ରାଜ୍ୟରେ ନମୁନା ପରୀକ୍ଷା କମିଲା, ପଜିଟିଭ୍ ବି କମିଲା

ଦିନକରେ ୩୨୩୫ ପଜିଟିଭ୍, ୧୬ ମୃତ, ୪୦୧୪ ସୁସ୍ଥ, ମୃତ୍ୟୁସଂଖ୍ୟା ୮୦୦ ପାର୍

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮ଶହ ଟପିଛି। ଗତ ୨୮ଦିନରେ ୩୧୦ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି। ଆଜି ୧୬ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯିବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୮୧୩ରେ ପହଞ୍ଚିଛି। ଯଦିଓ ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଛି, ତଥାପି ଦେଶରେ ସର୍ବାଧିକ କରୋନା ସଂକ୍ରମଣ ତାଲିକାରେ ଯେଉଁ ୧୦ଟି ରାଜ୍ୟ ରହିଛନ୍ତି ସେଥିରେ ଓଡ଼ିଶାରେ ମୃତ୍ୟୁ ହାର ସବୁଠାରୁ କମ୍।

ଅପରପକ୍ଷରେ ରାଜ୍ୟରେ ପ୍ରତିଦିନ ହେଉଥିବା କୋଭିଡ୍‌ ନମୁନା ପରୀକ୍ଷାରେ ହ୍ରାସ ଘଟିଛି। ଯାହାଫଳରେ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୭ ହଜାର ୬୩୪ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ଏଥିରେ ୩୨୩୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର ପ୍ରାୟ ୭ ପ୍ରତିଶତକୁ ଛୁଇଁଛି। ଲଗାତାର ଦୁଇଦିନ ଲାଗି ରାଜ୍ୟରେ ୪ହଜାରରୁ କମ୍ ରୋଗୀ ଚିହ୍ନଟ ହେଉଛନ୍ତି।

ଆଜି କରୋନାରେ ମୃତ ଘୋଷଣା ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବାଲେଶ୍ବରରୁ ୩ଜଣ, ଭୁବନେଶ୍ବର, ମୟୂରଭଞ୍ଜ ଓ ପୁରୀରୁ ୨ଜଣ ଲେଖାଏଁ ରହିଛନ୍ତି। ଗଞ୍ଜାମରେ ସର୍ବାଧିକ ୨୧୯ଜଣ ପ୍ରାଣ ହରାଇଛନ୍ତି।

ଖୋର୍ଧାରେ ୧୨୮, କଟକ ୬୬, ପୁରୀ ୫୨, ସୁନ୍ଦରଗଡ଼ ୩୯, ରାୟଗଡ଼ା ୩୭, ବାଲେଶ୍ବର ୨୪, ମୟୂରଭଞ୍ଜ ଓ ଗଜପତିରେ ୨୩ ଲେଖାଏଁ, ସମ୍ବଲପୁର, ବଲାଙ୍ଗୀର ଓ କନ୍ଧମାଳରେ ୨୨ ଲେଖାଏଁ, ବରଗଡ଼ ଓ ଭଦ୍ରକରେ ୧୨ ଲେଖାଏଁ, କେନ୍ଦୁଝର, କେନ୍ଦ୍ରାପଡ଼ା ଓ କୋରାପୁଟରେ ୧୦ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି।

ଚିହ୍ନଟ ୩୨୩୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୧୫ ସଙ୍ଗରୋଧରୁ ଓ ୧୩୨୦ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଗତ କିଛିଦିନର ବ୍ୟବଧାନ ପରେ ଖୋର୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ୫୦୬ରେ ପହଂଚିଛି। ଏହାସହ ଗଞ୍ଜାମ‌ରେ ରୋଗୀଙ୍କ ସଂଖ୍ୟା ୨୮କୁ ଖସି ଆସିଛି। କଟକରେ ୩୧୮, ଅନୁଗୁଳ ୧୭୯, ଷ୍ଟେଟ୍‌ ପୁଲ ୧୪୮, ବରଗଡ଼ ୧୩୭, ନବରଙ୍ଗପୁର ୧୨୪, ସମ୍ବଲପୁର ୧୨୦, ମୟୂରଭଞ୍ଜ ୧୧୮, ଯାଜପୁର ୧୧୦, ନୂଆପଡ଼ା ୧୦୬, କେନ୍ଦ୍ରାପଡ଼ା ୧୦୩, ରାୟଗଡ଼ା, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ୧୦୧ ଲେଖ‌ାଏଁ ଚିହ୍ନଟ ହୋଇଛନ୍ତି। ଖୋର୍ଧାରେ ସର୍ବାଧିକ ୩୬,୪୦୪ କରୋନା ରୋଗୀ ରହିଛନ୍ତି।

ଆଜି ରାଜ୍ୟରେ ୪୦୧୪ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ‌ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୭୭ହଜାର ୫୮୫‌ରେ ପହଞ୍ଚିଛି। ରାଜ୍ୟ‌ରେ ଏବେ ୩୪,୧୫୮ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଏଥିରେ ଖୋର୍ଧାରେ ସର୍ବାଧିକ ୫୪୫ଜଣ ସୁସ୍ଥ ହୋଇଛନ୍ତି। କଟକରୁ ୪୦୪, ପୁରୀ ୨୯୮, ଜଗତସିଂହପୁର ୨୧୨, ଯାଜପୁର ୧୬୭, ମୟୂରଭଞ୍ଜ ୧୫୯, ସମ୍ବଲପୁର ୧୫୭, ଅନୁଗୁଳ ୧୪୩, ବାଲେଶ୍ବର ୧୩୧, କନ୍ଧମାଳ ୧୩୦, ଝାରସୁଗୁଡ଼ା ୧୨୪, କେନ୍ଦ୍ରାପଡ଼ା ୧୧୯, ବରଗଡ଼ ଓ ବୌଦ୍ଧରୁ ୧୧୩ ଲେଖ‌ାଏଁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର