୫ ବର୍ଷରେ ଓଡ଼ିଶାର ରୂପରେଖ ବଦଳାଇଦେବ ‘ସମୃଦ୍ଧ ଓଡ଼ିଶା’: ଯତୀଶ

ଖଣିଜ ସମ୍ପଦର ସୁବିନିଯୋଗ କରାଯିବ
ଖଣି, ପାଣି, ଜଙ୍ଗଲ ସମ୍ପଦ ଲୁଟ୍‌କୁ ରୋକାଯିବ
ଲୋକଙ୍କ ଦୁଆରକୁ ଯିବ ପ୍ରଶାସନ

ଭୁବନେଶ୍ୱର : ଓଡ଼ିଶାରେ ପ୍ରାକୃତିକ ଖଣିଜ ସମ୍ପଦ ଭରପୂର ରହିଛି। ଏହାର ସୁବିନିଯୋଗ କରି ଓଡ଼ିଶାକୁ ସମୃଦ୍ଧ ପଥରେ ଆଗେଇ ନେବା ପାଇଁ ସମସ୍ତ ପ୍ରକାର ସୁଯୋଗ ଓ ସମ୍ଭାବନା ରହିଛି। ‘ସମୃଦ୍ଧ ଓଡ଼ିଶା’ ଦଳ ରାଜ୍ୟରେ କ୍ଷମତାକୁ ଆସିଲେ ଏହି ସୁଯୋଗର ସଦୁପଯୋଗ କରି ୫ ବର୍ଷ ଭିତରେ ଓଡ଼ିଶାର ରୂପରେଖ ବଦଳାଇଦେବ ବୋଲି ଜୋର୍‌ ଦେଇଛନ୍ତି ଦଳର ସଭାପତି ଡ. ଯତୀଶ ଚନ୍ଦ୍ର ମହାନ୍ତି।

ସୋମବାର ଦିନ ଗୀତଗୋବିନ୍ଦ ସଦନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ‘ସମୃଦ୍ଧ ଓଡ଼ିଶା’ର ରାଜ୍ୟ ପାଇଁ ଥିବା ସଂକଳ୍ପ ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ରାଜ୍ୟରେ ଗରିବୀ ଓ ବେକାରୀ ଦୂର କରାଯିବା ସହ ପୁଲିସ୍‌ ଓ ପ୍ରଶାସନର ମିଥ୍ୟା କେସ୍ ଆକ୍ରୋଶରୁ ସାଧାରଣ ଜନତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯିବ। ରାଜ୍ୟର ଖଣି, ପାଣି ଓ ଜଙ୍ଗଲ ସମ୍ପଦର ଲୁଟ୍‌କୁ ସମ୍ପୂର୍ଣ୍ଣ ରୋକାଯିବ। ରାଜ୍ୟବାସୀଙ୍କୁ ମାଗଣା ବିଜୁଳି, ପାଣି ଦେବା ବଦଳରେ ସେମାନଙ୍କର ରୋଜଗାର ବଢାଇବୁ। ଲୋକଙ୍କୁ କୌଣସି ସରକାରୀ କାର୍ଯ୍ୟ ପାଇଁ ଟଙ୍କାଟିଏ ବି ଲାଞ୍ଚ ଦେବାକୁ ପଡ଼ିବ ନାହିଁ। ସରକାରୀ ଅଧିକାରୀଙ୍କ ସହଯୋଗରେ ରାଜ୍ୟରୁ ଦୁର୍ନୀତି ସଂପୂର୍ଣ୍ଣ ମୂଳୋତ୍ପାଟନ ହେବା ସହ ସବୁ ବିଧାୟକ, ସାଂସଦ ଓ ରାଜନୈତିକ ପଦାଧିକାରୀ ପ୍ରତି ୬ମାସରେ ଜନସାଧାରଣଙ୍କ ସାମ୍ନାରେ ହାଜର ହୋଇ ନିଜ ସାଧୁତାର ପ୍ରମାଣ ଦେବେ। ସାଧାରଣ ଜନତା ବାରମ୍ବାର ବିଭିନ୍ନ କାମ ପାଇଁ ସରକାରୀ ଅଫିସ୍‌କୁ ଯିବେ ନାହିଁ ବରଂ ତାଙ୍କ ଦୁଆର ମୁହଁକୁ ପ୍ରଶାସନ ଆସିବ। ଶିକ୍ଷାର ଗୁଣାତ୍ମକ ମାନ ବଢ଼ାଇବା ଓ ଉନ୍ନତ ସ୍ଵାସ୍ଥ୍ୟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯିବ। ପ୍ରତି ଜିଲ୍ଲାରେ ଗୋଟିଏ ସରକାରୀ ମେଡିକାଲ୍ କଲେଜ ପ୍ରତିଷ୍ଠା କରାଯିବା ସହ ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗର ଖାଲି ପଡ଼ିଥିବା ସବୁ ପଦବିରେ ନିଯୁକ୍ତି ଦିଆଯିବ। ଏହା ସହ ସରକାରଙ୍କ ସବୁ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ପ୍ରଚଳନକୁ ସୁନିଶ୍ଚିତ କରାଯିବ ଓ ଉଲ୍ଲଂଘନକାରୀଙ୍କୁ କଠୋର ଦଣ୍ଡବିଧାନ ପାଇଁ ନିୟମ ପ୍ରଣୟନ କରାଯିବ। ଅବହେଳାର ଶିକାର ହେଉଥିବା ଦଳିତ ଓ ଆଦିବାସୀ ବର୍ଗର ଲୋକଙ୍କ ରୋଜଗାର ବଢାଇବା ସହ ସେମାନଙ୍କ ପିଲାମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟର ସଂପୂର୍ଣ୍ଣ ବିକାଶ କରାଯିବ। ମହିଳାଙ୍କ ପ୍ରତି ହେଉଥିବା ସମସ୍ତ ପ୍ରକାର ଅତ୍ୟାଚାରକୁ ଦମନ କରାଯିବ। ସରକାରଙ୍କର ସବୁ ମୁଖ୍ୟ ନିଷ୍ପତ୍ତିରେ ବିରୋଧୀ ଦଳ ଓ ଜନତାର ପୂର୍ଣ୍ଣ ଭାଗିଦାରୀ ରହିବ। ପ୍ରତି ପଞ୍ଚାୟତ ଓ ପୌରପାଳିକାକୁ ଆସୁଥିବା ଅନୁଦାନର ପୂଣ୍ଣ ଉପଯୋଗ କରି ପ୍ରତ୍ୟେକ ଗାଁ ଓ ସହରକୁ ବିକଶିତ କରାଯିବ। ପ୍ରତି ପଞ୍ଚାୟତକୁ ଏକକ ଭାବେ ନିଆଯାଇ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରାଯିବ। ବିକାଶମୂଳକ ପଦକ୍ଷେପ ନିଆଯିବା ବେଳେ ଲୋକଙ୍କର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ବିକାଶ ପ୍ରତି ମଧ୍ୟ ଧ୍ୟାନ ଦିଆଯିବ।

ତୃଣମୂଳ ସ୍ତରରେ ଦଳର ସାଥୀମାନଙ୍କର ପ୍ରଥମ ବର୍ଷରେ ମାସିକ ରୋଜଗାର ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ କରାଯିବ, ଯାହା ଦ୍ୱାରା ସେମାନେ ଲାଞ୍ଚ ନେବାରୁ ନିବୃତ୍ତ ରହିବେ। ଦଳର ଖର୍ଚ୍ଚ ପାଇଁ ସେମାନେ ମାସକୁ ୧୦୦ ଟଙ୍କା ଅନୁଦାନ ମଧ୍ୟ ଦେବେ ଓ ପ୍ରତିଦିନ ସମାଜ ପାଇଁ କିଛି ସମୟ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅବସରପ୍ରାପ୍ତ ପ୍ରଶାସକ ପଞ୍ଚାନନ ଦାସ, ଅଧ୍ୟାପକ ପ୍ରଦୀପ୍ତ ବାରିକ, ଶିକ୍ଷାବିତ ମିନାକ୍ଷୀ ଦାସ, ଯୁବନେତା ନୀଳକଣ୍ଠ ରେଡ୍ଡୀ ଓ ସମାଜସେବୀ ଶୁଭମ୍ ସାମଲ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦଳର ମୁଖ୍ୟ ପରାମର୍ଶଦାତା ଜଷ୍ଟିସ୍ ଉମାଚରଣ ମିଶ୍ର, ଉପସଭାପତି ମନୋରଞ୍ଜନ ଦାସ, ନନ୍ଦ ହାଁସଦା, ସାଧାରଣ ସଂପାଦକ ନିରାକାର ବେଉରା, ଶରତ ଜେନା, ଆଇନଜୀବୀ ସୁଶାନ୍ତ ମହାପାତ୍ର, ସନ୍ଦୀପ୍ ବାଗ୍ ଓ ପରେଶ ଭଞ୍ଜଙ୍କ ସମେତ ବିଭିନ୍ନ ଜିଲ୍ଲାର ସଂଗଠକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର