ପୁରୀ : ପୁରୀ ସମୁଦ୍ର କୂଳରେ ଗୋବର୍ଦ୍ଧନ ମଠ ପକ୍ଷରୁ ପ୍ରତି ସନ୍ଧ୍ୟାରେ ଚାଲୁଥିବା ସମୁଦ୍ର ଆଳତି ଏଥର ନୂଆ ରୂପ ନେବ। ବାର୍ଷିକ ମହୋତ୍ସବ ଭଳି ବର୍ଷର ୩୬୫ ଦିନ ପ୍ରତି ସଂଧ୍ୟାରେ ଏହି ଆଳତି କାର୍ଯ୍ୟକ୍ରମ ଏକ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ହେବ। ସୁସଜ୍ଜିତ ସାତଟି ମଣ୍ଡପରେ ସାତଜଣ ସାଧୁ ଆକର୍ଷଣୀୟ ଢଙ୍ଗରେ ଏହି ଆଳତି କରିବେ। ଶଙ୍ଖ, ଘଣ୍ଟ ଧ୍ୱନି ସାଙ୍ଗକୁ ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନଙ୍କ ଭଜନ ପରିବେଷଣ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବ। ସମଗ୍ର ଅଂଚଳରେ ଡାକବାଜିଯନ୍ତ୍ର ଦ୍ୱାରା ଏହା ପ୍ରସାରିତ ହେବ। ଏଭଳି ଏକ ବ୍ୟୟବହୁଳ କାର୍ଯ୍ୟକ୍ରମର ପରିଚାଳନା ଗୋବର୍ଦ୍ଧନ ମଠ ଦ୍ୱାରା ଏକାକୀ ସମ୍ଭବ ହେଉନଥିବାରୁ ଜିଲ୍ଲା ପ୍ରଶାସନ ଏଥିପାଇଁ ଆବଶ୍ୟକ ସହାୟତା ପ୍ରଦାନ କରିବ।
ଗୋବର୍ଦ୍ଧନ ମଠ ପକ୍ଷରୁ ସ୍ୱର୍ଗଦ୍ଵାର ସମ୍ମୁଖରେ ଅମାବାସ୍ୟା ନାରାୟଣ ବିଜେସ୍ଥଳୀରେ ଏହି ସଂଧ୍ୟା ଆଳତି କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଇଟ୍ ହାଉସ୍ ସମ୍ମୁଖରେ ଏହାକୁ ପ୍ରତ୍ୟହ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। କିନ୍ତୁ ଏଥିରେ ଶଙ୍କରାଚାର୍ଯ୍ୟଙ୍କ ମତାମତର ଆବଶ୍ୟକତା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟିମ୍ ଆଜି ସନ୍ଧ୍ୟାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଗୋବର୍ଦ୍ଧନ ମଠରେ ଭେଟିଥିଲେ। ଜିଲ୍ଲା ପ୍ରଶାସନର ଏହି ଆଳତିସ୍ଥାନ ପରିବର୍ତ୍ତନ ପ୍ରସ୍ତାବକୁ କିନ୍ତୁ ଜଗତଗୁରୁ ଅଗ୍ରାହ୍ୟ କରିଦେଇଛନ୍ତି। ଏଣୁ ଏହି ପୁରୁଣାସ୍ଥାନରେ କରିବା ପାଇଁ ପୁଣି ଥରେ ଗୋବର୍ଦ୍ଧନ ମଠ ମହୋଦଧି ଆଳତି କମିଟି ସହ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ଏଥିପାଇଁ ୩୬ ବର୍ଗଫୁଟ ବିଶିଷ୍ଟ ୭ଟି ଅସ୍ଥାୟୀ ଉଚ୍ଚ ପିଣ୍ଡି ନିର୍ମାଣ କରାଯିବ। ପ୍ରଥମେ ଶଙ୍ଖଧ୍ୱନି ଓ ପରେ ଆଳତି କରାଯିବ ଏବଂ ଏହାପରେ ସାତ ଜଣ ସାଧୁ ଏହି ପିଣ୍ଡି ଉପରେ ଛିଡ଼ା ହୋଇ ଆଳତି କରିବେ। ପରେ ଭଜନ ପରିବେଷଣ ବ୍ୟବସ୍ଥା କରାଯିବ। ନିୟମିତ ଅନ୍ତରରେ ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଲାଇଭ୍ ଭଜନ ମଧ୍ୟ ପରିବେଷିତ ହେବ। ସମଗ୍ର ଅଂଚଳରେ ଏକ ଆଧ୍ୟାତ୍ମିକ ପରିବଶ ସୃଷ୍ଟି ଲାଗି ଆଳତିସ୍ଥଳରୁ ଦିଗବାରେଣୀ ଛକ ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର ସ୍ଥାପନ କରାଯିବ ବୋଲି ନିଷ୍ପତ୍ତି କରାଯାଇଛି। ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/sankaracharya-nka-samudra-alati-1.jpg)