳ୍ପ ନିର୍ମାଣ ଦାୟିତ୍ବରେ ଥିବା ଓବିସିସି ୩ ବର୍ଷ ପାଇଁ ମନ୍ଦିରରେ ନିୟୋଜିତ ଶତାଧିକ ସୁରକ୍ଷା କର୍ମୀ, ‌ସଫେଇ କର୍ମଚାରୀ ଓ ବଗିଚା କାମ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ବହନ କରିବ। ଯଦି, ଏହି ଖର୍ଚ୍ଚ ମନ୍ଦିର ଟ୍ରଷ୍ଟବୋର୍ଡ ବହନ କରେ, ତାହେଲେ ଏହାର ଆର୍ଥିକ ଅବସ୍ଥା ଦୋହଲିଯିବ। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଯଜ୍ଞ ମଣ୍ଡପ, ଭୋଗ ମଣ୍ଡପ, ପୂଜକଙ୍କ ସୁବିଧା କେନ୍ଦ୍ର(ୱାସ୍‌ରୁମ୍‌) ଆଦି କାମ ବାକି ରହିଛି। ଭୋଗ ମଣ୍ଡପ, ‌ଦୋକାନଘର, ପାର୍କିଂ ଆଦିରୁ ପୂର୍ବରୁ ଟ୍ରଷ୍ଟବୋର୍ଡର କିଛି ଆୟ ହେଉଥିଲା। ଭୋଗ ମଣ୍ଡପ ନଥିବାରୁ ଭକ୍ତମାନେ ମା’ଙ୍କ ଅନ୍ନଭୋଗ ସେବନରୁ ବଂଚିତ ହେଉଛନ୍ତି। ଦୋକାନଘର ଓ ପାର୍କିଂ କାମ ଅସଂପୂର୍ଣ୍ଣ ରହିଛି। ମନ୍ଦିର ଚାରି ପାଖରେ ଥିବା ଦ୍ବାରଗୁଡ଼ିକ ଖୋଲା ରହୁଛି, ବନ୍ଦ ରଖିବା ବ୍ୟବସ୍ଥା ନଥିବାରୁ ମନ୍ଦିର ପରିସରକୁ କୁକୁର, ଗାଈଗୋରୁଙ୍କ ଅବାଧ ପ୍ରବେଶ ରହିଛି। ଏପଟେ ମହାନଦୀ ଆଳତି ବି ପ୍ରକଳ୍ପ ଲୋକାର୍ପଣ ପରଠୁ ବନ୍ଦ ରହିଛି।

ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ଭକ୍ତନିବାସ, କଲ୍ୟାଣ ମଣ୍ଡପ, ଫୁଡ୍‌ କୋର୍ଟ, ଜଳାଶୟ ସୌନ୍ଦର୍ଯ୍ୟୀକରଣ ଆଦୌ ଆରମ୍ଭ ହୋଇନାହିଁ। ଏ ସଂକ୍ରାନ୍ତରେ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ସଂଜୟ ବାବୁଙ୍କୁ ପଚାରିବାରୁ ସେ କହିଲେ, ସୌର ଶକ୍ତି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବିଦ୍ୟୁତ୍ ବିଲ୍‌ କିଛି ପରିମାଣରେ ହ୍ରାସ ପାଇବ। ତଥାପି, ସୌରଶକ୍ତି ପ୍ରକଳ୍ପର ଯେତିକି କ୍ଷମତା ଅଛି, ତାହାର ଦୁଇଗୁଣ ବଢ଼ାଗଲେ ହିଁ ବିଦ୍ୟୁତ୍ ବିଲ୍‌ରୁ ରହିତି ମିଳିବ। ମନ୍ଦିରର ଏବେ ପ୍ରାୟ ୧ କୋଟି ଟଙ୍କା ବ୍ୟାଙ୍କରେ ଜମା ରହିଛି। ଯେଉଁ ହିସାବରେ ମାସିକ ଖର୍ଚ୍ଚ ହେଉଛି, ଆୟ ନବଢ଼ିଲେ ଜମା ଅର୍ଥରାଶି ବି ଶୀଘ୍ର ସରିଯିବ। ତେଣୁ, ଜଗନ୍ନାଥ ମନ୍ଦିର ଭଳି ସମଲେଇ ମନ୍ଦିର ପାଇଁ ବି ସରକାର କର୍ପସ ଫଣ୍ଡ ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ ବାବୁ କହିଛନ୍ତି।