ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ କୋଭିଡ୍‌ ନମୁନା ପରୀକ୍ଷା ସଂଖ୍ୟା କମିବାରେ ଲାଗିଛି। ଅଗଷ୍ଟ ୨୨ତାରିଖରେ ରାଜ୍ୟରେ ସର୍ବାଧିକ ୬୮,୯୦୬ ନମୁନା ପରୀକ୍ଷା ହୋଇଥିବା ବେଳେ ସେପ୍ଟେମ୍ବର ମାସରେ ଅଧିକାଂଶ ଦିନ ଏହା ୪୦ ହଜାରକୁ ଖସି ଆସିଛି। ଏପରିକି ଗତ ୨୪ଘଣ୍ଟାରେ ରାଜ୍ୟରେ ୪୩ ହଜାର ୯୪୦ ନମୁନା ପରୀକ୍ଷା ହୋଇଛି। ଏଥିରେ ଉଭୟ ଆରଟି-ପିସିଆର ଓ ରାପିଡ୍ ଆଣ୍ଟିଜେନ୍ ନମୁନା ରହିଛି। ଦେଶର ୬ଟି ସର୍ବାଧିକ ଦୈନିକ ସଂକ୍ରମିତ ରାଜ୍ୟ ଭିତରେ ଓଡ଼ିଶା ରହିଛି। ଅଗଷ୍ଟ ମାସ ଆରମ୍ଭରୁ ରାଜ୍ୟରେ ଦୈନିକ ମାତ୍ର ୧୦ ହଜାର ନମୁନା ପରୀକ୍ଷା ହେଉଥିବା ବେଳେ ମାସ ମଝିରେ ଏହା ଦୈନିକ ୫୦ ହଜାରକୁ ବୃଦ୍ଧି ପାଇଥିଲା। କେବଳ ନମୁନା ପରୀକ୍ଷା ସଂଖ୍ୟାରେ ବୃଦ୍ଧି ହୋଇ ନ ଥିଲା ବିଶେଷକରି କରୋନା ପାଇଁ ଉଚ୍ଚତମ ନମୁନା ପରୀକ୍ଷା ଭାବେ ବିବେଚିତ ହେଉଥିବା ଆରଟି-ପିସିଆର ପରୀକ୍ଷାରେ ମଧ୍ୟ ବୃଦ୍ଧି ହୋଇଥିଲା। ଅଗଷ୍ଟ ୨୦ତାରିଖ‌ରେ ରାଜ୍ୟରେ ସର୍ବାଧିକ ୧୧,୩୫୮ ଆରଟି-ପିସିଆର ନମୁନା ପରୀକ୍ଷା ହୋଇଥିଲା। ମାତ୍ର ଦିନକୁ ଦିନ ଆରଟି-ପିସିଆର ପରୀକ୍ଷା ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଗତକାଲି ୭ହଜାରରୁ ସାମାନ୍ୟ ଅଧିକ ଆରଟି-ପିସିଆର ପରୀକ୍ଷା ହୋଇଛି।

Advertisment

ଗତମାସରେ ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍‌ (ଟିପିଆର) ୫ ପ୍ରତିଶତକୁ ଖସି ଆସିଥିବା ବେଳେ ଗତ ୨୪ଘଣ୍ଟରେ ଏହା ୮ ପ୍ରତିଶତରୁ ଅଧିକ ରହିଛି। ତେବେ ଉତ୍ତର ପ୍ରଦେଶ, ବିହାର, ମହାରଷ୍ଟ୍ର, ଆନ୍ଧ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟ ଦୈନିକ ବହୁ ସଂଖ୍ୟାରେ ପରୀକ୍ଷା କରୁଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨୫ଲକ୍ଷ ୧୬ହଜାର ୪୫୭ କୋଭିଡ୍‌ ନମୁନା ପରୀକ୍ଷା ହୋଇଛି। ଏପରିକି କମ୍ ସଂକ୍ରମଣ ଥିବା ଆସାମ, ବିହାର ଭଳି ରାଜ୍ୟରେ ଓଡ଼ିଶାଠାରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଆସାମରେ ଏ ପର୍ଯ୍ୟନ୍ତ ସାଢ଼େ ୨୭ଲକ୍ଷ, ବିହାରରେ ୫୧ଲକ୍ଷ, କର୍ଣ୍ଣାଟକ ୩୮ଲକ୍ଷ, ଗୁଜୁରାଟ ୩୩ଲକ୍ଷ, ଉତ୍ତର ପ୍ରଦେଶରେ ୭୭ଲକ୍ଷ ପରୀକ୍ଷା ହୋଇ ସାରିଲାଣି। ବିଶେଷଜ୍ଞଙ୍କ ମତରେ, ଏବେ ସଂକ୍ରମଣ ବଢ଼ିଥିବା ବେଳେ ରାଜ୍ୟ ସରକାର ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ଜରୁରୀ। ବିଶେଷକରି ଆରଟି-ପିସିଆର ନମୁନା ପରୀକ୍ଷାକୁ ଜୋର ଦେବାର ଆବଶ୍ୟକତା ରହିଛି। ଯାହାଫଳରେ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହିତ କରୋନା ମୃତ୍ୟୁ ହାରକୁ କମାଇବାରେ ସହାୟକ ହୋଇପାରିବ।