କୋଭିଡ ରୋଗୀଙ୍କ ଠାରେ ମା‌ସେ ପରେ ବି ଶାରୀରିକ, ମାନସିକ ଅସୁସ୍ଥତା ରହୁଛି

ଏମ୍ସ କମ୍ୟୁନିଟି ମେଡିସିନ ବିଭାଗର ନମୁନା ସର୍ଭେ ରିପୋର୍ଟ

୬୨.୫%ଙ୍କ ଅବସ୍ଥା ଚିନ୍ତାଜନକ
ଉଭୟ ଡୋଜ ଟିକା ନେଇଥିବା ୩୪% ଦୀର୍ଘକାଳୀନ କୋଭିଡର ଶିକାର

 

ଭୁବନେଶ୍ୱର : କୋଭିଡ ଏକ ମାସ ପରେ ମଧ୍ୟ ପ୍ରତି ଏକ ତୃତୀୟାଂଶ ରୋଗୀଙ୍କ ଠାରେ ଦୁର୍ବଳତା, ଅଣନିଶ୍ବାସୀ ହେବା, କଫ, ମାନସିକ ସମସ୍ୟା, ଛାତି ଯନ୍ତ୍ରଣା ଭଳି ବିଭିନ୍ନ ପ୍ରକାର ସମସ୍ୟା ଚିହ୍ନଟ ହୋଇଛି। ଅର୍ଥାତ ଏହା ଶରୀରର ପ୍ରତ୍ୟେକ ଅଂଶକୁ ପ୍ରଭାବିତ କରିଛି। ୩୪ ପ୍ରତିଶତ ଟିକା ନେବା ପରେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏମ୍ସ ଭୁବନେଶ୍ବରର ପକ୍ଷରୁ କରାଯାଇଥିବା ଗବେଷଣାରୁ ଏହି ତଥ୍ୟ ପ୍ରକାଶିତ ହୋଇଛି।

ଗବେଷକ ତଥା କମ୍ୟୁନିଟି ମେଡିସିନ ବିଭାଗର ଡାକ୍ତର ଅରବିନ୍ଦ କୁମାର ସିଂ କହିଛନ୍ତି, କୋଭିଡ ହେବାର ଏକ ମାସ ପରେ ମଧ୍ୟ ଯେଉଁମାନେ ବିଭିନ୍ନ ପ୍ରକାର କୋଭିଡ ସଂକ୍ରାନ୍ତୀୟ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥାଆନ୍ତି ଏହାକୁ ଲଙ୍ଗ କୋଭିଡ ବା ଦୀର୍ଘ କାଳୀନ କୋଭିଡ ବୋଲି କୁହାଯାଏ। ଏମ୍ସର ନମୁନା ସର୍ଭେ ରିପୋର୍ଟ ଅନୁଯାୟୀ, ଦୀର୍ଘକାଳୀନ କୋଭିଡରେ ପୀଡ଼ିତ ଥିବା ୬୪.୮ ପ୍ରତିଶତ ଅର୍ଥାତ ସର୍ବାଧିକ ରୋଗୀ ଶୀଘ୍ର ଥକି ପଡ଼ୁଥିଲେ, ୩୨.୪ ପ୍ରତିଶତଙ୍କ ଠାରେ କଫ ଜମି ରହୁଥିଲା, ୧୬.୯ ପ୍ରତିଶତଙ୍କ ନିଃଶ୍ବାସ ସମସ୍ୟା, ୮.୪ ପ୍ରତିଶତଙ୍କ ଛାତି ଯନ୍ତ୍ରଣା, ୪.୨ ପ୍ରତିଶତ ସ୍ବାଦ ହରାଇଥିଲେ, ୨.୮ ପ୍ରତିଶତ ଘ୍ରାଣ ହରାଇଥିଲେ, ୨.୧ ପ୍ରତିଶତ ରୋଗୀ ମସ୍ତିଷ୍କ ଜନିତ ସମସ୍ୟା କଥା କହିଥିଲେ, ୨.୧ ପ୍ରତିଶତ ମାନସିକ ଭାବରେ ନିଃସଙ୍ଗ ଅନୁଭବ କରିଥିଲେ। ଅନ୍ୟଦିଗରେ ୬୨.୫ ପ୍ରତିଶତଙ୍କ ଅବସ୍ଥା ଅତି ସଙ୍କଟଜନକ ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିବା ଜଣାପଡ଼ିଛି।

WFLA

ଏମ୍ସ ପକ୍ଷରୁ ଦୀର୍ଘକାଳୀନ କୋଭିଡର ପ୍ରଭାବ ସମ୍ପର୍କରେ ୪୮୭ (୧୯୯ ଅର୍ଥାତ ୪୦,୯ ପ୍ରତିଶତ ମହିଳା)ରୋଗୀଙ୍କୁ ନେଇ ଚଳିତ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ନମୁନା ସର୍ଭେ କରାଯାଇଥିଲା। ଏଥିରେ ୧୮ରୁ କମ ଏବଂ ଗର୍ଭବତୀମାନଙ୍କୁ ବାଦ ଦିଆଯାଇ ଥିଲା। ୨୮୭ ଜଣ ଟିକା ନେଇଥିଲେ ଏବଂ ୧୧୯ ଜଣ ଟିକା ନେଇନଥିଲେ। ନମୁନା ମଧ୍ୟରୁ ୩୪.୫ ପ୍ରତିଶତ ସ୍ବାସ୍ଥ୍ୟ କର୍ମୀ ଅଟନ୍ତି। ନମୁନା ସର୍ଭେରେ ସାମିଲ କରାଯାଇଥିବା ରୋଗୀଙ୍କ ମଧ୍ୟରୁ ୧୦ ପ୍ରତିଶତ ମଧୁମେହ ଏବଂ ହାଇପରଟେନସନ, କିଛି ବ୍ୟକ୍ତି ଆସ୍ଥମା, ଯକ୍ଷ୍ମା, କର୍କଟ ସମେତ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ଥିବା ଜଣାଇଥିଲେ। ୧୧.୧ ପ୍ରତିଶତ ଆଲକହଲ ଗ୍ରହଣ କରନ୍ତି। ୫୮.୯ ପ୍ରତିଶତ ଉଭୟ ଟିକା, ୮୧ ପ୍ରତିଶତ ଗୋଟିଏ ଟିକା ନେଇଛନ୍ତି। ୨୪.୫ ପ୍ରତିଶତ ଟିକା ନେଇନଥିବା ଜଣାଇଥିଲେ। ଅଧିକାଂଶ କୋଭାକ୍ସିନ ନେଇଛନ୍ତି। ଦୀର୍ଘକାଳୀନ କୋଭିଡ ନେଇ କରାଯାଇଥିବା ଗବେଷଣା ଯଥେଷ୍ଟ ନୁହେଁ। ବିଭିନ୍ନ ଦିଗକୁ ନେଇ ଆହୁରି ଗବେଷଣା କରିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର