ଖୋର୍ଦ୍ଧା: ଚିଲିକାକୁ ଆସିଥିଲା ଦୁଇ ନୂଆ ବୋଟ୍। ନାଁ ଥିଲା ସମୁଦ୍ରା। ଚିଲିକା ପାଣିରେ ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ କିଣା ହୋଇଥିଲା ଏ ବୋଟ୍। କିନ୍ତୁ, ଖର୍ଦ୍ଦି ପରଠାରୁ ବୋଟ୍‌ ସିଲ୍ ଖୋଲା ହୋଇନି। ଚିଲିକା ପାଣିରେ ବହୁ କୋଟି ବ୍ୟୟରେ ନିର୍ମିତ ଏ ବୋଟ୍ ଭାସୁଛି ସିନା, କିନ୍ତୁ ପର୍ଯ୍ୟଟକଙ୍କୁ ଆନନ୍ଦିତ କରି ପାରୁନାହିଁ। ସୂଚନା ମୁତାବକ, ଗୀତାଞ୍ଜଳି, ସାଗରିକା, ଜଳପରି ଭଳି ସମୁଦ୍ରା ବି ଗୋଟିଏ ବୋଟ୍‌। ଏ ବୋଟ୍ କିଣାଯିବାର ମୂଳ ଉଦ୍ଦେଶ୍ୟ ଥିଲା ପର୍ଯ୍ୟଟନର ବିକାଶ। ଏହାକୁ କିଣିଥିଲା ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି)। ଏହା ସ୍ଥାନିତ ହୋଇଥିଲା ଚିଲିକା ବ୍ଲକ୍‌ର ବଡ଼କୂଳ ସ୍ଥିତ ଓଟିଡିସି ପାନ୍ଥ ନିବାସରେ। ପୂର୍ବରୁ ଏଠି ଓଟିଡିସିର ଆଠ ଗୋଟି ବୋଟ୍‌ ଯଦିଓ ଅଛି, କିନ୍ତୁ ନୂତନ ଭାବେ ଖର୍ଦ୍ଦି ହୋଇଥିବା ସମୁଦ୍ରା ଅନ୍ୟମାନଙ୍କଠାରୁ ପୂରା ଭିନ୍ନ। ଏ ବୋଟ୍ କେବଳ ଚିଲିକାରେ ଜଳ ଭ୍ରମଣ କରିବା ପାଇଁ ଉଦ୍ଦିଷ୍ଟ ନ ନୁହେଁ, ଏଥିରେ କେହି ଚାହିଁଲେ, ଚିଲିକା ପାଣିରେ ବୁଲି ବୁଲି ମିଟିଂ ବି କରିପାରିବେ, ଜନ୍ମ ଦିନ ଆଦି ଛୋଟ ମୋଟ୍‌ ଉତ୍ସବ ବି ଏ ବୋଟ୍‌ରେ ପାଳନ କରିବାର ପୂରା ସୁବିଧା ରହିଛି। ବୋଟ୍‌ର ସିଟ୍‌ ସଂଖ୍ୟା ମୋଟ୍ ୪୦ ହୋଇଥିବା ବେଳେ ପୂରା ବୋଟ୍ ହେଉଛି ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା।

Advertisment

ତା’ ଭିତରେ ପାଇଖାନାଠୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ବି ଉପଲବ୍ଧ ରହିଛି। ତେଣୁ, ଯେକେହି ଚାହିଁଲେ, ୪୦ଜଣିଆ ଲୋକଙ୍କୁ ନେଇ ଏଠି ଖରା, ବର୍ଷା, ଶୀତ ଓ କାକର ବର୍ଷର ବାରମାସ ଆବଦ୍ଧ କୋଠରିରେ ଜଳକ୍ରୀଡ଼ା କରିବାର ସୁବିଧା ଏଠି ଉପଲବ୍ଧ କରାଯାଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏ ବୋଟ୍ ବଡ଼କୂଳ ପାନ୍ଥନିବାସକୁ ଯୋଗାଇ ଦିଆଯାଇଛି। କିନ୍ତୁ, ସବୁ ପ୍ରକାର ସୁବିଧା ଥିବା ସମୁଦ୍ରା ବଡ଼କୂଳ ଜେଟିରୁ ଚିଲିକା ଜଳରାଶିକୁ ବାହାରି ପାରୁନାହିଁ। ଗଲା ଶୀତ ବେଳାରେ ଏ ଦୁଇଟି ବହୁ ମୂଲ୍ୟବାନ ବୋଟ୍ ଆସିଥିଲା। ଯେଉଁ ସମୟରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ବଡ଼କୂଳକୁ ଛୁଟୁଥିଲେ, ସେହି ସମୟରେ ଏ ବୋଟ୍ କାର୍ଯ୍ୟକାରୀ ହେବା କଥା। କିନ୍ତୁ, ନୂଆ ବୋଟ୍‌ର ସିଲ୍ ବି ଆଦୌ ଖୋଲା ନ ହେବା ଘଟଣା ପର୍ଯ୍ୟଟକଙ୍କୁ ନିରାଶ କରିଛି। ଏ ସମ୍ପର୍କରେ ବଡ଼କୂଳ ଓଟିଡିସି ପାନ୍ଥନିବାସର ମ୍ୟାନେଜର ସବ୍ୟସାଚି କର କହିଛନ୍ତି, ବୋଟ୍ ତିନି ମାସ ତଳେ ଆମକୁ ଦିଆଯାଇଛି। କିନ୍ତୁ, ତାକୁ ଚଳାଇବା ପାଇଁ ଏଯାବତ୍‌ ଆମକୁ ଅଫିସ୍‌ ଅର୍ଡର ଆସିନାହିଁ। ସେଥିପାଇଁ ଆମେ ଚଳାଇ ନାହୁଁ କି’ କୌଣସି ବୁକିଂ ରଖି ନାହୁଁ। କ’ଣ ପାଇଁ ଚାଲୁନାହିଁ ଓ କେବେ ଚାଲିବ ସେ ବିଷୟରେ ମୁଁ କିଛି ଜାଣିନାହିଁ ବୋଲି ଶ୍ରୀ କର ପ୍ରକାଶ କରିଛନ୍ତି।