ସମୃଦ୍ଧ ଜୀବନ ଠକେଇ : ଲୀନା ମହେଶ ମୋଟେୱାରଙ୍କ ଜାମିନ ଖାରଜ

କଟକ : ସମୃଦ୍ଧ ଜୀବନ ଫୁଡ୍ସ ଇଣ୍ଡିଆ ଲିମିଟେଡ୍‌ର ପୂର୍ବତନ ନିର୍ଦ୍ଦେଶିକା ଲୀନା ମହେଶ ମୋଟେୱାରଙ୍କ ଜାମିନ ଆବେଦନ ଖାରଜ ହୋଇଛି। ସମୃଦ୍ଧ ଜୀବନ ଗ୍ରୁପ୍ ଠକେଇ ମାମଲାରେ ତାଙ୍କୁ ସିବିଆଇ ଗିରଫ କରିଥିଲା। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀମତୀ ମୋଟେୱାରଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଖାରଜ କରିଛନ୍ତି। ଏ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରେ ପ୍ରାଥମିକ ପ୍ରମାଣ ରହିଛି। ଏବେ ମଧ୍ୟ ତଦନ୍ତ ଜାରି ରହିଥିବା ଦୃଷ୍ଟିରୁ ଜାମିନ ଆବେଦନ ଖାରଜ ହୋଇଥିବା ପ୍ରକାଶିତ ରାୟରୁ ସ୍ପଷ୍ଟ ହୋଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଲୀନା ହେଉଛନ୍ତି ସମୃଦ୍ଧ ଗ୍ରୁପ୍ ଅଧ୍ୟକ୍ଷ ମହେଶ କିଶାନ ମୋଟେୱାରଙ୍କ ପତ୍ନୀ। ସିବିଆଇ ପକ୍ଷରୁ ଏଏସ୍‌ଜି ଅନୁପ କୁମାର ବୋଷ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୩ରେ ସମୃଦ୍ଧ ଜୀବନ ଠକେଇ ନେଇ ବରଗଡ ଥାନା ରେ ୨୦୧୩, ମେ ୧୨ରେ ଏତଲା ରୁଜୁ ହୋଇଥିଲା। ୨୦୧୪ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଠକେଇ ଘଟଣାର ତଦନ୍ତ ଭାର ସିବିଆଇ ନେଇ ସମୃଦ୍ଧ ଜୀବନ ଗ୍ରୁପ ଅଧ୍ୟକ୍ଷ ମହେଶ କିଶାନ ମୋଟେୱାରଙ୍କୁ ଗିରଫ କରିଥିବା ବେଳେ ୨୦୧୬, ଅଗ‌ଷ୍ଟ ୨୩ରେ ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିଲା। ଆବେଦନକାରୀ ଏହି ସଂସ୍ଥାର ପ୍ରତିଷ୍ଠାତା ନିର୍ଦ୍ଦେଶିକା ଥିବା ବେଳେ ସଂସ୍ଥାର କାରବାର ସହିତ ଜଡିତ ଥିଲେ ବୋଲି ତଦନ୍ତ ସମୟରେ ସିବିଆଇ ଜାଣିବାକୁ ପାଇଥିଲା ଓ ପରେ ତାଙ୍କୁ ଗରିଫ କରିଥିଲା।

ସମ୍ବନ୍ଧିତ ଖବର